ରାହୁଲ ଗଲେ କୁଆଡ଼େ?

ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଏବେ କେଉଁଠି ଅଛନ୍ତି? ପୁଣି ଗାଏବ ହୋଇଗଲେ କି କଂଗ୍ରେସ ଅଧ୍ୟକ୍ଷ? ଏଭଳି ପ୍ରଶ୍ନ ଏବେ ରାଜନୈତିକ ମହଲରେ ଚର୍ଚାର ପରିସରକୁ ଆସିଛି। ୧୧ ଜାନୁଆରିରେ ପ୍ରବାସୀ ଭାରତୀୟଙ୍କ ସହ ଆଲୋଚନା କରିବା ଲାଗି ଦୁବାଇ ଯାଇଥିଲେ ରାହୁଲ୍। ତା’ପର ଠାରୁ ତାଙ୍କର ଗସ୍ତ ସଂପର୍କରେ କୌଣସି ସୂଚନା ମିଳିନାହିଁ। ଦୁବାଇ ଗସ୍ତ ପରେ କେଉଁ ଆଡ଼େ ଗଲେ କଂଗ୍ରେସ ଅଧ୍ୟକ୍ଷ? ଜାନୁଆରି ୧୧ ତାରିଖ ଦୁବାଇରେ ପ୍ରବାସୀ ଭାରତୀୟଙ୍କୁ ଭେଟିବା ପରେ ରାହୁଲ ଗାନ୍ଧୀଙ୍କୁ ଆଉ ଦେଖିବାକୁ ମିଳି ନ ଥିବା ଜାତୀୟ ଗଣମାଧ୍ୟମ ‘ଦ ପ୍ରିଣ୍ଟ୍’ ଉଲ୍ଲେଖ କରିଛି। ସେହିପରି କୋଲକାତାରେ ମମତା ବାନାର୍ଜୀଙ୍କ ବିରୋଧୀ ମହାରୢାଲିରେ କଂଗ୍ରେସ ଅଧ୍ୟକ୍ଷ ଯୋଗ ନ ଦେବା ଘଟଣା ମଧ୍ୟ ଚର୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ୨୦୧୯ ନିର୍ବାଚନ ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ବିଜେପି ପାଇଁ ପ୍ରଚାର ଆରମ୍ଭ କରିସାରିଥିବା ବେଳେ ରାହୁଲଙ୍କ ଅନୁପସ୍ଥିତି ଯୋଗୁ କଂଗ୍ରେସର କିଛି ନେତା ଅସନ୍ତୁଷ୍ଟ ଥିବା ‘ଦ ପ୍ରିଣ୍ଟ୍’ ଉଲ୍ଲେଖ କରିଛି। ତେବେ କିଛି ନେତା ରାହୁଲ ୟୁରୋପରେ ଥିବା କହିଛନ୍ତି। ପୁଣି ଆଉ କିଛି ନେତା ରାହୁଲ ଗାନ୍ଧୀଙ୍କ ଗସ୍ତ ବିଷୟରେ ଅବଗତ ନାହାନ୍ତି। ବିଗତ ଦିନରେ ବିଭିନ୍ନ ଆଲୋଚନା ପରେ ରାହୁଲ ଗାନ୍ଧୀ ନିଜ ଗସ୍ତ ବିଷୟରେ ଟ୍ୱିଟର ହ୍ୟାଣ୍ଡେଲରେ ଘୋଷଣା କରୁଥିଲେ। ତେବେ ଏହି ନୂଆ ଯାତ୍ରାକୁ କିନ୍ତୁ ବ୍ୟକ୍ତିଗତ ରଖିଛନ୍ତି ରାହୁଲ। ରାହୁଲ ଗାନ୍ଧୀଙ୍କୁ ବିଜେପି ସବୁବେଳେ ନନ୍ ସିରିୟସ୍ ଲିଡର୍ ଭାବେ ସମାଲୋଚନା କରିଆସୁଥିବା ବେଳେ ରାହୁଲଙ୍କ ଅନୁପସ୍ଥିତି ବିଜେପିକୁ ପୁଣି ସୁହାଇବ ବୋଲି ‘ଦ ପ୍ରିଣ୍ଟ୍’ ଉଲ୍ଲେଖ କରିଛି।

ସମ୍ବନ୍ଧିତ ଖବର