ପ୍ରଧାନମନ୍ତ୍ରୀଙ୍କ ସହିତ ବିଦେଶ ଗସ୍ତ କରୁଥିବା ବ୍ୟକ୍ତିଙ୍କ ନାମ ଜଣାଅ

ପିଏମ୍‌ ଓକୁ ମୁଖ୍ୟ ସୂଚନା କମିସନରଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ ବିଦେଶ ଯାତ୍ରାରେ ଯାଉଥିବା ବ୍ୟକ୍ତିଙ୍କ ନାମ ପ୍ରଘଟ କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମ୍‌୍‌୍‌ଓ) ମନା କରିପାରିବ ନାହିଁ ଏବଂ ଏ ବାବଦ ସୂଚନା ପ୍ରଦାନ କରିବାକୁ ବାଧ୍ୟ ବୋଲି ମୁଖ୍ୟ ସୂଚନା କମିସନର (ସିଆଇସି) ଆର୍‌.କେ ମାଥୁର ନିର୍ଦ୍ଦେଶ ଦେଇଛନ୍ତି। ଜାତୀୟ ସୁରକ୍ଷାର ଦ୍ୱାହି ଦେଇ ଏ ବାବଦ ସୂଚନାକୁ ପିଏମ୍‌୍‌ଓ ଅଟକାଇ ପାରିବ ନାହିଁ ବୋଲି କମିସନର ତାଙ୍କ ନିର୍ଦ୍ଦେଶରେ ସ୍ପଷ୍ଟ କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ସହିତ ବିଦେଶ ଯାତ୍ରାରେ ଯାଉଥିବା ପ୍ରତିନିଧି ମଣ୍ଡଳର ସଦସ୍ୟଙ୍କ ନାମ ୩୦ ଦିନ ମଧ୍ୟରେ ପ୍ରଦାନ କରିବାକୁ କୁହାଯାଇଛି। ପୂର୍ବରୁ ଏ ବାବଦ ତଥ୍ୟ ନଦେଇ ପିଏମ୍‌ଓ ଜାତୀୟ ସୁରକ୍ଷାର ଦ୍ୱାହି ଦେଇଥିଲେ। ତେବେ ଏହି ଯୁକ୍ତିକୁ ସିଆଇସି ଖାରଜ କରିଦେଇଛନ୍ତି। ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ସହିତ ଜଡ଼ିତ ବ୍ୟକ୍ତି ବିଶେଷଙ୍କ ନାମ ପ୍ରଘଟ କରାଯିବ କି ନାହିଁ ସେ ନିଷ୍ପତ୍ତି କେବଳ ପ୍ରଧାନମନ୍ତ୍ରୀଙ୍କ ଦପ୍ତରର, ଅନ୍ୟ ବ୍ୟକ୍ତିଙ୍କ ସଂପର୍କରେ ଜଣାଇବାରେ କିଛି ସମସ୍ୟା ନାହିଁ ବୋଲି ସିଆଇସି ସ୍ପଷ୍ଟ କରିଛନ୍ତି। ଯେଉଁ ବେସରକାରୀ ବ୍ୟକ୍ତି ପ୍ରଧାନମନ୍ତ୍ରୀଙ୍କ ସହିତ ଗସ୍ତରେ ଯାଉଛନ୍ତି ଏବଂ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ସହ ସେମାନଙ୍କର କୌଣସି ସଂପର୍କ ନାହିଁ ସେମାନଙ୍କ ନାମ ଆବେଦନକାରୀଙ୍କୁ ଜଣାଇବାକୁ ମୁଖ୍ୟ ସୂଚନା କମିସନର ତାଙ୍କ ନିର୍ଦ୍ଦେଶରେ କହିଛନ୍ତି। ଆବେଦନକାରୀ ନିରଜ୍‌ ଶର୍ମା ଏବଂ ଆୟୁବ ଅଲ୍ଲୀଙ୍କ ଆବେଦନ ଉପରେ ପିଏମ୍‌୍‌ଓ କୌଣସି ଜବାବ ନଦେବାରୁ ସେମାନେ ମୁଖ୍ୟ ସୂଚନା କମିସନରଙ୍କ ଦ୍ୱାରସ୍ଥ ହୋଇଥିଲେ। ଶର୍ମା ତାଙ୍କ ଆବେଦନରେ ପ୍ରଧାନମନ୍ତ୍ରୀଙ୍କ ସହିତ ଯାଉଥିବା ବେସରକାରୀ ବ୍ୟକ୍ତିଙ୍କ ତାଲିକା ମାଗିଥିଲେ। ଅଲ୍ଲୀ ପ୍ରଧାନମନ୍ତ୍ରୀଙ୍କ ବାସଭବନ ଏବଂ କାର୍ଯ୍ୟାଳୟର ମାସିକ ବ୍ୟୟ, ତାଙ୍କୁ ଭେଟିବା ପାଇଁ ପ୍ରକ୍ରିୟା, ପ୍ରଧାନମନ୍ତ୍ରୀ ନିଜ ବାସଭବନ ଏବଂ କାର୍ଯ୍ୟଳୟରେ କେତେ ସଂଖ୍ୟକ ଲୋକଙ୍କୁ ଭେଟିଛନ୍ତି ଏବଂ ପ୍ରଧାନମନ୍ତ୍ରୀ କେତୋଟି ନିର୍ବାଚନୀ ସଭାରେ ଉଦ୍‌୍‌ବୋଧନ ଦେଇଛନ୍ତି , ସେ ସଂପର୍କିତ ସୂଚନା ଓ ଖର୍ଚ୍ଚ ବିବରଣୀ ମାଗିଥିଲେ। ଶର୍ମା ୨୦୧୭ରେ ଏ ସଂକ୍ରାନ୍ତ ତଥ୍ୟ ସୂଚନା ଅଧିକାର ଆଇନ ବଳରେ ମାଗିଥିବା ବେଳେ ଅଲ୍ଲୀ ୨୦୧୬ରେ ସୂଚନା ମାଗିଥିଲେ। ଏ ବାବଦ ସୂଚନା ୩୦ ଦିନ ଭିତରେ ପ୍ରଦାନ କରିବାକୁ ସିଆଇସି ନିର୍ଦ୍ଦେଶ ଦେଇଥିବାରୁ ଏଥି ନେଇ ପିଏମ୍‌୍‌ଓର ଆଭିମୁଖ୍ୟ କ’ଣ ହେବ ତାହା ଉପରେ ସମସ୍ତଙ୍କ ନଜର ରହିଛି ।

ସମ୍ବନ୍ଧିତ ଖବର