ନୂଆଦିଲ୍ଲୀ: ବିବାଦୀୟ ଧର୍ମଗୁରୁ ନିତ୍ୟାନନ୍ଦଙ୍କ ତଥାକଥିତ ଦେଶ ‘ୟୁନାଇଟେଡ୍ ଷ୍ଟେଟ୍ସ ଅଫ୍ କୈଳାସ’ (ୟୁଏସ୍କେ)ର ପ୍ରତିନିଧିମାନେ ଗତ ମାସରେ ମିଳିତ ଜାତିସଂଘ ବୈଠକରେ ଯୋଗ ଦେବା ପରେ ୟୁଏସ୍କେକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।
ଦୁଷ୍କର୍ମ ଓ ଅପହରଣ ଅଭିଯୋଗରେ ନିତ୍ୟାନନ୍ଦ ୨୦୧୯ରେ ପଳାତକ ସାଜି ଭାରତ ଛାଡ଼ି ପଳାଇ ଆସିଥିଲେ ଏବଂ ବର୍ଷକ ପରେ ‘କୈଳାସ’ ନାମରେ ନିଜ ଦେଶ ପ୍ରତିଷ୍ଠା କରିଥିବା ଦାବି କରିଥିଲେ।
ତେବେ, ନିତ୍ୟାନନ୍ଦଙ୍କ ଏହି କାଳ୍ପନିକ ଦେଶ କୈଲାସର ଅବସ୍ଥିତି କେଉଁଠାରେ ତାହା କେହି ଜାଣନ୍ତି ନାହିଁ। କିନ୍ତୁ ସୋସିଆଲ ମିଡିଆରେ ତାଙ୍କ ଅନୁଗାମୀମାନଙ୍କର ଭର୍ଚୁଆଲ ଉପସ୍ଥିତି ଅଛି। ଯେଉଁଠାରେ ସେମାନେ ସେମାନଙ୍କ ଦେଶରେ ଘଟୁଥିବା ବିକାଶ ବିଷୟରେ ଅପଡେଟ୍ ପୋଷ୍ଟ କରୁଛନ୍ତି।
ବିବିସି ଅନୁଯାୟୀ ନିତ୍ୟାନନ୍ଦ ଇକ୍ୱେଡର ଉପକୂଳର ଏକ ଦ୍ୱୀପ କିଣିଥିଲେ, ଯେଉଁଠାରେ ସେ ‘କୈଳାସ’ ପ୍ରତିଷ୍ଠା କରିଥିବା ଦାବି କରୁଛନ୍ତି। କିନ୍ତୁ ଏହାର ଦୃଶ୍ୟ ମିଳିବା କଷ୍ଟକର! ତେବେ, କୈଳାସ ଦେଶର ସୋସିଆଲ ମିଡିଆରେ ଉପସ୍ଥିତି ରହିଛି ଯେଉଁଠାରେ ଏହାର ପ୍ରତିନିଧିମାନେ ନିୟମିତ ଭାବରେ ବିଶ୍ୱର କୂଟନୀତିଜ୍ଞଙ୍କ ସହ ସେମାନଙ୍କର ବାର୍ତ୍ତାଳାପର ଭିଡିଓ ଏବଂ ଫଟୋ ପୋଷ୍ଟ କରୁଛନ୍ତି।
ଅନେକ ରିପୋର୍ଟରେ ଦାବି କରାଯାଇଛି ନିତ୍ୟାନନ୍ଦଙ୍କ ଦେଶ ୟୁଏସ୍କେ ଇକ୍ୱେଡର ନିକଟସ୍ଥ ଏକ ଦ୍ୱୀପରେ ସ୍ଥାପିତ ହୋଇଛି। ତେବେ ନିତ୍ୟାନନ୍ଦ ଦେଶରେ ନାହାନ୍ତି ବୋଲି ସେହି ସମୟରେ ଇକ୍ୱେଡର ସରକାର ବିବିସିକୁ କହିଥିଲେ।
କାଳ୍ପନିକ ଦେଶ ୟୁଏସ୍କେର ୱେବସାଇଟ୍ ଅନୁଯାୟୀ, ‘କୈଳାସ’ ହେଉଛି ଏକ ଆନ୍ଦୋଳନ ଯାହା କାନାଡା, ଯୁକ୍ତରାଷ୍ଟ୍ର ଆମେରିକା ଏବଂ ଅନ୍ୟାନ୍ୟ ଦେଶର ହିନ୍ଦୁ, ଶୈବ ଆଦି ସଂଖ୍ୟାଲଘୁ ସମ୍ପ୍ରଦାୟର ସଦସ୍ୟଙ୍କ ଦ୍ୱାରା ପ୍ରତିଷ୍ଠିତ। ଜାତି, ଧର୍ମ, ଲିଙ୍ଗ, ସମ୍ପ୍ରଦାୟ, ନିର୍ବିିଶେଷରେ ବିଶ୍ୱର ସମସ୍ତ ନିର୍ଯାତିତ ହିନ୍ଦୁମାନଙ୍କ ପାଇଁ ଏହା ଏକ ସୁରକ୍ଷିତ ଆଶ୍ରୟସ୍ଥଳୀ। ଯେଉଁଠାରେ ସେମାନେ ଶାନ୍ତିପୂର୍ଣ୍ଣ ଭାବରେ ବଞ୍ଚିପାରିବେ ଏବଂ ସେମାନଙ୍କର ଆଧ୍ୟାତ୍ମିକତା, କଳା ଏବଂ ସଂସ୍କୃତିକୁ ଅପମାନ, ହସ୍ତକ୍ଷେପ ଏବଂ ହିଂସାରୁ ମୁକ୍ତ ଭାବରେ ପ୍ରକାଶ କରିପାରିବେ ବୋଲି ଘୋଷଣା କରାଯାଇଛି।
ଗୁରୁବାର ୟୁଏସକେର ଟ୍ଵିିଟର ହ୍ୟାଣ୍ଡେଲରେ ଇ-ନାଗରିକତା ଓ ଇ-ଭିସା ପାଇଁ ଆବେଦନ ମଗାଯାଇଥିଲା। ୟୁଏସକେ ପାଖରେ ଏକ ପତାକା, ସମ୍ବିଧାନ, ଏକ ଅର୍ଥନୈତିକ ବ୍ୟବସ୍ଥା, ପାସପୋର୍ଟ ଏବଂ ଏକ ପ୍ରତୀକ ମଧ୍ୟ ଅଛି ବୋଲି ଦାବି କରାଯାଇଛି।