ଵାସିଂଟନ: ଆମେରିକାରେ ଏକ ନୂତନ ପ୍ରଜାତିର ରୂପାନ୍ତରିତ କରୋନା ଭୂତାଣୁର ସମ୍ଭାବ୍ୟ ଭୟାବହତା ସମ୍ପର୍କରେ ହ୍ବାଇଟ୍ ହାଉସ୍ କୋଭିଡ୍ ଟାସ୍କଫୋର୍ସ ପକ୍ଷରୁ ଚେତାବନୀ ଦିଆଯାଇଛି। ବ୍ରିଟେନ୍ରେ ଆବିର୍ଭାବ ହୋଇଥିବା ନୂତନ ପ୍ରଜାତିର ଭୂତାଣୁ ସହିତ ଏହି ଆମେରିକୀୟ ପ୍ରଜାତିର ସଂକ୍ରମଣ ଖୁବ୍ ଜୋରରେ ମାଡ଼ି ଚାଲିଛି ଏବଂ ଏହା ମୂଳ ଭୂତାଣୁ ଅପେକ୍ଷା ୫୦% ଅଧିକ ସଂକ୍ରମଣକ୍ଷମ ବୋଲି ଟାସ୍କ ଫୋର୍ସ କହିବା ସହ ସେଥିପ୍ରତି ସଜାଗ ରହିବାକୁ ଆମେରିକାର ବିଭିନ୍ନ ପ୍ରଦେଶକୁ ସତର୍କତା ଜାରି କରିଛି। ସୁତରାଂ ନୂତନ ପ୍ରଜାତି ଭୂତାଣୁର ପ୍ରକୋପରୁ ନିଜକୁ ମୁକ୍ତ ରଖିବା ଲାଗି ପୂର୍ବ ପରି ମାସ୍କ ପରିଧାନ ଓ ନିୟମିତ ହସ୍ତ ପ୍ରକ୍ଷାଳନ ସାଙ୍ଗକୁ ସାମାଜିକ ଦୂରତା ବଜାୟ ରଖିବା ଲାଗି ଟାସ୍କ ଫୋର୍ସ ପକ୍ଷରୁ ପରାମର୍ଶ ଦେଇଛି। ଅନ୍ୟଥା ମହାମାରୀ ସ୍ଥିତି ଆହୁରି ଶୋଚନୀୟ ହେବ ବୋଲି ଚେତାବନୀ ଦିଆଯାଇଛି।
୧୬ ହଜାର ନୂଆ ମାମଲା: ନୂଆ ଭୂତାଣୁ ସଂକ୍ରମିତଙ୍କ ସଂଖ୍ୟା ୯୬କୁ ବୃଦ୍ଧି
ନୂଆଦିଲ୍ଲୀ : ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୧୬,୩୧୧ ନୂଆ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି ଏବଂ ୧୬୧ ଜଣଙ୍କ ମୃତ୍ୟୁ ହୋଇଛି। ତେବେ ୨୨୭ ଦିନ ପରେ ଦେଶରେ କରୋନା ମୃତ୍ୟୁ ୨୦୦ରୁ କମ୍ ରହିଛି। ଶେଷ ଥର ପାଇଁ ଗତବର୍ଷ ମେ’ ୨୮ରେ ଦେଶରେ କରୋନା ମୃତ୍ୟୁ ୨୦୦ରୁ କମ୍ ଥିଲା। ଦେଶରେ ମୋଟ୍ ସଂକ୍ରମଣ ମାମଲା ୧,୦୪,୬୬,୫୯୫ ପହଞ୍ଚିଛି ଏବଂ ମୃତ୍ୟୁସଂଖ୍ୟା ୧,୫୧,୧୬୦ ରହିଛି। ଜାତୀୟ ଆରୋଗ୍ୟ ହାର ୯୬.୪୩ ପ୍ରତିଶତ ପହଞ୍ଚିଥିବାବେଳେ ମୃତ୍ୟୁହାର ୧.୪୪ ପ୍ରତିଶତ ରହିଛି। ଅନ୍ୟପକ୍ଷେ ନୂଆ ଭୂତାଣୁ ସଂକ୍ରମିତଙ୍କ ସଂଖ୍ୟା ୯୬କୁ ବୃଦ୍ଧି ପାଇଛି।
