ବିରୋଧୀଙ୍କ ପରେ କୋଭିଡ-୧୯ ଭ୍ୟାକ୍ସିନ ନୀତିକୁ ନେଇ ଏବେ କେନ୍ଦ୍ରକୁ ଘେରିଲେ କୋର୍ଟ
ନୂଆଦିଲ୍ଲୀ: କରୋନାର ଦ୍ୱିତୀୟ ଲହରର ପ୍ରଭାବ କମ କରିବା ଓ ତୃତୀୟ ଲହରରୁ ବଞ୍ଚିବା ପାଇଁ ଦେଶରେ ଟିକାକରଣ ଜାରି ରହିଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ମୁତାବକ ଏପର୍ଯ୍ୟନ୍ତ ଦେଶରେ ୨୨ କୋଟିରୁ ଅଧିକ ଲୋକଙ୍କୁ ଟିକା ଦିଆଯାଇ ସାରିଛି । ହେଲେ କେନ୍ଦ୍ର ସରକାରଙ୍କ ତରଫରୁ ଯେଭଳି ଭାବେ ଭ୍ୟାକ୍ସିନ ନୀତିକୁ ଆଗକୁ ବଢାଯାଉଛି ତାହାକୁ ନେଇ ପ୍ରଥମେ ବିରୋଧୀ ଓ ଏବେ କୋର୍ଟ ପ୍ରଶ୍ନ ଉଠାଇଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରସ୍ତୁତ କରାଯାଇଥିବା ଟିକା ନୀତିକୁ ପ୍ରଥମେ ବିରୋଧୀ ଦଳମାନେ ଫେଲ୍ ହୋଇଥିବା ଦର୍ଶାଇବା ପରେ ଏବେ ସୁପ୍ରିମକୋର୍ଟ ବି ଏହା ଉପରେ ପ୍ରଶ୍ନ ଉଠାଇଛନ୍ତି । ଫଳରେ ବିଶ୍ୱରେ ସବୁଠାରୁ ବଡ଼ ଟିକାକରଣ ଅଭିଯାନ ଚଳାଉଛନ୍ତି ବୋଲି ପ୍ରଚାର କରୁଥିବା କେନ୍ଦ୍ର ସରକାର ଏବେ ଚାରିପଟୁ ଘେରାବନ୍ଦୀ ହୋଇଛନ୍ତି ।
କେନ୍ଦ୍ର ସରକାରଙ୍କର ଟିକାକରଣ ନୀତିକୁ ନେଇ ସୁପ୍ରିମକୋର୍ଟ ଗମ୍ଭୀର ପ୍ରଶ୍ନ ଉଠାଇଛନ୍ତି । କୋର୍ଟ ତରଫରୁ କେନ୍ଦ୍ର ସରକାରଙ୍କୁ ପଚରାଯାଇଛି କି, ୧୮ ରୁ ୪୪ ବର୍ଷର ଲୋକଙ୍କ ପାଇଁ ସରକାର ପ୍ରସ୍ତୁତ କରିଥିବା ଟିକାନୀତି ଏବେ ତର୍କହୀନ ଓ ମନମାନି ନୁହେଁ କି? ଏହାସହ ସାଧାରଣ ବଜେଟରେ ଭ୍ୟାକ୍ସିନ ପାଇଁ ଘୋଷିତ ହୋଇଥିବା ୩୫ ହଜାର କୋଟି ସରକାର କେଉଁଠି ଖର୍ଚ୍ଚ କରିଛନ୍ତି ବୋଲି କୋର୍ଟ ପ୍ରଶ୍ନ କରିଛନ୍ତି ।
ଅନ୍ୟପଟେ ଟିକାକରଣରେ ଡେରି ହେଉଥିବାକୁ ନେଇ କୋର୍ଟ କହିଛନ୍ତି କି ଯେତେବେଳେ ନାଗରିକଙ୍କ ଅଧିକାର ସଂକଟରେ ସେତେବେଳେ କୋର୍ଟ ଚୁପ ହୋଇ ବସିପାରିବ ନାହିଁ । ଏଭଳି ଭାବେ ସୁପ୍ରିମକୋର୍ଟ ଭ୍ୟାକ୍ସିନ ନୀତିକୁ ନେଇ କେନ୍ଦ୍ର ସରକାରଙ୍କୁ ପୂରା ହିସାବ ମାଗିଛନ୍ତି । ଏବେ କେନ୍ଦ୍ରକୁ କୋର୍ଟରେ ଯବାବ୍ ଦେବାକୁ ହେବ କି, ସରକାର କେବେ କେବେ ଭ୍ୟାକ୍ସିନ କିଣିଛନ୍ତି । ପୂରା ଦେଶର ଲୋକଙ୍କୁ ଟିକା ଲଗାଇବାକୁ କ’ଣ ଯୋଜନା ରହିଛି । କୋର୍ଟ ୨ ସପ୍ତାହ ମଧ୍ୟରେ ଏହାର ଜବାବ୍ ଦେବାକୁ ସରକାରଙ୍କୁ କହିଛନ୍ତି ।