୩୦୦ ଫୁଟ୍ ଗଭୀର ଖାତରେ ପଡି ଚଟ୍ଟାଣରେ ଫସି ରହିଥିଲେ ପର୍ବତାରୋହୀ, ବାୟୁସେନା ବଞ୍ଚାଇଲା ଜୀବନ

ବେଙ୍ଗାଲୁରୁ: ଭାରତୀୟ ବାୟୁସେନା, କର୍ଣ୍ଣାଟକର ନନ୍ଦି ପାହାଡରେ ଥିବା ଗଭୀର ଚଟ୍ଟାଣରେ ଫସିଥିବା ଜଣେ ପର୍ବତାରୋହୀ (ଟ୍ରେକର)ଙ୍କୁ ଉଦ୍ଧାର କରିଛି। ୧୯ ବର୍ଷୀୟ ଟ୍ରେକର୍ ୩୦୦ ଫୁଟର ଗଭୀର ଗାତରେ ପଡି ଯାଇଥଲେ। ସେ ଚଟ୍ଟାଣରେ ପଡିବା ଯୋଗୁଁ ଆହତ ହୋଇଥିଲେ। ସେ ଫୋନ୍ କରି ପୁଲିସ ଠାରୁ ସାହାଯ୍ୟ ମାଗିଥିଲେ। ତେବେ ପୁଲିସ ସାହାଯ୍ୟ କରିବାକୁ ଅସମର୍ଥ ହେବାରୁ ବାୟୁସେନାର ସାହାଯ୍ୟ ନିଆଯାଇଥିଲା।

ଉଦ୍ଧାର କରିବା ପାଇଁ ବାୟୁସେନା ଏମ୍ଆଇ-୧୭ ହେଲିକପ୍ଟରକୁ ବ୍ୟବହାର କରିଥିଲା। ପହାଡରେ ହେଲିକପ୍ଟରର ଓହ୍ଲାଇବା ସହଜ ନଥିଲା। ଏମ୍ଆଇ-୧୭ ହେଲିକପ୍ଟର ଶୂନ୍ୟରେ ହିଁ ଥିଲା, ଏମ୍ଆଇ-୧୭ର ଫ୍ଲାଇଟ୍ ଗନରକୁ ଟ୍ରେକର୍ ପର୍ଯ୍ୟନ୍ତ ପହଞ୍ଚାଯାଇଥିଲା। ଗନର୍ ଟ୍ରେକରଙ୍କୁ ହେଲିକପ୍ଟର ପର୍ଯ୍ୟନ୍ତ ପହଞ୍ଚାଇବା ପାଇଁ ସାହାଯ୍ୟ କରିଥିଲା। ଉଦ୍ଧାର ପରେ ଯୁବକଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଯୁବକଙ୍କର ସ୍ଵାସ୍ଥ୍ୟାବସ୍ଥା ସ୍ଥିର ଅଛି।

ପୁଲିସର ସୂଚନା ଅନୁସାରେ, ଦିଲ୍ଲୀରେ ରହୁଥିବା ଏହି ଟ୍ରେକର୍ ଇଞ୍ଜିନିୟରିଂ ପଢୁଛନ୍ତି। ସେ ବେଙ୍ଗାଲୁରୁର ଏକ ଇଞ୍ଜିନିୟରିଂ କଲେଜରେ ପଢୁଛନ୍ତି। ସେ ଟ୍ରେକିଂ ପାଇଁ ନନ୍ଦି ପାହାଡକୁ ବାଛିଥିଲେ। କିନ୍ତୁ ନିୟନ୍ତ୍ରଣ ହରାଇ ଗାତରେ ପଡିଯାଇଥିଲେ। ୩୦୦ ଫୁଟ୍ ତଳେ ତାଙ୍କ ଜୀବନ ବଞ୍ଚାଗଲା।

ହେଲିକପ୍ଟର ଦ୍ଵାରା ସେନାର ଉଦ୍ଧାର କାର୍ଯ୍ୟର ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି। ଏହାକୁ ଦେଖି ଲୋକମାନେ ବାୟୁସେନାର ସାହସ ଓ ସମର୍ପଣର ପ୍ରଶଂସା କରୁଛନ୍ତି। ଏହା ପୂର୍ବରୁ ସେନା କେରଳରେ ମଧ୍ୟ ଏପରି ଏକ ଉଦ୍ଧାର କାର୍ଯ୍ୟ କରିଥିଲା। ସେଠାରେ ପଲକ୍କଡ ପାହାଡରେ ଜଣେ ଯୁବକ ୪୫ ଘଣ୍ଟା ପର୍ଯ୍ୟନ୍ତ ଫସି ରହିଥିଲେ। ସେହି ଉଦ୍ଧାର କାର୍ଯ୍ୟରେ ଭାରତୀୟ ସେନା, ନୌବାହିନୀ ଓ ଏନଡିଆରଏଫ୍ ଦଳ ସାମିଲ ହୋଇଥିଲେ।

ସମ୍ବନ୍ଧିତ ଖବର