ଦେଶରେ ଅନ୍ତର୍ଜାତୀୟ ବିମାନ ସେବା କେବେ ହେବ ଆରମ୍ଭ? ସେ ନିଷ୍ପତ୍ତି ଆସନ୍ତା ମାସରେ: ବିମାନ ଚଳାଚଳ ମନ୍ତ୍ରାଳୟ

ନୂଆଦିଲ୍ଲୀ: କରୋନା ମହାମାରୀ ବା କୋଭିଡ୍‌-୧୯ ସଂକ୍ରମଣକୁ ରୋକିବା ଉଦ୍ଦେଶ୍ୟରେ ଜାରି ହୋଇଥିବା ଲକ୍‌ଡାଉନ୍‌ କାଳରେ ଦେଶରେ ସମସ୍ତ ବିମାନ ଚଳାଚଳକୁ ବନ୍ଦ ରଖିଥିଲେ କେନ୍ଦ୍ର ସରକାର। ତେବେ, ଇତି ମଧ୍ୟରେ ଗତ ମେ ୨୫ ତାରିଖ ଠାରୁ ଦେଶରେ ଘରୋଇ ବିମାନର ଉଡ଼ାଣ ପାଇଁ ସରକାର ଅନୁମତି ଦେବାପରେ ଦେଶ ମଧ୍ୟରେ ଘରୋଇ ବିମାନର ଉଡ଼ାଣ ଆରମ୍ଭ ହୋଇଛି। ହେଲେ, ଅନ୍ତର୍ଜାତୀୟ ବିମାନ ଚଳାଚଳ ଉପରେ କଟକଣା ଏବେ ବି ବଳବତ୍ତର ରହିଛି।

ଏ ପରିସ୍ଥିତିରେ ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ, ଅନ୍ତର୍ଜାତୀୟ ବିମାନ ଚଳାଚଳ ପାଇଁ କେନ୍ଦ୍ର ସରକାର କେବେ ପ୍ରଦାନ କରିବେ ଅନୁମତି? ତେବେ, ଏସଂପର୍କରେ ସୂଚନା ଦେବାକୁ ଯାଇ ଆଜି ଦେଶର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂହ ପୁରୀ କହିଛନ୍ତି ଯେ ଆସନ୍ତା ମାସରେ ଅନ୍ତର୍ଜାତୀୟ ବିମାନ ସେବା କେବେ ଠାରୁ ଆରମ୍ଭ ହେବ ସେ ସଂପର୍କରେ ସରକାରୀ ସ୍ତରରେ ନିଷ୍ପତ୍ତି ନିଆଯିବ।

କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂହ ପୁରୀ ଏସଂପର୍କରେ ମତ ଦେଇ କହିଛନ୍ତି, ଯେ ଅନ୍ତର୍ଜାତୀୟ ବିମାନ ଯାତ୍ରା ଉପରେ ପ୍ରତିବନ୍ଧକ ହଟାଇବା ନେଇ ନିଷ୍ପତ୍ତି ଆସନ୍ତା ମାସରେ ନିଆଯାଇପାରେ। ଏ ପ୍ରସଙ୍ଗରେ ସୂଚନା ଦେଇ ସେ କହିଛନ୍ତି, ‘ଆମେ ନିଶ୍ଚିତ ଯେ ଆସନ୍ତା ମାସରେ ଆମେ ଅନ୍ତର୍ଜାତୀୟ ବିମାନ ଚଳାଚଳ ଆରମ୍ଭ କରିବା ନେଇ ନିଷ୍ପତ୍ତି ନେବା ଆରମ୍ଭ କରିବୁ। ମୁଁ ଏଠାରେ ଏଥିପାଇଁ ଏକ ନିର୍ଦ୍ଦିଷ୍ଟ ସମୟସୀମା ରଖିବାକୁ ଚାହୁଁ ନାହିଁ। ହେଲେ, ସମସ୍ତ ହିତାଧିକାରୀ ଏବଂ ଯାତ୍ରୀଙ୍କୁ ଏହାକୁ ବିଶ୍ୱାସକୁ ନେବାକୁ ହେବ।’

ସମ୍ବନ୍ଧିତ ଖବର