ସରକାରଙ୍କୁ ସୁପ୍ରିମ୍‌କୋର୍ଟଙ୍କ ପ୍ରଶ୍ନ: ଚାଷୀ ଆନ୍ଦୋଳନର ଅନ୍ତ କେଉଁଠି?

ରାଜପଥକୁ ସ୍ଥାୟୀ ଅବରୋଧ କରାଯାଇ ପାରିବ ନାହିଁ
କୃଷକଙ୍କୁ ପକ୍ଷଭୁକ୍ତ କରିବା ଲାଗି ଆବେଦନ କରିବେ ସରକାର

ନୂଆଦିଲ୍ଲୀ : ତିନି କୃଷି ଆଇନ ପ୍ରତ୍ୟାହାର ଦାବିରେ ଦିଲ୍ଲୀ ସୀମାରେ ଚାଷୀମାନେ ପାଖାପାଖି ବର୍ଷେ ହେଲା ଆନ୍ଦୋଳନ ଚଳାଇଛନ୍ତି। ଏଥିଯୋଗୁ ରାସ୍ତା ବନ୍ଦ ରହିଛି। ଦୀର୍ଘଦିନ ରହି ରାସ୍ତା ବନ୍ଦ ଥିବାରୁ ଏହି ସମସ୍ୟାର ସମାଧାନ ପାଇଁ ସୁପ୍ରିମ କୋର୍ଟ କହିଛନ୍ତି। ନ୍ୟାୟିକ ଫୋରମ୍ କିମ୍ବା ସଂସଦୀୟ ବିତର୍କ ମାଧ୍ୟମରେ ଏଭଳି ପ୍ରସଙ୍ଗର ସମାଧାନ କରାଯାଇ ପାରିବ। ରାଜପଥକୁ କିଭଳି ଦୀର୍ଘ ଦିନ ଧରି ବନ୍ଦ କରାଯାଇ ପାରିବ ଏବଂ ଏହାର ଅନ୍ତ କେଉଁଠି ବୋଲି ସର୍ବୋଚ୍ଚ ଅଦାଲତ ପ୍ରଶ୍ନ କରିଛନ୍ତି।

ଦିଲ୍ଲୀ ସୀମାରୁ ରାସ୍ତା ଅବରୋଧ ହଟାଇବା ପାଇଁ କରାଯାଇଥିବା ଆବେଦନର ଶୁଣାଣି ସୁପ୍ରିମ କୋର୍ଟର ବିଚାରପତି ସଞ୍ଜୟ କିଷାନ କୌଲ୍ ଏବଂ ଏମ ଏମ ସୁନ୍ଦରେଶଙ୍କ ଖଣ୍ଡପୀଠ କରିଛନ୍ତି। ଶୁଣାଣି ବେଳେ ଖଣ୍ଡପୀଠ କହିଛନ୍ତି, ଅଦାଲତଙ୍କ ଦ୍ବାରା ପ୍ରସ୍ତୁତ ହେଉଥିବା ଆଇନକୁ କାର୍ଯ୍ୟକାରୀ କରିବା ଦାୟିତ୍ବ କାର୍ଯ୍ୟପାଳିକାର। ଏଥିସହିତ ଉତ୍ତର ପ୍ରଦେଶ ଗେଟ୍ ନିକଟରେ ଆନ୍ଦୋଳନ ଯୋଗୁ ବନ୍ଦ ଥିବା ରାସ୍ତାକୁ ଖୋଲିବା ଲାଗି ଉକ୍ତ ମାମଲାରେ କେତେକ କୃଷକ ସଂଗଠନକୁ ପକ୍ଷଭୁକ୍ତ କରିବା ନିମନ୍ତେ ଔପଚାରିକ ଭାବେ ଆବେଦନ ପାଇଁ ମଧ୍ୟ ସୁପ୍ରିମ କୋର୍ଟ କେନ୍ଦ୍ର ସରକାରଙ୍କୁ ଅନୁମତି ପ୍ରଦାନ କରିଛନ୍ତି। ଆବେଦନ ଦାଖଲ ପରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ସୋମବାର ହେବ।

