୨୦୦୫ ପୂର୍ବରୁ ଜନ୍ମିତ କନ୍ୟାଙ୍କର ବି ପୈତୃକ ସମ୍ପତ୍ତିରେ ଭାଗ ରହିଛି

ନୂଆଦିଲ୍ଲୀ: ୨୦୦୫ ମସିହା ପୂର୍ବରୁ ଜନ୍ମ ଗ୍ରହଣ କରିଥିବା ସମସ୍ତ କନ୍ୟା ସନ୍ତାନଙ୍କୁ ମଧ୍ୟ ନିଜ ପିତାଙ୍କ ସମ୍ପତ୍ତିରେ ଅଧିକାର ରହିଛି। ପୈତୃକ ସମ୍ପତ୍ତିରେ କନ୍ୟାଙ୍କ ସମଭାଗ ସମ୍ପର୍କିତ ଏକ ମାମଲାର ବିଚାର କରି ସୁପ୍ରିମକୋର୍ଟ ଏହି ରାୟ ଦେବା ସହ ୨୦୧୫ ମସିହାରେ ଦେଇଥିବା ନିଜର ଏକ ରାୟକୁ ଖଣ୍ଡନ କରିଛନ୍ତି। ମାମଲାର ବିଚାର କରି ସୁପ୍ରିମକୋର୍ଟର ବିଚାରପତି ଜଷ୍ଟିସ୍‌ ଏ କେ ସିକ୍ରି ଓ ଅଶୋକ ଭୂଷଣଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି ଯେ ଦେଶରେ ହିନ୍ଦୁ ଉତ୍ତରାଧିକାର ଆଇନ (ସଂଶୋଧିତ) ୨୦୦୫ରେ ଲାଗୁ ହୋଇଥିଲା । ଏଥିରେ ପୈତୃକ ସମ୍ପତ୍ତିରେ କନ୍ୟାଙ୍କୁ ସମାନ ଭାଗର ବ୍ୟବସ୍ଥା ରହିଥିଲା। ତେବେ ତାହା ପୂର୍ବରୁ ଜନ୍ମ ଗ୍ରହଣ କରିଥିବା କନ୍ୟାଙ୍କୁ ସେମାନଙ୍କ ଏହି ଅଧିକାରରୁ ବଞ୍ଚତ କରାଯାଇପାରିବ ନାହିଁ। ହିନ୍ଦୁ ପରିବାର ସମ୍ବନ୍ଧିତ ଆଇନ ମିତାକ୍ଷର ଆଇନ ଦ୍ୱାରା ନିୟନ୍ତ୍ରିତ। ପରିବାରର ଆବଶ୍ୟକତା ଅନୁସାରେ କନ୍ୟା ସନ୍ତାନଙ୍କୁ ସମ ଅଧିକାର ଦେବା ପାଇଁ ସମୟାନୁସାରେ ଅନେକ ପରିବର୍ତନ କରାଯାଇଛି। ଏହି ପରିବର୍ତନ ସମାନତାର ମୂଳଭିତ୍ତି। ଏହାଦ୍ୱାରା ସମାଜରେ କନ୍ୟା ସନ୍ତାନ ପ୍ରତି ରହିଥିବା ପକ୍ଷପାତିତା ଓ ସାମାଜିକ ବିକଳାଙ୍ଗତା ଦୂର ହୋଇପାରିବ।

ସୂଚନାନୁସାରେ, ୨୦୦୭ରେ ଦୁଇଜଣ ମହିଳା ପୈତୃକ ସମ୍ପତ୍ତିରେ ନିଜର ଅଧିକାର ଦାବି କରି ନିମ୍ନ ଅଦାଲତରେ ଏକ ମାମଲା ଦାଏର କରିଥିଲେ। ଏହି ମାମଲାର ବିଚାର କରି ଅଦାଲତ ରାୟ ଦେଇଥିଲେ ଯେ ଯେହେତୁ ୨୦୦୫ରେ ନୂତନ ହିନ୍ଦୁ ଉତ୍ତରାଧିକାର ଆଇନ ଲାଗୁ ହୋଇଛି, ଏହାପୂର୍ବରୁ ଜନ୍ମିତ କନ୍ୟା ନିଜ ପୈତୃକ ସମ୍ପତ୍ତିରେ କୌଣସି ଭାଗ ଦାବି କରିପାରିବେ ନାହିଁ। ଏହା ପରେ ସମ୍ପୃକ୍ତ ମହିଳା ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଥିଲେ। ପୂର୍ବରୁ ଅନ୍ୟ ଏକ ମାମଲାରେ ସୁପ୍ରିମକୋର୍ଟ କହିଥିଲେ ଯେ ଯେଉଁ କନ୍ୟାମାନଙ୍କ ପିତା ୨୦୦୫ ପୂର୍ବରୁ ଦେହତ୍ୟାଗ କରିଛନ୍ତି ସେମାନଙ୍କୁ ୨୦୦୫ ହିନ୍ଦୁ ଉତ୍ତରାଧିକାର ଆଇନ ଅନ୍ତର୍ଗତ ଅଧିକାର ମିଳିପାରିବ ନାହିଁ। ମାତ୍ର ଏହି ସଂଶୋଧିତ ଆଇନ ସାମାଜିକ ସଂସ୍କାର ପାଇଁ ଉଦ୍ଦିଷ୍ଟ, ତେଣୁ ଏହାର ପ୍ରୟୋଗରେ ସମୟର କୌଣସି ପ୍ରତିବନ୍ଧକ ନାହିଁ ବୋଲି ଆଜି ମାନ୍ୟବର ଖଣ୍ଡପୀଠ ଟିପ୍ପଣୀ କରିଛନ୍ତି।

ସମ୍ବନ୍ଧିତ ଖବର