ଚୀନ ରାଷ୍ଟ୍ରପତି ଜିନପିଙ୍ଗ୍‌ ଏବେ କେଉଁଠି? ସନ୍ଦେହ ବଢ଼ାଉଛି ସେନା ଗତିବିଧି

ବେଜିଂ: ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ୍‌ଙ୍କ ସଂପର୍କରେ ଅନେକ ଗୁଜବ ପ୍ରଚାର ହେଉଛି। ଚୀନରେ ସେନା ବିଦ୍ରୋହ ଠାରୁ ଆରମ୍ଭ କରି ଜିନପିଙ୍ଗଙ୍କୁ ଗୃହବନ୍ଦୀ ରଖାଯିବା, ରାଷ୍ଟ୍ରପତି ଓ ସେନାମୁଖ୍ୟ ଆଦି ପଦରୁ ହଟାଯିବା ଭଳି ଚର୍ଚ୍ଚା ହେଉଛି। ଚୀନ ଏବଂ ଜିନପିଙ୍ଗ୍‌ଙ୍କ ସଂପର୍କରେ ଲୋକଙ୍କ ମନରେ ଏତେସବୁ ଉତ୍ସୁକତା ଦେଖାଦେଇଥିଲେ ମଧ୍ୟ ବେଜିଂ ପୂରା ନିରବ ରହିଛି। ପ୍ରକୃତ ସତ କ’ଣ ସେ ସଂପର୍କରେ ନା ଏହି ଦେଶ କିଛି କହୁଛି ନା ଅନ୍ୟମାନେ ତାହାର କିଛି ପତ୍ତା ପାଉଛନ୍ତି। ଚୀନରେ ଘଟୁଥିବା ପ୍ରାୟତଃ ଅନେକ ଘଟଣାକୁ ବିଶ୍ବ ଜାଣିପାରି ନଥାଏ। ଅତୀତରେ ଏହି ଦେଶ ଗୋପନରେ ଆଣବିକ ପରୀକ୍ଷା କରିବା ହେଉ କିମ୍ବା ଉତ୍ତର କୋରିଆକୁ ଅସ୍ତ୍ରଶସ୍ତ୍ର ଯୋଗାଇବା କମ୍ବା ଉହାନର ଲାବୋରେଟୋରିରୁ କୋଭିଡ-୧୯ ଭଳି ମହାମାରୀର ଉତ୍ପତ୍ତି ହୋଇଥିବା ବିଷୟକୁ ନେଇ ଅନେକ ଖବର ପ୍ରକାଶ ପାଇଥିଲେ ମଧ୍ୟ ଚୀନ ଏସବୁକୁ ସ୍ବୀକାର କରିନାହିଁ।

କିନ୍ତୁ ଜିନପିଙ୍ଗ୍‌ଙ୍କ ସଂପର୍କରେ ବର୍ତ୍ତମାନ ଯାହା ସାମାଜିକ ଗଣମାଧ୍ୟମରେ ପ୍ରସାର ହେଉଛି ସେସବୁ ପାଇଁ ନେଇ ଲୋକଙ୍କ ମନରେ ନାନା କଳ୍ପନାଜଳ୍ପନା ଓ ସନ୍ଦେହ ଉଙ୍କି ମାରିଛି। ସାମାଜିକ ଗଣମାଧ୍ୟମ ଟ୍ବିଟରରେ ସକ୍ରିୟ ବ୍ୟକ୍ତିମାନେ ବିଶ୍ବାସ କରୁଛନ୍ତି ଯେ ଜିନପିଙ୍ଗ୍ କିଛି ଗୋଟେ ବଡ଼ ଧରଣର ରାଜନୈତିକ ସମସ୍ୟା ଦେଇ ଗତି କରୁଛନ୍ତି। ସେମାନଙ୍କ ମତରେ ସେନା ଏବଂ ଶାସକ କମ୍ୟୁନିଷ୍ଟ ପାର୍ଟି ଅଫ୍ ଚୀନ ମଧ୍ୟରେ କିଛି ଭଲ ଚାଲିନାହିଁ। ଏପରିକି କେତେକ କହୁଛନ୍ତି ଯେ ବରିଷ୍ଠ ସାମରିକ କମାଣ୍ଡର ଲି କିଓମିଙ୍ଗ୍‌ ଜିନପିଙ୍ଗ୍‌ଙ୍କ ସ୍ଥାନରେ ଦେଶର ନୂଆ ରାଷ୍ଟ୍ରପତି ହେବେ। କିନ୍ତୁ ଏସବୁ ଗୁଜବ ଉଠୁଥିଲେ ମଧ୍ୟ ଚୀନ ପକ୍ଷରୁ ସରକାରୀ ଭାବେ ଏହାକୁ ଗ୍ରହଣ କରାଯାଉ ନାହିଁ କିମ୍ବା ଖଣ୍ଡନ ବି କରାଯାଉ ନାହିଁ।

