ନୂଆଦିଲ୍ଲୀ: ଆଇନ ବୃତ୍ତିରେ ଥିବା ଆହ୍ୱାନ ସମ୍ପର୍କରେ ଆଇନ ଛାତ୍ରଛାତ୍ରୀଙ୍କୁ ସମ୍ବୋଧିତ କରିବା ଅବସରରେ ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ ପ୍ରଥମ ଥର ପାଇଁ ସାର୍ବଜନୀନ ଭାବେ ତାଙ୍କ ସ୍ବର୍ଗତା ପ୍ରଥମା ପତ୍ନୀଙ୍କ ବିଷୟରେ ଉଲ୍ଲେଖ କରିଛନ୍ତି। ପ୍ରଧାନବିଚାରପତିଙ୍କ ଘନିଷ୍ଠ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଏହି ପ୍ରସଙ୍ଗ ତାଙ୍କ ଭାଷଣର ଅଂଶ ନଥିଲା। କିନ୍ତୁ ସେ ଶେଷମୁହୂର୍ତ୍ତରେ ଏ ବିଷୟରେ କହିବା ପାଇଁ ନିଷ୍ପତ୍ତି ନେଇଥିଲେ କାରଣ ଏହି ଅଭିଜ୍ଞତା ପୁସ୍ତକଜ୍ଞାନ ଅପେକ୍ଷା ଛାତ୍ରଛାତ୍ରୀଙ୍କ ପାଇଁ ଉପାଦେୟ। ପ୍ରଧାନ ବିଚାରପତି କହିଥିଲେ, “ମୋର ସ୍ୱର୍ଗତା ପୂର୍ବତନ ପତ୍ନୀ ଜଣେ ଓକିଲ ଥିଲେ। ଯେତେବେଳେ ସେ ଏକ ଲ’ ଫାର୍ମକୁ ଯାଇଥିଲେ, ସେତେବେଳେ ସେ ପଚାରିଥିଲେ ଯେ ତାଙ୍‌କ ପାଇଁ କାର୍ଯ୍ୟ ସମୟ କ’ଣ ହେବ। ତାଙ୍କୁ କୁହାଯାଇଥିଲା ଯେ ଏହା ୨୪ ଘଣ୍ଟିଆ ଏବଂ ୩୬୫ ଦିନ।

Advertisment

ଯେତେବେଳେ ସେ ପରିବାର ସହିତ ଥିବା ଲୋକଙ୍କ ବିଷୟରେ ପଚାରିଲେ, ତାଙ୍କୁ କୁହାଗଲା ଯେ ସେ ଏପରି ଜଣେ ସ୍ୱାମୀ ଖୋଜନ୍ତୁ ଯିଏ ଘରକାମ କରିପାରିବେ ଏବଂ ସେ ପରିବାର ପାଇଁ କୌଣସି ସମୟ ଦେଇପାରିବେ ନାହିଁ। ତେବେ ବର୍ତ୍ତମାନ ପରିସ୍ଥିତି ବଦଳୁଥିବାରୁ ସେ ଆଶାବାଦୀ ଅଛନ୍ତି ବୋଲି ଚନ୍ଦ୍ରଚୂଡ଼ କହିଥିଲେ। ବେଙ୍ଗାଲୁରୁସ୍ଥିତ ନ୍ୟାସନାଲ ଲ ସ୍କୁଲ ଅଫ୍ ଇଣ୍ଡିଆ ୟୁନିଭର୍ସିଟି (ଏନ୍‌ଏଲ୍‌ଏସ୍‌ଆଇୟୁ)ର ୩୧ତମ ସମାବର୍ତ୍ତନ ଉତ୍ସବରେ ଛାତ୍ରଛାତ୍ରୀଙ୍କୁ ସମ୍ବୋଧିତ କରି ପ୍ରଧାନ ବିଚାରପତି ଏହା କହିଛନ୍ତି। କର୍ମକ୍ଷେତ୍ରକୁ ମହିଳାଙ୍କ ପାଇଁ ଅଧିକ ଅନୁକୂଳ କରିବା ଉପରେ ଗୁରୁତ୍ୱାରୋପ କରି ପ୍ରଧାନ ବିଚାରପତି ଚନ୍ଦ୍ରଚୂଡ଼ ଏହା ମଧ୍ୟ କହିଛନ୍ତି ଯେ କିପରି ତାଙ୍କ ମହିଳା ଆଇନ କିରାଣୀମାନଙ୍କୁ ଋତୁସ୍ରାବ ଘରୁ କାମ କରିବାକୁ କୁହାଯାଇଥିଲା। ସେ କହିଲେ, ଗତବର୍ଷ ୫ ଜଣଙ୍କ ମଧ୍ୟରୁ ୪ ଜଣ ଆଇନ କିରାଣୀ ମହିଳା ଥିଲେ। ସେମାନେ ତାଙ୍କୁ ଫୋନ୍ କରି ନିଜ ସମସ୍ୟଶ ବିଷୟରେ କହିବା ପରେ ସେ ସେମାନଙ୍କୁ ଘରୁ କାମ କରିବା ଓ ନିଜ ସ୍ୱାସ୍ଥ୍ୟର ଯତ୍ନ ନେବାକୁ କହିଥିଲେ।

