କରୋନା ମୁକାବିଲା : କେରଳ ମଡେଲ୍‌ରେ ଭୁଲ୍‌ କେଉଁଠି ରହିଲା

ଥିରୁଅନନ୍ତପୁରମ୍ : ଦେଶର ପ୍ରଥମ କରୋନା ମାମଲା ଚିହ୍ନଟ ହୋଇଥିଲା କେରଳରୁ। ଜାନୁଆରି ୩୦ ତାରିଖରେ କେରଳରେ ଦେଶର ପ୍ରଥମ ସଂକ୍ରମଣ ଚିହ୍ନଟ ହୋଇଥିଲା। ଚୀନ୍‌ ଫେରନ୍ତା ଜଣେ ଛାତ୍ର କେରଳରେ ପହଞ୍ଚିବାପରେ ସଂକ୍ରମିତ ହୋଇଥିଲେ। ଦୁଇ ଦିନ ମଧ୍ୟରେ କେରଳରେ ୩ଟି ମାମଲା ଚିହ୍ନଟ ହୋଇଥିଲା। ତେବେ କେରଳ ଏହି ମାମଲାକୁ ଠିକ୍‌ ଭାବେ ମୁକାବିଲା କରିଦେଲା। ମାର୍ଚ୍ଚ ୯ ତାରିଖ ପର୍ଯ୍ୟନ୍ତ କେରଳରେ ଆଉ ନୂଆ ମାମଲା ଦେଖିବାକୁ ମିଳିଲାନି। କେରଳ କରୋନାକୁ ବେଶ୍‌ ଭଲଭାବେ ମୁକାବିଲା କରିଦେଲା। ଦିନେ ମଡେଲ୍‌ ଷ୍ଟେଟ୍‌ ଥିଲା କେରଳ। କିନ୍ତୁ ଏବେ କେରଳରେ ଦ୍ରୁତ ସଂକ୍ରମଣ ହେଉଛି। ମହାରାଷ୍ଟ୍ର, ଆନ୍ଧ୍ରପ୍ରଦେଶ ଏବଂ କର୍ଣ୍ଣାଟକ ପରେ କେରଳରେ ଦୈନିକ ସଂକ୍ରମଣ ମାମଲା ୧୦ ହଜାରରୁ ଅଧିକ ରହୁଛି। ତେବେ କେରଳ ମଡେଲ୍‌ରେ ଭୁଲ୍‌ କେଉଁଠି ରହିଲା ସେନେଇ ପ୍ରଶ୍ନ ଉଠିଛି। କେରଳ ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନ ଶୀର୍ଷ ବିଶେଷଜ୍ଞ କମିଟି ସହ ବୈଠକ କରିବାପରେ ନଭେମ୍ବରକୁ ସ୍ଥିତି ଅତ୍ୟନ୍ତ ଜଟିଳ ହେବ ବୋଲି କହିଛନ୍ତି। କେରଳରେ ଦ୍ରୁତ ସଂକ୍ରମଣ ପାଇଁ ସରକାର ବିରୋଧୀ ବିଜେପି ଏବଂ କଂଗ୍ରେସର ଆନ୍ଦୋଳନକୁ ଦାୟୀ କରିଛନ୍ତି। କିନ୍ତୁ ବରିଷ୍ଠ କଂଗ୍ରେସ ନେତା ଭିଡି ସାଥୀସାନ୍‌ କହିଛନ୍ତି, ରାଜ୍ୟରେ ଟେଷ୍ଟିଂ କମ୍‌ ଥିବାବେଳେ ସଂକ୍ରମଣ କମ୍‌ ରହିବା ସ୍ବାଭାବିକ। କିନ୍ତୁ ଟେଷ୍ଟିଂ ବଢ଼ିବା ସହ ସଂକ୍ରମଣ ବଢ଼ିଲା।

ମେ’ ୯ରୁ ଜୁନ୍‌ ୭ ମଧ୍ୟ‌ରେ ବିଦେଶ ରାଷ୍ଟ୍ରରୁ ଯାତ୍ରା ଅନୁମତି ମିଳିବାପରେ ବିଦେଶରେ ଥିବା ଅଧିକାଂଶ କେରଳ ନାଗରିକ କେରଳ ପହଞ୍ଚିଲେ। ଏହାଦ୍ବାରା ସଂକ୍ରମଣ ବଢ଼ିଲା। ଅଗଷ୍ଟ ୧୭‌ରେ ବିବାହ ଋତୁ ଆରମ୍ଭ ହେଲା। ସରକାର ବିବାହ ପାଇଁ ଅନୁମତି ଦେବା ସହ ବିବାହ ଉତ୍ସବରେ ଅତି କେତେ ଜଣ ଯୋଗ ଦେବେ ସ୍ଥିର କରିଥିଲେ। କିନ୍ତୁ ଲୋକେ ଏହାକୁ ବେଖାତିର କରି ଅଧିକ ସଂଖ୍ୟାରେ ଲୋକ ବିବାହରେ ରୁଣ୍ଡ ହେଲେ। ସେପ୍ଟେମ୍ବର ୬ରୁ ସେପ୍ଟେମ୍ବର ୨୬ରେ ମାମଲା ଦ୍ବୁଗଣା ୧ ଲକ୍ଷରେ ପହଞ୍ଚିଲା। ଏହି ୨୧ ଦିନରେ ୩୭୧ ଜଣଙ୍କ ମୃତ୍ୟୁ ରେକର୍ଡ କରାଗଲା। ସେପ୍ଟେମ୍ବର ୨୭ରୁ ଅକ୍ଟୋବର ୧୦ ମଧ୍ୟରେ କେରଳ ଦେଶର ଶୀର୍ଷ ୩ ରାଜ୍ୟ ମଧ୍ୟରେ ରହିବା ସହ ପ୍ରତି ୧୦ ଲକ୍ଷ ଜନସଂଖ୍ୟାରେ ଦୈନିକ ସଂକ୍ରମଣ ଅଧିକ ରହିଲା। ‌ସେପ୍ଟେମ୍ବର ୧୯ରୁ ୨୬ ମଧ୍ୟରେ କେରଳରେ ପ୍ରତି ୧୦ ଲକ୍ଷରେ ୧୫୮ ମାମଲା ଚିହ୍ନଟ ହୋଇଛି। ଅକ୍ଟୋବର ୭ରେ କେରଳ ଦୈନିକ ସଂକ୍ରମଣ ମାମଲା ୧୦ ହଜାର ଟପିଯାଇଥିଲା।

ସମ୍ବନ୍ଧିତ ଖବର