ସବୁଠୁ ବଡ଼ ପ୍ରଶ୍ନ ହେଉଛି ଜିନପିଙ୍ଗଙ୍କୁ ସାଧାରଣରେ ଦେଖିବାକୁ ମିଳୁ ନଥିଲେ ମଧ୍ୟ ଦେଶର ବିଦେଶ ମନ୍ତ୍ରାଳୟ କିମ୍ବା ଘରୋଇ ମନ୍ତ୍ରାଳୟ ପକ୍ଷରୁ କୌଣସି ବିବୃତି ରଖାଯାଉନାହିଁ। ଅନ୍ୟ ବଡ଼ ପ୍ରଶ୍ନ ହେଉଛି ଯଦି ଜିନପିଙ୍ଗ ଅଛନ୍ତି ତାହେଲେ କେଉଁଠି? ଖୁବ୍‌ ସମୟ ମଧ୍ୟରେ ଚୀନ କର୍ତ୍ତୃପକ୍ଷ କ’ଣ ପାଇଁ ୯୦୦୦ ବିମାନ ବାତିଲ କରିଥିଲେ? କୌଣସି ପ୍ରଶ୍ନର ଉତ୍ତର ମିଳୁ ନଥିବାରୁ ଚୀନ ଶାସନ ମୁଖ୍ୟଙ୍କ ସଂପର୍କରେ ବିଶ୍ବବାସୀଙ୍କ ମନ ଆନ୍ଦୋଳିତ ହେଉଛି। ଚୀନର ଦୁଇଜଣ ପୂର୍ବତନ ମନ୍ତ୍ରୀ ଦୁର୍ନୀତି ଅଭିଯୋଗରେ ନିକଟରେ ଦଣ୍ଡିତ ହୋଇଛନ୍ତି। ଏହାର କିଛିଦିନ ପରେ ରାଷ୍ଟ୍ରପତି ଗୃହବନ୍ଦୀ ହେବା ସହିତ ସେନା ଶାସନ ଗାଦି ଅକ୍ତିଆର ପାଇଁ ଯୋଜନା ଚଳାଇଛି ବୋଲି କୁହାଯାଉଛି। ବେଜିଂସ୍ଥିତ ଜିନପିଙ୍ଗଙ୍କ ବାସଭବନ ନିକଟରେ ସେନାର ଅପ୍ରତ୍ୟାଶିତ ଆତଯାତ ଦେଖିବାକୁ ନିକଟରେ ମିଳିଥିଲା। ସାମରିକ ଯାନଗୁଡ଼ିକ ତାଙ୍କ ବାସଭବନ ଆଡ଼କୁ ଯାଉଥିଲା। ସାମାଜିକ ଗଣମାଧ୍ୟମରେ ଏସଂକ୍ରାନ୍ତ କିଛି ସନ୍ଦିଗ୍ଧ ଭିଡିଓ ମଧ୍ୟ ଘୂରିବୁଲୁଛି। ଅନ୍ୟକିଛି ‌ସାମାଜିକ ଗଣମାଧ୍ୟମ ବ୍ୟବହାରକାରୀଙ୍କ କହିବାନୁଯାୟୀ, ଦେଶରେ ଶାସନକୁ ସେନା ଅକ୍ତିକାର କରିବା ପ୍ରାୟତଃ ନିଶ୍ଚିତ। ତେବେ ଏହାର ନିର୍ଦ୍ଦିଷ୍ଟ କାରଣ କ’ଣ ତାହା ଦର୍ଶାଯାଇନାହିଁ।

