ଭିସା ନେଇ ପାକିସ୍ତାନ ଯାଇଥିବା ୧୦୦ ଯୁବକ ନିଖୋଜ, ଆତଙ୍କୀ ସଂଗଠନରେ ଯୋଗ ଦେଇଥିବା ନେଇ ଆଶଙ୍କା

ନୂଆଦିଲ୍ଲୀ: ପୂର୍ବ ୩ ବର୍ଷ ମଧ୍ୟରେ ଭାରତରୁ ବୈଧ ଭିସା ନେଇ ଅଳ୍ପଦିନ ପାଇଁ ପାକିସ୍ତାନ ଯାଇଥିବା କଶ୍ମୀରର ୧୦୦ ଯୁବକଙ୍କର ପତ୍ତା ମିଳିପାରୁ ନାହିଁ । ଏହାକୁ ନେଇ ସୁରକ୍ଷା ଏଜେନ୍ସି ସତର୍କତା ଅବଲମ୍ବନ କରିଛି । ସୁରକ୍ଷା ଏଜେନ୍ସି ଆଶଙ୍କା କରିଛି କି ଏହି ଯୁବକମାନେ ପାକିସ୍ତାନର ଆତଙ୍କବାଦୀ ସଂଗଠନ ସହିତ ସାମିଲ ହୋଇଯାଇଛନ୍ତି ଅଥବା ଆତଙ୍କବାଦୀ ସମୁହ ପାଇଁ ସ୍ଲିପର ସେଲ ପାଲଟି ଯାଇଛନ୍ତି ।

ସୁରକ୍ଷା ବିଭାଗର ବିଭିନ୍ନ ଅଧିକାରୀମାନେ କହିଛନ୍ତି କି ଉତ୍ତର କଶ୍ମୀରର ହନ୍ଦୱାଡା ନିକଟ ଜଙ୍ଗଲରେ ଗତବର୍ଷ ଏପ୍ରିଲ ମାସରେ ୫ ଆତଙ୍କବାଦୀଙ୍କ ମୃତ୍ୟୁ ପରେ ସୁରକ୍ଷା ବିଭାଗ ସଜାଗ ହୋଇଥିଲା । କାରଣ ମରିଥିବା ୫ ଜଣ ଆତଙ୍କବାଦୀଙ୍କ ମଧ୍ୟରୁ ଜଣେ ସ୍ଥାନୀୟ ନାଗରିକ ବୋଲି ପରିଚୟ ମିଳିଥିଲା, ଯେ କି ୨୦୧୮ ମସିହାରେ ଭିସା ନେଇ ପାକିସ୍ତାନ ଯାଇଥିଲା ।

Image result for where-did-100-youths-go-from-kashmir
YesPunjab.com

ସୁରକ୍ଷା ଅଧିକାରୀଙ୍କ ସୂଚନା ମୁତାବକ ପୂର୍ବ ବର୍ଷ ଏପ୍ରିଲ ମାସ ୧ ରୁ ୬ ତାରିଖ ମଧ୍ୟରେ ଦକ୍ଷିଣ କଶ୍ମୀରର ସୋପିୟାଁ, କୁଲଗାମ ଓ ଅନନ୍ତନାଗ ଜିଲ୍ଲାର କିଛି ଯୁବକମାନଙ୍କୁ ଅନୁପ୍ରବେଶ କରିବାକୁ ଉଦ୍ୟମ କରୁଥିବା ପାକିସ୍ତାନୀ ଆତଙ୍କବାଦୀଙ୍କ ସହ ଦେଖିବାକୁ ମିଳିଥିଲା । ସେମାନେ ବି ବୈଧ ଭିସା ନେଇ କଶ୍ମୀରରୁ ପାକିସ୍ତାନ ଯାଇଥିଲେ । ହେଲେ ସେମାନେ ଆଉ ଫେରି ନଥିଲେ ।

ଏନେଇ ସୁରକ୍ଷା ଅଧିକାରୀଙ୍କ ପକ୍ଷରୁ ବିଗତ ୩ ବର୍ଷରୁ ଅଧିକ ସମୟ ହେବ କଶ୍ମୀରରୁ ୭ ଦିନିଆ ଭିସା ନେଇ ପାକିସ୍ତାନ ଯାଇଥିବା ଯୁବକମାନଙ୍କର ତାଲିକା ପ୍ରସ୍ତୁତ କରାଯାଉଛି । ସୁରକ୍ଷା ବିଭାଗ ଆହୁରି କହିଛି କି କିଛିବର୍ଷ ପୂର୍ବରୁ ଭିସା ନେଇ କଶ୍ମୀରରୁ ପାକିସ୍ତାନ ଯାଇ ପୁଣି କଶ୍ମୀର ଫେରିଥିବା କିଛି ଯୁବକଙ୍କୁ ସୁରକ୍ଷା ଅଧିକାରୀମାନେ ଜେରା କରୁଛନ୍ତି । ଏହା ସହ ସେମାନଙ୍କ ଗତିବିଧି ଉପରେ ପୁରା ନଜର ରଖିଛି ସୁରକ୍ଷା ବିଭାଗ ।

ସେପଟେ ସୁରକ୍ଷା ଏଜେନ୍ସି ଯେଉଁ ଖୁଲାସା କରିଛି ତାହା ଚକିତ କରିଦେବା ଭଳି । ଜଣେ ସୁରକ୍ଷା ଅଧିକାରୀଙ୍କ କହିବା ମୁତାବକ ଜଣେ ସାଧାରଣ ଯୁବକକୁ ଆତଙ୍କବାଦୀ ସଂଗଠନରେ ସାମିଲ କରିବା ପାଇଁ ମାତ୍ର ୬ ସପ୍ତାହର ଟ୍ରେନିଂ ଦରକାର ପଡ଼ିଥାଏ । ଏହାସହ ଯୁବକଜଣକ ତାଙ୍କ ସଂଗଠନରେ ସାମିଲ ହେବାର ଗୋଟିଏ ସପ୍ତାହ ଭିତରେ ବିସ୍ଫୋଟକ ପ୍ରସ୍ତୁତି କରିବାର କୌଶଳ ଶିଖାଇ ଦିଆଯାଏ । ନିଖୋଜ ଥିବା ଯୁବକମାନେ ମୁଖ୍ୟତଃ ନିମ୍ନ ମଧ୍ୟବିତ ପରିବାରା ବୋଲି ସୂଚନା ମିଳିଛି । ସେମାନଙ୍କୁ ନେଇ ଆତଙ୍କବାଦୀମାନେ କଶ୍ମୀରରେ ଆତଙ୍କବାଦ ଚଳାଉଛନ୍ତି ।

ସମ୍ବନ୍ଧିତ ଖବର