ପର୍ବପର୍ବାଣି ପାଇଁ କିଣାକିଣି ବେଳେ ‘ଭୋକାଲ ଫର ଲୋକାଲ’ ହୁଅନ୍ତୁ; ସ୍ୱଦେଶୀକୁ ଦିଅନ୍ତୁ ବିଶ୍ୱ ପରିଚୟ; ‘ମନ୍‌ କି ବାତ୍‌’ରେ ଦେଶବାସୀଙ୍କୁ ଆହ୍ଵାନ ଦେଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ଆଜି ବିଜୟାଦଶମୀ ଅର୍ଥାତ୍‌ ଦଶହରା ପର୍ବ। ଏହି ପବିତ୍ର ଅବସରରେ ଆପଣ ସମସ୍ତଙ୍କୁ ଅନେକ ଅନେକ ଶୁଭକାମନା। ଦଶହରାର ଏହି ପର୍ବ ହେଉଛି ଅସତ୍ୟ ଉପରେ ସତ୍ୟର ବିଜୟ ପର୍ବ। କିନ୍ତୁ ତା’ ସଙ୍ଗେ ସଙ୍ଗେ, ଏହା ଏକ ପ୍ରକାର ସଙ୍କଟ ଉପରେ ଧୈଯ୍ୟର ମଧ୍ୟ ବିଜୟ ପର୍ବ। ଆଜି ଆପଣ ସମସ୍ତେ ଅତ୍ୟଧିକ ସଂଯମତା ସହିତ ଜୀବନଯାପନ କରୁଛନ୍ତି, ମର୍ଯ୍ୟାଦାର ସୀମାରେ ରହି ପର୍ବ-ପର୍ବାଣୀ ପାଳନ କରୁଛନ୍ତି, ତେଣୁ ଆମେ ଚଳାଇଥିବା ସଂଗ୍ରାମରେ ବିଜୟ ସୁନିଶ୍ଚିତ। ପୂର୍ବରୁ, ଦୁର୍ଗା ମଣ୍ଡପଗୁଡ଼ିକରେ ମା’ଙ୍କ ଦର୍ଶନ ପାଇଁ ଏତେ ଭିଡ଼ ହେଉଥିଲା, ଯାହା ଗୋଟିଏ ମେଳା ଭଳି ପରିବେଶ ସୃଷ୍ଟି କରୁଥିଲା। କିନ୍ତୁ ଏଥର ତାହା ହୋଇପାରିଲାନି। ଆଗରୁ, ଦଶହରା ସମୟରେ ବି ବଡ଼ ବଡ଼ ମେଳାର ଆୟୋଜନ ହେଉଥିଲା, କିନ୍ତୁ ଏଥର ସେଗୁଡ଼ିକର ରୂପ ମଧ୍ୟ ଭିନ୍ନ। ରାମଲୀଳା ପର୍ବର ମଧ୍ୟ ଖୁବ ଆକର୍ଷଣ ରହୁଥିଲା। କିନ୍ତୁ ଏଥର ତାହା ଉପରେ ମଧ୍ୟ ଅନେକ କଟକଣା ଲାଗିଛି। ପୂର୍ବେ ନବରାତ୍ର ଅବସରରେ ଗୁଜରାଟର ଗଡ଼ବାର ଗୁଞ୍ଜନ ସବୁଆଡ଼େ ଶୁଣିବାକୁ ମିଳୁଥିଲା, କିନ୍ତୁ, ଏଥର ସମସ୍ତ ବଡ଼ ଆୟୋଜନ ବନ୍ଦ ରହିଛି। ଆଗକୁ ଆହୁରି ଅନେକ ପର୍ବପର୍ବାଣି ଆସୁଛି। ଇଦ୍‌, କୁମାର ପୂର୍ଣ୍ଣିମା, ବାଲ୍ମିକୀ ଜୟନ୍ତୀ, ଧନତେରସ୍‌, ଦୀପାବଳି, ଭାତୃ-ଦ୍ୱିତୀୟା, ଛଠ୍‌ ପୂଜା, ଗୁରୁ ନାନକ ଦେବଙ୍କ ଜୟନ୍ତୀ ମଧ୍ୟ ରହିଛି। ହେଲେ, କରୋନାର ଏହି ସଙ୍କଟ ସମୟରେ ଆମକୁ ସଂଯମ ଆଚରଣ କରିବାକୁ ହେବ, ମର୍ଯ୍ୟାଦାର ସୀମା ମଧ୍ୟରେ ହିଁ ରହିବାକୁ ହେବ ବୋଲି ଆଜି ନିଜର ‘ମନ୍‌ କି ବାତ୍‌’ର କାର୍ଯ୍ୟକ୍ରମର ସପ୍ତଦଶ ଅଧ୍ୟାୟରେ ଦେଶବାଶୀଙ୍କୁ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।