ମୋନିକା ଅଗ୍ରୱାଲ ନାମ୍ନୀ ଜଣେ ନଏଡା ବାସିନ୍ଦା ରାସ୍ତା ଅବରୋଧ ହଟାଇବା ପାଇଁ ପ୍ରାର୍ଥନା କରି ଏକ ପିଟିସନ ଦାଖଲ କରିଛନ୍ତି। ସେ ଦର୍ଶାଇଛନ୍ତି ଆନ୍ଦୋଳନ ପୂର୍ବରୁ ତାଙ୍କୁ ତାଙ୍କ ଅଞ୍ଚଳରୁ ଦିଲ୍ଲୀରେ ପହଞ୍ଚିବା ଲାଗି ୨୦ ମିନିଟ ସମୟ ଲାଗୁଥିଲା। କିନ୍ତୁ ରାସ୍ତା ବନ୍ଦ ଯୋଗୁ ଏବେ ତାଙ୍କୁ ୨ ଘଣ୍ଟା ସମୟ ଲାଗୁଛି। ଏହି ପ୍ରସଙ୍ଗରେ ସରକାର କ’ଣ କରୁଛନ୍ତି ବୋଲି ସୁପ୍ରିମ କୋର୍ଟ ଅତିରିକ୍ତ ସଲିସିଟର ଜେନେରାଲ କେ ଏମ ନଟରାଜଙ୍କୁ ପଚାରିଥିଲେ। ‌ ନଟରାଜ କହିଥିଲେ, ଆନ୍ଦୋଳନରତ କୃଷକଙ୍କ ସହିତ ବୈଠକ ଡକାଯାଇଥିଲା। ଏ ସଂପର୍କିତ ବିସ୍ତୃତ ରିପୋର୍ଟ ସତ୍ୟପାଠରେ ଉଲ୍ଲେଖ ରହିଛି। ଖଣ୍ଡପୀଠ କହିଥିଲେ ଯେ ଆମେ ଏକ ନିର୍ଦ୍ଦେଶନାମା ଦେଇପାରୁ। କିନ୍ତୁ ତାହାକୁ ଅଦାଲତ କାର୍ଯ୍ୟକାରୀ କରିପାରିବ ନାହିଁ। ଆଇନକୁ କାର୍ଯ୍ୟକାରୀ କରିବା କାମ କାର୍ଯ୍ୟପାଳିକାର। ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ମଧ୍ୟ ଆଇନକୁ କାର୍ଯ୍ୟକାରୀ କରିବା ଦାୟିତ୍ବ କାର୍ଯ୍ୟପାଳିକାର ବୋଲି ଖଣ୍ଡପୀଠ ସହ ଏକମତ ହୋଇଥିଲେ।

ଖଣ୍ଡପୀଠ ଏହା ମଧ୍ୟ କହିଥିଲେ ଯେ ଆମେ ନିର୍ଦ୍ଦେଶ ଦେଲେ ତୁମେ କହିବ କାର୍ଯ୍ୟପାଳିକାର କାମ ଭିତରକୁ ନ୍ୟାୟପାଳିକା ଅନୁପ୍ରବେଶ କରୁଛି। ଏହାର ଅନ୍ୟାନ୍ୟ ପରିଣାମ ମଧ୍ୟ ରହିଛି। କିନ୍ତୁ ଅଭିଯୋଗର ସମାଧାନ ହେବା ମଧ୍ୟ ଆବଶ୍ୟକ ବୋଲି ଖଣ୍ଡପୀଠ କହିଛନ୍ତି। ମେହେଟ୍ଟା କହିଥିଲେ ଯେ କୃଷକମାନଙ୍କ ସମସ୍ୟା ସମାଧାନ ପାଇଁ ୩ ଜଣିଆ କମିଟି ଗଠନ ହୋଇଛି। କିନ୍ତୁ କୃଷକ ସଂଘଗୁଡ଼ିକ ଆଲୋଚନାରେ ଯୋଗଦେବାକୁ ମନା କରୁଛନ୍ତି। କୃଷକ ସଂଘକୁ ପକ୍ଷଭୁକ୍ତ କରିବା ଲାଗି କୋର୍ଟ ଆବେଦନକାରୀଙ୍କୁ ଉକ୍ତ ଆବେଦନରେ ଅନୁମତି ଦିଅନ୍ତୁ। ଏହାହେଲେ ପରେ ସେମାନେ କହିପାରିବେ ନାହିଁ ଯେ ସେମାନଙ୍କୁ ପକ୍ଷ କରାଯାଇ ନଥିଲା। ଏହାପରେ ଖଣ୍ଡପୀଠ ମେହେଟ୍ଟାଙ୍କୁ କହିଥିଲେ କୃଷକ ପ୍ରତିନିଧିମାନଙ୍କୁ ପକ୍ଷ କରିବା ପାଇଁ ତାଙ୍କୁ ହିଁ ଆବେଦନ କରିବାକୁ ହେବ। କାରଣ ଜଣେ ସାଧାରଣ ବ୍ୟକ୍ତି କୃଷକ ସଂଗଠନର ନେତା କିଏ ତାହା ଜାଣିପାରିବେ ନାହିଁ। କୃଷକମାନଙ୍କୁ ପକ୍ଷଭୁକ୍ତ କରିଲେ ସମସ୍ୟାର କିଭଳି ସମାଧାନ ହୋଇପାରିବ ତାହା ଜଣାଇବା ପାଇଁ କହିବା ସହିତ ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ୪ ତାରିଖରେ କରିବାକୁ ଧାର୍ଯ୍ୟ କରିଛନ୍ତି। ଶୁକ୍ରବାର କୃଷକ ମାନଙ୍କୁ ପକ୍ଷଭୁକ୍ତ କରିବା ପାଇଁ ଆବଦେନ କରାଯିବ ବୋଲି ମେହେଟ୍ଟା କହିଛନ୍ତି। ଉଲ୍ଲେଖଯୋଗ୍ୟ ଯେ କେନ୍ଦ୍ର ସରକାର ଦିଲ୍ଲୀର ପଡ଼ୋଶୀ ରାଜ୍ୟ ସରକାରଙ୍କ ସହ ମିଶି ରାସ୍ତା ବନ୍ଦ ସମସ୍ୟାର ସମାଧାନ ବାହାର କରିବାକୁ ସୁପ୍ରିମ କୋର୍ଟ ଗତ ଅଗଷ୍ଟ ୨୩ ତାରିଖରେ କହିଥିଲେ।

ସମ୍ବନ୍ଧିତ ଖବର