କୁଆଡ଼େ ଗଲେ ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଲୋକପ୍ରିୟ ଚେହେରା ଲବ ଅଗ୍ରଓ୍ଵାଲ ?

ଭୁବନେଶ୍ୱର : ଭାରତରେ ଯେତେବେଳେ କରୋନା ମହାମାରୀ ଆରମ୍ଭ ହେଲା ସେତେବେଳେ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଦେଶବାସୀଙ୍କୁ କରୋନା ସଂପର୍କରେ ତଥ୍ୟ ଦେବାକୁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଦୈନିକ ସାମ୍ବାଦିକ ସମ୍ମିଳନୀ କରାଗଲା । ସେହିପରି ଓଡ଼ିଶାରେ ମଧ୍ୟ ରାଜ୍ୟ ସରକାରଙ୍କ ତରଫରୁ ଦୈନିକ ସାମ୍ବାଦିକ ସମ୍ମିଳନୀ କରି କରୋନା ସ୍ଥିତି ସମ୍ପର୍କରେ ତଥ୍ୟ ଦିଆଗଲା । କେନ୍ଦ୍ର ସରକାରଙ୍କ ତରଫରୁ ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଯୁଗ୍ମ ସଚିବ ଲବ ଅଗ୍ରଓ୍ଵାଲ, ଗୃହମନ୍ତ୍ରାଳୟର ଯୁଗ୍ମ ସଚିବ ପୁଣ୍ୟା ସଲିଳା ଶ୍ରୀବାସ୍ତବ ଏହି ସାମ୍ବାଦିକ ସମ୍ମିଳନୀର ପରିଚାଳନା କରୁଥିଲେ ଓ ଓଡ଼ିଶାରେ ରାଜ୍ୟ ସରକାରଙ୍କ କୋଭିଡ ମୁଖପାତ୍ର ସୁବ୍ରତ ବାଗଚୀ ସୂଚନା ଦେଉଥିଲେ ।

ନିଜର ସରଳ ଓ ପ୍ରଭାବଶାଳୀ କଥନ ଶୈଳୀ ଯୋଗୁଁ ଉଭୟ ଲବ ଓ ପୁଣ୍ୟା ଏବଂ ଓଡ଼ିଶାରେ ବାଗଚୀ ଲୋକମାନଙ୍କ ମଧ୍ୟରେ ବେଶ ଲୋକପ୍ରିୟ ହୋଇଯାଇଥିଲେ । କିନ୍ତୁ ଏବେ ବି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସାମ୍ବାଦିକ ସମ୍ମିଳନୀ କରାଯାଉଥିଲେ ମଧ୍ୟ ଏମାନଙ୍କୁ ଦେଖିବାକୁ ମିଳୁନାହିଁ ।
ତେବେ କୁଆଡ଼େ ଗଲେ ଲବ ଅଗ୍ରଓ୍ଵାଲ ? ମିଳିଥିବା ସୂଚନା ଅନୁସାରେ ଆନ୍ଧ୍ର ପ୍ରଦେଶ କ୍ୟାଡରର ଏହି ଆଇଏଏସ ଅଧିକାରୀଙ୍କୁ ଏବେ ସରକାରଙ୍କ ତରଫରୁ କେତେକ ଅଧିକ ଦାୟିତ୍ୱପୂର୍ଣ୍ଣ ଦାୟିତ୍ୱ ପ୍ରଦାନ କରାଯାଇଛି । ତାଙ୍କୁ ଅଧିକ ପ୍ରଭାବିତ ରାଜ୍ୟଗୁଡ଼ିକର ସ୍ଥିତି ତଦାରଖ ଦାୟିତ୍ୱ ଦିଆଯାଇଛି । ଏଥିପାଇଁ ସେ ବିଭିନ୍ନ ରାଜ୍ୟ ଗସ୍ତ କରି ରାଜ୍ୟ ସରକାରମାନଙ୍କୁ ଆବଶ୍ୟକ ସହାୟତା ପ୍ରଦାନ କରୁଛନ୍ତି ।

ସେହିପରିି ଦେଶରେ ଲକଡାଉନ ପରେ ସୃଷ୍ଟି ହୋଇଥିବା ପ୍ରବାସୀ ଶ୍ରମିକ ସମସ୍ୟାର ପରିଚାଳନା ଦାୟିତ୍ୱ କେନ୍ଦ୍ର ଗୃହ ମନ୍ତ୍ରାଳୟର ଯୁଗ୍ମ ସଚିବ ପୁଣ୍ୟା ଶ୍ରୀବାସ୍ତବଙ୍କ ଉପରେ ନ୍ୟସ୍ତ କରାଯାଇଥିଲା । ଏବେ ସେହି ସମସ୍ୟା ନଥିବାରୁ ତାଙ୍କୁ ସାମ୍ବାଦିକ ସମ୍ମିଳନୀକୁ ଆସିବାକୁ ପଡ଼ୁନାହିଁ । ଗୃହ ମନ୍ତ୍ରାଳୟ ପକ୍ଷରୁ ମୁଖ୍ୟତଃ ପ୍ରେସ ବିଜ୍ଞପ୍ତି ମାଧ୍ୟମରେ ଆବଶ୍ୟକ ଗାଇଡଲାଇନ ସଂପର୍କରେ ଘୋଷଣା କରାଯାଉଛି ।
ସେହିପରି ଓଡ଼ିଶାରେ ଏବେ ରାଜ୍ୟ ସରକାରଙ୍କ ପକ୍ଷରୁ ହେଉଥିବା ସାମ୍ବାଦିକ ସମ୍ମିଳନୀକୁ ମୁଖ୍ୟ ସଚିବ ଓ ଅନ୍ୟ ବିଭାଗୀୟ ଅଧିକାରୀମାନେ ସମ୍ବୋଧନ କରୁଛନ୍ତି ।

ସମ୍ବନ୍ଧିତ ଖବର