ସେ ଆହୁରି ମଧ୍ୟ କହିଥିଲେ ଯେ, ନିକଟରେ ସୁପ୍ରିମ୍‌କୋର୍ଟରେ ମହିଳା ଶୌଚାଳୟରେ ସାନିଟାରୀ ନାପକିନ୍ ଡିସ୍ପେନ୍ସର ଲଗାଯାଇଛି। ନିକଟରେ ପ୍ରକାଶିତ ସୁପ୍ରିମ୍‌କୋର୍ଟରେ ଲିଙ୍ଗଗତ ବୈଷମ୍ୟ ଉପରେ ପ୍ରକାଶିତ ପୁସ୍ତକ ଉପରେ ଆଲୋକପାତ କରି ପ୍ରଧାନ ବିଚାରପତି କହିଥିଲେ, ଆମେ ଆମ ବିଚାରପତିମାନଙ୍କୁ ସଚେତନ କରିବାକୁ ଚେଷ୍ଟା କରିଛୁ ଯେ ଆମେ କାହିଁକି ଜଣେ ମହିଳାଙ୍କୁ ‘ଗୃହିଣୀ’ (ହାଉସ୍‌ୱାଇଫ୍‌) କହିବୁ ନାହିଁ। ଆଧୁନିକ ଭାରତରେ ଗୃହିଣୀଙ୍କ ପାଇଁ ପାଳନୀୟ ସର୍ତ୍ତଗୁଡ଼ିକ ଆଉ ଗ୍ରହଣୀୟ ନୁହେଁ ବୋଲି ଆମେ ଆମର ବିଚାରପତିମାନଙ୍କୁ ସଚେତନ କରିବାକୁ ଚେଷ୍ଟା କରିଛୁ।

ସୂଚନାଯୋଗ୍ୟ, ସିଜେଆଇ ଚନ୍ଦ୍ରଚୂଡ଼ ମହିଳାଙ୍କ ଅଧିକାରକୁ ନେଇ ଅନେକ ଐତିହାସିକ ରାୟ ଦେଇଛନ୍ତି। ସେନାରେ ମହିଳା ଅଧିକାରୀଙ୍କ ପାଇଁ ସ୍ଥାୟୀ କମିସନ, ବ୍ୟଭିଚାର ଉପରେ ରାୟ, ସାବରିମାଲା ମନ୍ଦିରରେ ପ୍ରବେଶ ଏବଂ ଗର୍ଭପାତ ଆଇନରେ ଅବିବାହିତ ମହିଳାଙ୍କୁ ସାମିଲ କରିବା ଭଳି ନିଷ୍ପତ୍ତି ମାଧ୍ୟମରେ ସେ ଦେଶରେ ମହିଳାଙ୍କ ସ୍ଥିତି ସୁଦୃଢ଼ କରିବାକୁ ଚେଷ୍ଟା କରିଛନ୍ତି। ମଣିପୁରରେ ମହିଳାମାନଙ୍କୁ ଉଲଗ୍ନ ଅବସ୍ଥାରେ ବୁଲାଉଥିବାର ଭୟାନକ ଭିଡିଓ ଉପରେ ମଧ୍ୟ ସେ ଶୁଣାଣି ଆରମ୍ଭ କରିଥିଲେ ଏବଂ ଏହି ଘଟଣାରେ ସେ ଆଘାତ ପାଇଥିବା କହିଛନ୍ତି।