ଅଯୋଧ୍ୟା ମନ୍ଦିର କେଉଁ ରାମ ରାଜ୍ୟ ଆଣିବ?

ଆମ୍ବେଦକର ନା ଗାନ୍ଧୀଙ୍କର?

ନୂଆଦିଲ୍ଲୀ: ଅଯୋଧ୍ୟାରେ ରାମ ମନ୍ଦିର ଭୂମି ପୂଜନ ଆଜି ସାରା ବିଶ୍ବର ଦୃଷ୍ଟି ଆକର୍ଷଣ କରିଛି। ବିଜେପି ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ରାମ ରାଜ୍ୟ ଏବଂ ହିନ୍ଦୁ ରାଷ୍ଟ୍ର ଲକ୍ଷ୍ୟ ଉପରେ ମଧ୍ୟ ସାରା ବିଶ୍ବର ନଜର କେନ୍ଦ୍ରୀଭୂତ ହୋଇଛି । କିନ୍ତୁ ରାମ ରାଜ୍ୟର ଧାରଣା କେବେହେଲେ ବିନା ପ୍ରତିଦ୍ବନ୍ଦ୍ବିତାରେ ସମ୍ଭବ ନୁହେଁ। ମହାତ୍ମା ଗାନ୍ଧୀଙ୍କଠାରୁ ଆରମ୍ଭ କରି ବି.ଆ‌ର୍‌ ଆମ୍ବେଦକର ଏବଂ ମୋଦୀଙ୍କ ରାମରାଜ୍ୟ ଭାରତୀୟ ସଭ୍ୟତା ବିଷୟରେ ଏକ ଭିନ୍ନ ଦୃଷ୍ଟିକୋଣ ପ୍ରଦାନ କରିଛି। ଭାରତୀୟ ସ୍ବାଧୀନତା ଆନ୍ଦୋଳନର ଜଣେ ସର୍ବୋଚ୍ଚ ନେତା ମହାତ୍ମା ଗାନ୍ଧୀଙ୍କର ଭାରତରେ ରାମରାଜ୍ୟ ଆଣିବା ଏକ ପ୍ରମୁଖ ଲକ୍ଷ୍ୟ ଥିଲା। ତେବେ ତାଙ୍କ ରାମ ରାଜ୍ୟ ବିଚାରଧାରା ସମ୍ପୂର୍ଣ୍ଣ କାଳ୍ପନିକ ଥିଲା। ସେ ମଧ୍ୟ ତାଙ୍କ ଭାଷାରେ ରାମ ରାଜ୍ୟର ସଂଜ୍ଞାକୁ ବାରମ୍ବାର ବଦଳାଇଛନ୍ତି। ୧୯୨୯ରେ ଗାନ୍ଧୀ ଲେଖିଥିଲେ- ରାମାୟଣର ପ୍ରାଚୀନ ଆଦର୍ଶ ନିଃସନ୍ଦେହରେ ପ୍ରକୃତ ଗଣତନ୍ତ୍ର ମଧ୍ୟରୁ ଗୋଟିଏ ଯେଉଁଥିରେ ସାଧାରଣ ନାଗରିକ ଏକ ବିସ୍ତୃତ ଏବଂ ବ୍ୟୟବହୁଳ ପ୍ରକ୍ରିୟା ବିନା ଶୀଘ୍ର ନ୍ୟାୟ ପାଇପାରିବେ। ଗାନ୍ଧୀଙ୍କ ମତରେ ଏକ ପ୍ରକୃତ ରାମରାଜ୍ୟ ଜଣେ ରାଜା ଏବଂ ଦରିଦ୍ର ପାଇଁ ସମାନ ଅଧିକାର ପ୍ରଦାନ କରିବେ। କିନ୍ତୁ ପରେ ଗାନ୍ଧୀ କହିଥିଲେ ତାଙ୍କ ରାମ ରାଜ୍ୟର ଚିନ୍ତାଧାରା ହିନ୍ଦୁ ରାଷ୍ଟ୍ରଠାରୁ ଭିନ୍ନ। ୨ ଥର ସେ ଅଯୋଧ୍ୟା ଗସ୍ତ କରିଥିଲେ ବୋଲି ତାଙ୍କ ଭାଷଣରେ କହିଥିଲେ।