ଚୀନ ସେନାର ସାମରିକ ଗାଡ଼ିଗୁଡ଼ିକ ସେପ୍ଟେମ୍ବର ୨୨ରେ ବେଜିଂ ନିକଟ ହୁଆନଲାଇ କାଉଣ୍ଟିରୁ ଆରମ୍ଭ କରି ହେବେଇ ପ୍ରଦେଶର ଝାଙ୍ଗଜିଆକୋଉ ସିଟି ଯାଏଁ ୮୦ କିମି ପର୍ଯ୍ୟନ୍ତ ଲମ୍ବିଥିଲା। ଚୀନ କମ୍ୟୁନିଷ୍ଟ ପାର୍ଟିର ବରିଷ୍ଠ ନେତାମାନେ ଜନିପିଙ୍ଗଙ୍କୁ ସେନାମୁଖ୍ୟ ପଦରୁ ହଟାଇ ଦେବାପରେ ତାଙ୍କୁ ଗୃହବନ୍ଦୀ କରି ରଖାଯାଇଛି ବୋଲି ଜେନିଫର ଜେଙ୍ଗ୍ ନାମକ ଜଣେ ବ୍ୟକ୍ତି ଟ୍ବିଟ୍ କରିଛନ୍ତି। ତେଣୁ ଏସବୁକୁ ଦେଖିଲେ ଚୀନରେ ସବୁକିଛି ଠିକ୍‌ ନାହିଁ। ଗୋଟେ କିଛି ବଡ଼ ଘଟଣା ଘଟିଛି, ଯାହା ଏପର୍ଯ୍ୟନ୍ତ ପଦାକୁ ଆସିପାରିନାହିଁ। ବିଶେଷକରି ପଡ଼ୋଶୀ ଦେଶ ଭାବେ ଭାରତରେ ଜିନପିଙ୍ଗ୍‌ ଏବଂ ଚୀନ ସଂପର୍କରେ ଜୋରଦାର ଚର୍ଚ୍ଚା ହେଉଛି। ଚୀନ ସହିତ ନିକଟରେ ଆମେରିକାର ସଂପର୍କ ଖରାପ ହୋଇଛି। ଆମେରିକା ପ୍ରତିନିଧି ସଭାର ବାଚସ୍ପତି ନାନ୍ସି ପେଲୋସି ତାଇୱାନ ଗସ୍ତ କରିବା ପରେ ଚୀନ ଏଥିରେ କ୍ଷୁବ୍ଧ ହୋଇଥି‌ଲା। ଦକ୍ଷିଣ ଚୀନ ସାଗରରେ ଯୁଦ୍ଧଜାହାଜ ଏବଂ ତାଇୱାନ ଆକାଶରେ ଲଢ଼ୁଆ ବିମାନ ଉଡ଼ାଇଥିଲା। କିନ୍ତୁ ତାଇୱାନ ଏଥିରେ ନଡ଼ରି ପରିସ୍ଥିତିର ସାମ୍ନା କରିଥିଲା। ଆମେରିକା ଏବଂ ଜାପାନ ଆଦି ଦେଶ ମଧ୍ୟ ତାଇୱାନକୁ ପୂରା ସମର୍ଥନ ଦେବାକୁ ଆଗେଇ ଆସିଥିଲେ। ତେଣୁ ଯଦି ଚୀନ ରାଷ୍ଟ୍ରପତି ସଂକଟରେ ପଡ଼ିଥାନ୍ତି ତାହେଲେ ତାଙ୍କୁ ସହାୟତା ଯୋଗାଇବା ପାଇଁ ‌ବିଶ୍ବର କେଉଁ ନେତା ଆଗେଇ ଆସିବେ ତାହା ଅନୁମାନ କରିବା କଷ୍ଟକର।

ସମ୍ବନ୍ଧିତ ଖବର