ଦେଶବାସୀଙ୍କୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ଆମେ ଯେତେବେଳେ ପର୍ବପର୍ବାଣି କଥା କହୁଁ, ସେଗୁଡ଼ିକ ପାଇଁ ପ୍ରସ୍ତୁତି କରୁଁ, ସେତେବେଳେ ପ୍ରଥମେ ମନରେ ପ୍ରଶ୍ନ ଆସେ ବଜାରକୁ କେବେ ଯିବା? କ’ଣ କ’ଣ ସବୁ କିଣିବା? ବିଶେଷକରି ପିଲାମାନଙ୍କ ମଧ୍ୟରେ ଏସବୁକୁ ନେଇ ବିଶେଷ ଉତ୍ସାହ ରହିଥାଏ। ଏଥର ପର୍ବପର୍ବାଣିରେ ନୂଆ କ’ଣ ମିଳିବ? ପର୍ବପର୍ବାଣିର ଏହି ଉତ୍ସାହ ଓ ବଜାରର ଆକର୍ଷଣ ପରସ୍ପର ସହିତ ଜଡ଼ିତ। କିନ୍ତୁ ଏଥର ବଜାରକୁ ଯିବାବେଳେ ଆପଣମାନେ ‘ଭୋକାଲ ଫର ଲୋକାଲ’ର ନିଜର ସଂକଳ୍ପ ନିଶ୍ଚୟ ମନେରଖିବେ। ବଜାରରୁ ଜିନିଷ କିଣିବା ସମୟରେ ଆମକୁ ସ୍ଥାନୀୟ ସାମଗ୍ରୀଗୁଡ଼ିକୁ ଅଗ୍ରାଧିକାର ଦେବାକୁ ହେବ।
ଆଜି ଯେତେବେଳେ ଆମେ ଲୋକାଲ ପାଇଁ ଭୋକାଲ ହେଉଛୁ, ତା’ ଯୋଗୁଁ ବିଶ୍ୱବାସୀ ମଧ୍ୟ ଆମର ସ୍ଥାନୀୟ ଉତ୍ପାଦଗୁଡ଼ିକୁ ଭଲ ପାଇଲେଣି। ଆମର ଅନେକ ସ୍ଥାନୀୟ ଉତ୍ପାଦ ଅନ୍ତର୍ଜାତୀୟ ମାନର ଖ୍ୟାତିଲାଭ କରିବାର କ୍ଷମତା ରଖିଛନ୍ତି। ଯେମିତିକି, ଗୋଟିଏ ଉଦାହରଣ ହେଲା ଖଦି। ଦୀର୍ଘ ସମୟ ଧରି ଖଦି ସରଳତାର ପରିଚୟ ହୋଇରହିଛି। କିନ୍ତୁ, ଆମର ଏହି ଖଦି ଆଜି ଇକୋ ଫ୍ରେଣ୍ଡଲି ବସ୍ତ୍ର ରୂପେ ଗ୍ରହଣୀୟ ହୋଇପାରିଛି। ସ୍ୱାସ୍ଥ୍ୟ ଦୃଷ୍ଟିରୁ ଏହା ବଡ଼ି ଫ୍ରେଣ୍ଡଲି, ଏବଂ ଅଲ୍‌ େଓ୍ଵଦର ଫାବ୍ରିକ୍‌ ହେବା ଆଉ ଖଦି ଆଜିକାଲି ନୂତନ ଫ୍ୟାସନ ଷ୍ଟେଟମେଣ୍ଟ ହୋଇଗଲାଣି। ଖଦିର ଲୋକପ୍ରିୟତା ତ ବଢ଼ିଚାଲିଛି, ତା ସଙ୍ଗେ ସଙ୍ଗେ ବିଶ୍ୱର ଅନେକ ସ୍ଥାନରେ ଖଦି ବୁଣା ମଧ୍ୟ ଆରମ୍ଭ ହୋଇଗଲାଣି। ମେକ୍ସିକୋର ଗୋଟିଏ ସ୍ଥାନ ହେଉଛି ଓହାକା। ଏହି ଅଂଚଳରେ ଏଭଳି ଅନେକ ଗାଁ ରହିଛି, ଯେଉଁଠି ସ୍ଥାନୀୟ ଗ୍ରାମାଂଚଳର ଲୋକେ ଖଦି ବୁଣା କାମ କରୁଛନ୍ତି। ଆଜି, ଏହି ଅଂଚଳର ଖଦି ଓହାକା ଖଦି ନାମରେ ପ୍ରସିଦ୍ଧି ଲାଭ କରିସାରିଲାଣି।
ତେବେ, ଖଦି ଓହାକାକୁ କେମିତି ପହଂଚିଲା, ସେ କଥା ମଧ୍ୟ କିଛି କମ ମଜାଦାର ନୁହଁ। ପ୍ରକୃତରେ, ମେକ୍ସିକୋର ଜଣେ ଯୁବକ ମାର୍କ ବ୍ରାଉନ୍‌ ଥରେ ଗାନ୍ଧୀଜୀଙ୍କ ଉପରେ ଆଧାରିତ ଗୋଟିଏ ଚଳଚ୍ଚିତ୍ର ଦେଖିଲେ। ଏହି ଚଳଚ୍ଚିତ୍ର ଦେଖି ବ୍ରାଉନ୍‌ ଏତେ ପ୍ରଭାବିତ ହେଲେ ଯେ, ସେ ଭାରତକୁ ଗାନ୍ଧିଜୀଙ୍କ ଆଶ୍ରମ ପରିଦର୍ଶନ କରବାକୁ ଆସିଲେ ଏବଂ ବାପୁଙ୍କ ବିଷୟରେ ବହୁତ କିଛି ଜାଣିଲେ। ସେତେବେଳେ ବ୍ରାଉନ୍‌ ଅନୁଭବ କଲେ ଯେ, ଖଦୀ କେବଳ ବସ୍ତ୍ର ନୁହେଁ, ଏହା ତ ଗୋଟିଏ ଜୀବନ ପଦ୍ଧତି। ଗ୍ରାମାଂଚଳର ଆର୍ଥିକ ବ୍ୟବସ୍ଥା ଏବଂ ଆତ୍ମର୍ନିଭରତାର ଦର୍ଶନର କିଭଳି ଏହା ସହିତ ଘନିଷ୍ଠ ସମ୍ପର୍କ ରହିଛି, ତାହାଜାଣି ବ୍ରାଉନ୍‌ ଖୁବ ପ୍ରଭାବିତ ହେଲେ। ଏଇଠି ହିଁ ସେ ସ୍ଥିର କଲେ ଯେ, ମେକ୍ସିକୋ ଫେରି ସେ ଖଦି ତିଆରି କାମ ଆରମ୍ଭ କରିବେ। ସେ ମେକ୍ସିକୋର ଓହାକାରେ ଗାଁ ଲୋକଙ୍କୁ ଖଦୀ ତିଆରି କରିବା ଶିଖାଇଲେ, ସେମାନଙ୍କୁ ପ୍ରଶିକ୍ଷିତ କଲେ ଆଉ ଆଜି ‘ଓହାକା ଖଦୀ’ ଗୋଟିଏ ବ୍ରାଣ୍ଡ ପାଲଟିସାରିଛି।
ଦିଲ୍ଲୀର କନ୍ନଟ୍‌ ପ୍ଲେସରେ ଏଥର ଗାନ୍ଧୀ ଜୟନ୍ତୀ ଦିନ, ଗୋଟିଏ ଦିନରେ ହିଁ ଏକ କୋଟି ଟଙ୍କାର ଖଦି ସାମଗ୍ରୀ ବିକ୍ରୟ ହେଲା। ସେହିପରି, କରୋନା ସମୟରେ ଖଦି ତିଆରି ମାସ୍କ ମଧ୍ୟ ଖୁବ ଲୋକପ୍ରିୟ ହେଉଛି। ଦେଶରେ ଅନେକ ସ୍ଥାନରେ ସ୍ୱୟଂ ସହାୟକ ଗୋଷ୍ଠୀ ଓ ଅନ୍ୟ ସଂସ୍ଥାଗୁଡ଼ିକ ଖଦୀ ମାସ୍କ ତିଆରି