ନୂଆଦିଲ୍ଲୀ : ନିର୍ବାଚନ ଆୟୋଗ ଜମ୍ମୁ-କଶ୍ମୀର ଏବଂ ହରିୟାଣା ପାଇଁ ତାରିଖ ଘୋଷଣା କରିଛନ୍ତି। କିନ୍ତୁ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ତାରିଖ ଘୋଷଣା କରାଯାଇନାହିଁ । ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ସମ୍ପର୍କରେ ନିର୍ବାଚନ କମିଶନଙ୍କୁ ପଚରାଯିବାରୁ ସେ କହିଥିଲେ ଯେ ୪ଟି ସ୍ଥାନରେ ଏକାସାଙ୍ଗରେ ନିର୍ବାଚନ କରାଇବା ପାଇଁ ସୁରକ୍ଷା ବଳମୁତୟନ ମଧ୍ୟ ଏକ ସମସ୍ୟା ହୋଇପାରେ। ଏଣୁ ପ୍ରଥମେ ହରିୟାଣା ଓ ଜମ୍ମୁ ଓ କଶ୍ମୀରରେ ନିର୍ବାଚନ ତାରିଖ ଘୋଷଣା କରାଯାଇଛି ଓ ପରେ ମହାରାଷ୍ଟ୍ର ଓ ଝାଡ଼ଖଣ୍ଡ ପାଇଁ ତାରିଖ ଘୋଷଣା ହୋଇପାରେ ।
ମୁଖ୍ୟ ନିର୍ବାଚନ କମିସନର ରାଜୀବ କୁମାର କହିଛନ୍ତି ଯେ ଗତ ଥର ହରିୟାଣା ଓ ମହାରାଷ୍ଟ୍ର ନିର୍ବାଚନ ଏକ ସମୟରେ ହୋଇଥିଲା । କିନ୍ତୁ ସେଥର ଜମ୍ମୁ ଓ କଶ୍ମୀର ନିର୍ବାଚନ ନଥିଲା । ଏଥର ଜମ୍ମୁ ଓ କଶ୍ମୀର ସହ ହରିୟାଣା ନିର୍ବାଚନ କରାଯାଉଛି । ଜମ୍ମୁ ଓ କଶ୍ମୀରର ଆଇନ ଶୃଙ୍ଖଳା ପରିସ୍ଥିତି ଦୃଷ୍ଟିରୁ ସେଠାରେ ଅଧିକ ସୁରକ୍ଷାବଳ ମୁତୟନ କରାଯିବ । ସେପଟେ ମହାରାଷ୍ଟ୍ରରେ ପ୍ରବଳ ବର୍ଷା ଯୋଗୁଁ ବନ୍ୟା ପରିସ୍ଥିତି ରହିଛି ଓ ଆଗକୁ ପାର୍ବଣ ରହିଛି । ଏହି କାରଣରୁ ସେଠାକାର ତାରିଖ ଘୋଷଣା ହୋଇନାହିଁ ।
ତେବେ ମହାରାଷ୍ଟ୍ର ନିର୍ବାଚନ କେବେ ହେବ ତାହା ଉପରେ ସାରା ଦେଶର ନଜର ରହିବ । ମହାରାଷ୍ଟ୍ର ସହିତ ଝାଡ଼ଖଣ୍ଡ ନିର୍ବାଚନ ତାରିଖ ଘୋଷଣା ହେବାର ସମ୍ଭାବନା ରହିଛି ।