ଏ ପ୍ରସଙ୍ଗରେ ବି.ଆର୍‌ ଆମ୍ବେଦକରଙ୍କ ଚିନ୍ତାଧାରା‌ ଥିଲା ଭିନ୍ନ। ଆମ୍ବେଦକରଙ୍କର କିଛି କାର୍ଯ୍ୟରୁ ଏହା ଜଣାପଡ଼ିଛି ଯେ, ସେ ରାମରାଜ୍ୟର ବିଚାର ଏବଂ ଆଦର୍ଶରେ ଆଦୌ ଅନୁପ୍ରାଣିତ ହୋଇନଥିଲେ। ଆମ୍ବେଦକରଙ୍କ ଅନୁଯାୟୀ ରାମରାଜ୍ୟ ଚତୁର୍ବଣ୍ଣ୍ୟ ଉପରେ ଆଧାରିତ। ରାମଙ୍କ ଚରିତ୍ରକୁ ନେଇ ଆମ୍ବେଦକରଙ୍କ ଦ୍ବାରା ହୋଇଥିବ‌ା ଏକ ଉପସ୍ଥାପନାରେ ‌ସେ କହିଥିଲେ ଯେ, ଅଯୋଧ୍ୟାର ରାଜା ବର୍ଣ୍ଣ ବ୍ୟବସ୍ଥାର ଜଣେ ରକ୍ଷାକର୍ତ୍ତା। ଆମ୍ବେଦକର ଯୁକ୍ତି ବାଢ଼ିଥିଲେ ଯେ, ଲୋକମାନଙ୍କୁ ୪ଟି ଭିନ୍ନ ଶ୍ରେଣୀରେ ବିଭକ୍ତ କରିବା କେବଳ ଅସମ୍ଭବ ନୁହେଁ ବରଂ ଏହି ଚତୁର୍ବର୍ଣ୍ଣ ପଦ୍ଧତି ନିରନ୍ତର ଅସାଧୁମାନଙ୍କୁ ସାମ୍ନା କରିବ। ଯଦି ପାପ ପାଇଁ କୌଣସି ଦଣ୍ଡ ବ୍ୟବସ୍ଥ‌ା ନରହେ ତେବେ ସମ୍ପୂର୍ଣ୍ଣ ପଦ୍ଧତି ହିଁ ଭାଙ୍ଗି ପଡ଼ିବ। କିନ୍ତୁ ସ୍ବାଧୀନତା ପରେ କଂଗ୍ରେସ ଏବଂ ଆରଏସଏସ୍‌ଠାରୁ ଆରମ୍ଭ କରି ଅନେକ ରାଜନୈତିକ ଦଳ ଏବଂ ଅନୁଷ୍ଠାନ ରାମ ରାଜ୍ୟ ଆଣିବାର ପ୍ରତିଶ୍ରୁତି ଦେଇଛନ୍ତି। ବିଳମ୍ବିତ ୧୯୮୦ ଦଶକରେ ଏହି ଚିନ୍ତାଧାରା ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧିଙ୍କର ପ୍ରାଥମିକ ଲକ୍ଷ୍ୟ ଥିଲା। ତେବେ ୨୦୧୪ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କ୍ଷମତାକୁ ଆସିବାପରେ ଏହାକୁ ଏକ ନୂତନ ସ୍ତରକୁ ନିଆଗଲା। ତେବେ ହିନ୍ଦୁ ରାଷ୍ଟ୍ର ଆଣିବାପାଇଁ ଆରଏସ୍‌ଏସ୍‌-ବିଜେପି ଅନିର୍ଦ୍ଦିଷ୍ଟ ଲକ୍ଷ୍ୟରେ ଏକ ଦୀର୍ଘ ରାସ୍ତା ଅତିକ୍ରମ କରିଛନ୍ତି। ଅଯୋଧ୍ୟାରେ ଏକ ବିଶାଳ ରାମ ମନ୍ଦିର ସହ ମୋଦୀ ଭାରତର ରାମ ରାଜ୍ୟ ନେଇ ଗାନ୍ଧୀ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇପାରନ୍ତି, କିନ୍ତୁ ଆମ୍ବେଦକର ପରୀକ୍ଷାରେ ଏହା ବିଫଳ ହେବ ବୋଲି ଅନେକ ମତ ଦେଇଛନ୍ତି।

ସମ୍ବନ୍ଧିତ ଖବର