ନୂଆଦିଲ୍ଲୀ: ବଡ଼ ବଡ଼ ଆଇଟି କମ୍ପାନି ରାତାରାତି ବହୁସଂଖ୍ୟାରେ ଛଟେଇ ଘୋଷଣା କରୁଛନ୍ତି। ତେଣୁ ପ୍ରଯୁକ୍ତି ବା ଆଇଟି କ୍ଷେତ୍ରର କମ୍ପାନିରେ କାର୍ଯ୍ୟ କରୁଥିବା ବ୍ୟକ୍ତିଙ୍କୁ ଏବେ ନିଦ ହେଉନାହିଁ। ଏଭଳି ସ୍ଥିତିରେ ଏକ ରୋଚକ ଖବର ସାମ୍ନାକୁ ଆସିଛି। ଡାନ୍ ଲାନିଗାନ୍ ରିୟାନ୍ ନାମକ ଜଣେ ଅଧିକାରୀ ଚାକିରି ଦେବା ପାଇଁ ଅନ୍ୟମାନଙ୍କର ସାକ୍ଷାତ୍କାର ନେଉଥିଲେ। କିନ୍ତୁ ସେହି ସମୟରେ ଗୁଗୁଲ୍ ତାଙ୍କୁ ମଧ୍ୟ ଛଟେଇ କରିଦେଇଛି। ଅନଲାଇନରେ ସେ ପରୀକ୍ଷାର୍ଥୀଙ୍କ ସାକ୍ଷାତକାର ନେବାବେଳେ ହଠାତ୍ ତାଙ୍କୁ ଗୁଗୁଲ୍ ବ୍ୟବସ୍ଥାରୁ ବିଚ୍ଛିନ୍ନ କରି ଦିଆଯାଇଥିଲା।
ଲିଙ୍କଡ ଇନ୍ ପୋଷ୍ଟରେ ରିୟାନ୍ ଉଲ୍ଲେଖ କରିଛନ୍ତି, ଦୁର୍ଭାଗ୍ୟବଶତଃ ଅନେକ ହଜାର କର୍ମଚାରୀଙ୍କ ସହିତ ମୁଁ ମଧ୍ୟ ଗତ ସପ୍ତାହର ଶୁକ୍ରବାର ଦିନ ଛଟେଇ ହୋଇଯାଇଛି। ଚାକିରିରେ ଏଭଳି ଯବନିକା ପଡ଼ିବ ବୋଲି ସେ ଆଶା କରି ନଥିଲେ। ଚାକିରି ପାଇଁ ଅନ୍ୟ ଜଣଙ୍କ ସହିତ କଲ୍ରେ ଥିବାବେଳେ ତାଙ୍କୁ କାଢ଼ି ଦିଆଯାଇଥିଲା ବୋଲି ରିୟାନ କହିଛନ୍ତି। କମ୍ପାନିର ଇଣ୍ଟରନାଲ ୱେବସାଇଟକୁ ଆକସେସ କରିବା ପାଇଁ ସେ ଉଦ୍ୟମ କରିଥିଲେ ମଧ୍ୟ ସଫଳ ହୋଇ ନଥିଲେ। କମ୍ପାନିର ୱେବସାଇଟ ସହିତ ତାଙ୍କ ଆକ୍ସେସ୍ ବିଚ୍ଛିନ୍ନ ହେବା ପରେ ତାଙ୍ କ ଇ-ମେଲ୍କୁ ମଧ୍ୟ ବନ୍ଦ କରି ଦିଆଯାଇଥିଲା। କମ୍ପାନିର ସବୁଥିରୁ ବ୍ଲକ କରି ଦିଆଯିବାର ୧୫ରୁ ୨୦ ମିନିଟ ପରେ ସେ ଏକ ଖବର ଦେଖିବାକୁ ପାଇଲେ ଯେଉଁଥିରେ ଗୁଗୁଲ୍ ୧୨ ହଜାର କର୍ମଚାରୀଙ୍କୁ ଛଟେଇ ଘୋଷଣା କରିଛି। ପ୍ରାୟ ବର୍ଷକ ତଳେ ସେ ଏହି ସ୍ବପ୍ନର କମ୍ପାନିରେ ସ୍ବପ୍ନର ଚାକିରି କରିଥିଲେ।