କରୁଛନ୍ତି। ଉତ୍ତରପ୍ରଦେଶର ବାରାବଙ୍କିର ଜଣେ ମହିଳା ହେଉଛନ୍ତି ସୁମନ ଦେବୀ। ସୁମନ ଦେବୀ ନିଜ ସାଥୀ ମହିଳାମାନଙ୍କୁ ସାଙ୍ଗରେ ନେଇ ଖଦି ମାସ୍କ ତିଆରି କରିବା ଆରମ୍ଭ କଲେ। ଧୀରେ ଧୀରେ ତାଙ୍କ ସହିତ ଅନ୍ୟ ମହିଳାମାନେ ମଧ୍ୟ ମିଶିବାରେ ଲାଗିଲେ। ଏବେ ସେମାନେ ମିଶି ହଜାର ହଜାର ଖଦି ମାସ୍କ ତିଆରି କରୁଛନ୍ତି। ଆମ ସ୍ଥାନୀୟ ଉତ୍ପାଦଗୁଡ଼ିକର ବିଶେଷତ୍ୱ ହେଲା ଯେ, ତା’ସହିତ ଗୋଟିଏ ଦର୍ଶନ ଯୋଡ଼ି ହୋଇ ରହିଥାଏ।
ଆମେ ଯେତେବେଳେ ନିଜ ସାମଗ୍ରୀଗୁଡ଼ିକୁ ନେଇ ଗର୍ବ କରୁ, ସେତେବେଳେ ବିଶ୍ୱବାସୀଙ୍କ ଜିଜ୍ଞାସା ମଧ୍ୟ ଏ ଦିଗରେ ବୃଦ୍ଧିପାଏ। ଯେମିତିକି ଆମର ଆଧ୍ୟାତ୍ମିକତା, ଯୋଗ, ଆୟୁର୍ବେଦ ସମଗ୍ର ବିଶ୍ୱକୁ ଆକର୍ଷିତ କରିପାରିଛି, ସେହିଭଳି ଆମର କେତେକ ଖେଳ ମଧ୍ୟ ଦୁନିଆକୁ ଆକର୍ଷିତ କରୁଛି। ଆଜିକାଲି, ଆମର ମାଲଖମ୍ବ ମଧ୍ୟ ଅନେକ ଦେଶରେ ପ୍ରଚଳିତ ହେବାରେ ଲାଗିଛି। ଆମେରିକାରେ ଚିନ୍ମୟ ପାଟନକର ଏବଂ ପ୍ରଜ୍ଞା ପାଟନକର ଯେତେବେଳେ ନିଜ ଘରୁ ହିଁ ମାଲଖମ୍ବ ଶିଖାଇବା ଆରମ୍ଭ କରିଥିଲେ, ସେତେବେଳେ ସେମାନେ ଏଥିରେ ଏତେ ସଫଳତା ଲାଭ କରିବେ ବୋଲି ନିଜେ ମଧ୍ୟ କଳ୍ପନା କରି ନ ଥିଲେ। ଆମେରିକାରେ ଆଜି ଅନେକ ଜାଗାରେ ମାଲଖମ୍ବ ତାଲିମ କେନ୍ଦ୍ରମାନ ଚାଲିଛି । ଆମେରିକାର ଯୁବବର୍ଗ ବହୁ ସଂଖ୍ୟାରେ ଏଥିରେ ଯୋଗ ଦେଉଛନ୍ତି, ମାଲଖମ୍ବ ଶିଖୁଛନ୍ତି। ଆଜି ଜର୍ମାନୀ ହେଉ, ପୋଲାଣ୍ଡ ହେଉ, ମାଲେସିଆ ହେଉ, ଏଭଳି ପ୍ରାୟ ୨୦ଟି ଅନ୍ୟ ଦେଶମାନଙ୍କରେ ମଧ୍ୟ ମାଲଖମ୍ବ ଖୁବ ଲୋକପ୍ରିୟ ହେବାରେ ଲାଗିଛି। ଏବେ ତ ଏହାର ବିଶ୍ୱ ଚମ୍ପିଆନ୍‌ସିପ୍‌ ପ୍ରତିଯୋଗିତା ଆରମ୍ଭ କରାଯାଇଛି, ଯେଉଁଥିରେ ଅନେକ ଦେଶର ପ୍ରତିଯୋଗୀ ଅଂଶଗ୍ରହଣ କରୁଛନ୍ତି।

ସମ୍ବନ୍ଧିତ ଖବର

Comments are closed.