ନୂଆଦିଲ୍ଲୀ: କରୋନା ଭୂତାଣୁ ସଂକ୍ରମଣ ମଧ୍ୟରେ, ହ୍ୱାଇଟ ଫଙ୍ଗସ୍ କାରଣରୁ କ୍ଷୁଦ୍ର ଅନ୍ତନଳୀ ଏବଂ ବଡ ଅନ୍ତନଳୀରେ ଛିଦ୍ର ହେବାର ଏକ ଘଟଣା ସାମ୍ନାକୁ ଆସିଛି | ଦିଲ୍ଲୀର ସାର୍ ଗଙ୍ଗା ରାମ ହସ୍ପିଟାଲରେ ଏଭଳି ମାମଲା ପ୍ରଥମ ଥର ଦେଖିବାକୁ ମିଳିଛି। ଏହା ବିଶ୍ୱର ପ୍ରଥମ ଘଟଣା ବୋଲି ଡାକ୍ତରଖାନା କର୍ତ୍ତୃପକ୍ଷ ଦାବି କରୁଛନ୍ତି । ଜଣେ ୪୯ ବର୍ଷ ବୟସ୍କା ମହିଳା ପେଟ ଯନ୍ତ୍ରଣା ଭୋଗୁଥିବାରୁ ତାଙ୍କୁ ଚଳିତ ମାସ ୧୩ ତାରିଖରେ ସାର୍ ଗଙ୍ଗା ରାମ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ।
ମହିଳା ଜଣକ କର୍କଟ ରୋଗରେ ପୀଡିତ ଥିଲେ ଏବଂ କିଛି ସମୟ ପୂର୍ବରୁ ସେ କେମୋଥେରାପି କରିଥିଲେ। ଯେତେବେଳେ ମହିଳା ଜଣକ ଡାକ୍ତରଖାନାରେ ସିଟି ସ୍କାନ କରିଥିଲେ, ଅନ୍ତନଳୀରେ ଏକ ଛିଦ୍ର ଚିହ୍ନଟ ହୋଇଥିଲା। ଆଉ ଏହାକୁ ନେଇ ହସ୍ପିଟାଲର ପେଟ ଓ ଲିଭର ରୋଗ ବିଶେଷଜ୍ଞ ଡାକ୍ତର ଅମିତ ଆରୋରା କହିଛନ୍ତି ଯେ ଷ୍ଟେରଏଡ ବ୍ୟବହାର ପରେ ବ୍ଲାକ ଫଙ୍ଗସ ଦ୍ୱାରା ଅନ୍ତନଳୀରେ ଛିଦ୍ର ହେବାର କିଛି ଘଟଣା ଘଟିଛି।
କିନ୍ତୁ ହ୍ୱାଇଟ ଫଙ୍ଗସ ଦ୍ୱାରା କୋଭିଡ୍ -୧୯ ସଂକ୍ରମଣ ପରେ କ୍ଷୁଦ୍ର ଅନ୍ତନଳୀ ଏବଂ ବୃହତ୍ ଅନ୍ତନଳୀରେ ଛିଦ୍ର ଥିବା ଦୁନିଆରେ ଏହା ପ୍ରଥମ ଘଟଣା | ଦେଶରେ କରୋନା ମହାମାରୀ ସହିତ ବ୍ଲାକ ଫଙ୍ଗସ୍ ରୋଗ ମଧ୍ୟ ଦ୍ରୁତ ଗତିରେ ବଢୁଛି ଏବଂ ସାରା ଦେଶରେ ବ୍ଲାକ ଫଙ୍ଗସ୍ ରୋଗର ଶିକାର ରୋଗୀଙ୍କ ସଂଖ୍ୟା ୧୧୭୧୭ ରେ ପହଞ୍ଚିଛି। ଏଥିମଧ୍ୟରୁ ଗୁଜୁରାଟରେ ସର୍ବାଧିକ ୨୮୫୯ ମାମଲା ରିପୋର୍ଟ ହୋଇଛି।