ପାକିସ୍ତାନୀ ସାମ୍ବାଦିକଙ୍କ ପାଇଁ ଅପମାନିତ ହେଲେ ପ୍ରଧାନମନ୍ତ୍ରୀ ଇମ୍ରାନ୍‌: ‘ତୁମେ ଏମାନଙ୍କୁ ସବୁ କେଉଁଠୁ ଖୋଜି ପାଉଛ’? ପଚାରିଲେ ରାଷ୍ଟ୍ରପତି ଟ୍ରମ୍ପ

ନ୍ୟୁୟର୍କ: ଜଣେ ପାକିସ୍ତାନୀ ସାମ୍ବାଦିକଙ୍କ ପାଇଁ ଆଜି ପାକ୍‌ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ଙ୍କୁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସମ୍ମୁଖରେ ବେଶ ଅପଦସ୍ତ ଓ ଅପମାନିତ ହେବାକୁ ପଡ଼ିବା ସହ ଟ୍ରମ୍ପଙ୍କ ଠାରୁ ବେଶ କିଛି କଟୁ କଥା ଶୁଣିବାକୁ ପଡ଼ିଛି। ପାକ୍‌ ସାମ୍ବାଦିକଙ୍କର ଅଭଦ୍ରୋଚିତ ଆଚରଣରେ ଅତିଷ୍ଠ ହୋଇ ରାଷ୍ଟ୍ରପତି ଟ୍ରମ୍ପ ଶେଷରେ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ଙ୍କୁ, ‘ତୁମେ ଏମାନଙ୍କୁ ସବୁ କେଉଁଠୁ ଖୋଜି ପାଉଛ’? ବୋଲି ପଚାରିବାକୁ ସୁଦ୍ଧା କୁଣ୍ଠାବୋଧ କରି ନାହାନ୍ତି। ରାଷ୍ଟ୍ରପତି ଟ୍ରମ୍ପଙ୍କ ଠାରୁ ସଂପୂର୍ଣ୍ଣ ଅନାପେକ୍ଷିକ ଭାବେ ଏପରି ପ୍ରଶ୍ନ ଶୁଣିବା ପରେ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ଙ୍କ ମୁହଁ ପୂରା ଲାଲ ପଡ଼ି ଯାଇଥିଲା।

ହସ୍ତଗତ ହୋଇଥିବା ରିପୋର୍ଟରୁ ପ୍ରକାଶ, ସଂପ୍ରତି ନ୍ୟୁୟର୍କ ଠାରେ ଚାଲିଥିବା ମିଳିତ ଜାତିସଂଘର ସାଧାରଣ ଅଧିବେଶନରେ ଯୋଗ ଦେବାକୁ ଯାଇଥିବା ପାକ୍‌ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଆଜି ରାଷ୍ଟ୍ରପତି ଟ୍ରମ୍ପଙ୍କୁ ଭେଟି ସାକ୍ଷାତ୍‌ ଆଲୋଚନା କରିଥିଲେ। ଆଲୋଚନା ଶେଷ ହେବାପରେ ରାଷ୍ଟ୍ରପତି ଟ୍ରମ୍ପ ଓ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଏକ ମିଳିତ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରିବାକୁ ଆସିଥିଲେ।

ଉଭୟ ନେତା ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରୁଥିବା ବେଳେ ସେଠାରେ ଉପସ୍ଥିତ ଥିବା ଜଣେ ପାକିସ୍ତାନୀ ସାମ୍ବାଦିକ ରାଷ୍ଟ୍ରପତି ଟ୍ରମ୍ପଙ୍କୁ ପ୍ରଶ୍ନ ପଚାରିବାକୁ ଯାଇ ‘ସବ୍‌ ଜାନ୍‌ତା’ ଢ଼ଙ୍ଗରେ କଶ୍ମୀର ପ୍ରସଙ୍ଗରେ ଏକ ଲମ୍ବା ଭାଷଣ ଶୁଣାଇଥିଲେ। ନିଜ ବକ୍ତବ୍ୟରେ ସେ ଭାରତକୁ ଆକ୍ରମକ ଓ ପାକିସ୍ତାନକୁ ଶାନ୍ତିର ସଂସ୍ଥାପକ ବୋଲି ମଧ୍ୟ ରାଷ୍ଟ୍ରପତି ଟ୍ରମ୍ପଙ୍କୁ କହିଥିଲେ।

ପାକ୍‌ ସାମ୍ବାଦିକଙ୍କ ପ୍ରଶ୍ନ ଆଳରେ ଭାଷଣ ଶୁଣି ଶୁଣି ରାଷ୍ଟ୍ରପତି ଟ୍ରମ୍ପଙ୍କର ଧୈର୍ଯ୍ୟଚ୍ୟୁତି ଘଟି ସାରିଥିଲା। ତହୁଁ, ସେ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ଙ୍କୁ ଅନାଇ, ‘ତୁମେ ଏମାନଙ୍କୁ ସବୁ କେଉଁଠୁ ପାଉଛ? ଏ ତ’ ଅତ୍ୟନ୍ତ ବିଚିତ୍ର ବ୍ୟକ୍ତି ବୋଲି କହିଥିଲେ। ତା’ପରେ ପାକ୍‌ ସାମ୍ବାଦିକଙ୍କୁ ରାଷ୍ଟ୍ରପତି ଟ୍ରମ୍ପ ପଚାରିଥିଲେ, ‘ତୁମେ ୟା’ଙ୍କ (ଇମ୍ରାନ୍‌ ଖାନ୍‌) ଟିମ୍‌ର କି? ତୁମେ ତ’ ଯାହା ଚହୁଁଛ, ଯାହା ଭାବୁଛ, ତା’ କହୁଛ। ତୁମର ତ ଏହା ପ୍ରଶ୍ନ ନୁହେଁ; ରୀତିମତ ଏକ ବକ୍ତବ୍ୟ। ୟା ଉପରେ ମୁଁ ଆଉ କହିବି କ’ଣ?’ ବୋଲି ବିରକ୍ତି ଭରା କଣ୍ଠରେ କହିଥିଲେ।

ସମ୍ବନ୍ଧିତ ଖବର