ବିଶ୍ବରେ କରୋନା ସଂକ୍ରମଣ ୯ କୋଟି ଟପିଲା
ନୂଆଦିଲ୍ଲୀ: ବିଶ୍ବରେ କରୋନା ସଂକ୍ରମଣ ସଂଖ୍ୟା ୯ କୋଟି ଟପିଯାଇଛି ଏବଂ ମୃତ୍ୟୁସଂଖ୍ୟା ୧୯ ଲକ୍ଷରୁ ଅଧିକ ରହିଛି। ସର୍ବାଧିକ ପ୍ରଭାବିତ ରାଷ୍ଟ୍ର ଆମେରିକାରେ ଉଭୟ ସଂକ୍ରମଣ ଏବଂ ମୃତ୍ୟୁସଂଖ୍ୟା ବଢ଼ିବାରେ ଲାଗିଛି। ୨୦୨୧ ବର୍ଷର ପ୍ରଥମ ୧୦ ଦିନରେ ଆମେରିକାରେ ୨୭ ହଜାର ନୂଆ କରୋନା ମୃତ୍ୟୁ ହୋଇଛି। ଯଦି ଆମେରିକାରେ କରୋନା ମୃତ୍ୟୁ ଏହିଭଳି ଲାଗିରହେ ତେବେ ଜାନୁଆରି ମାସର କରୋନା ମୃତ୍ୟୁ ଡିସେମ୍ବରକୁ ଟପିଯିବ। ଆମେରିକା ପରେ ଭାରତର କରୋନା ସଂକ୍ରମଣ ମାମଲା କୋଟିଏ ୪ ଲକ୍ଷ ୬୦ ହଜାରରୁ ଅଧିକ ରହିଛି। ତେବେ ବ୍ରିଟେନ୍ରେ ନୂଆ ଷ୍ଟ୍ରେନ୍ ସାଂଘାତିକ ସ୍ଥିତି ସୃଷ୍ଟି କରିଛି।
ବେଜିଂ(ଚୀନ୍): ମହାମାରୀ କୋଭିଡ୍-୧୯ର ଉତ୍ପତ୍ତି ସମ୍ପର୍କରେ ପ୍ରମାଣ ତନଖିବା ପାଇଁ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ(ହୁ)ର ଏକ ୧୦ ଜଣିଆ ବିଶେଷଜ୍ଞ ଦଳ ଆସନ୍ତା ଗୁରୁବାର ଚୀନ୍ରେ ପହଞ୍ଚିବେ ବୋଲି ଜଣାଯାଇଛି। ମହାମାରୀ ଆରମ୍ଭ ହେବାର ଦୀର୍ଘ ବର୍ଷକ ପରେ ଏବଂ ତଦନ୍ତ ପ୍ରକ୍ରିୟାକୁ ଚୀନ୍ ସରକାର ଗଡ଼ବଡ଼ କରିଦେବାର ଅଭିଯୋଗ ଉଠିବା ପରିପ୍ରେକ୍ଷୀରେ ‘ହୁ’ର ଏହି ପ୍ରତିନିଧିମଣ୍ଡଳୀ ଶେଷରେ ଏହି ବହୁ ପ୍ରତୀକ୍ଷିତ ଲକ୍ଷ୍ୟ ହାସଲରେ ବାହାରିଥିବା ସ୍ପଷ୍ଟ ହୋଇଛି। ଅଭିନବ କରୋନା ଭୂତାଣୁ ଯେଭଳି ସମଗ୍ର ବିଶ୍ବକୁ ଛାରଖାର କରିଦେବା ସହ ପାଖାପାଖି ୨୦ ଲକ୍ଷ ମୃତ୍ୟୁର କାରଣ ପାଲଟିଛି ଏବଂ ବିଶ୍ବ ଅର୍ଥନୀତିରେ ଅଚଳାବସ୍ଥା ଆଣିଦେଇଛି, ସେଭଳି ସ୍ଥିତିରେ ‘ହୁ’ର ଏହି ଅଭିଯାନ ଯଥେଷ୍ଟ ରାଜନୈତିକ ଗୁରୁତ୍ବ ବହନ କରୁଛି।
ତେବେ ଚୀନର ବୈଜ୍ଞାନିକମାନଙ୍କ ସହ ‘ହୁ’ର ବିଶେଷଜ୍ଞମାନେ ମିଳିତ ଭାବେ କୋଭିଡ୍-୧୯ର ଉତ୍ପତ୍ତି ସ୍ଥଳ ଖୋଜିବେ ବୋଲି ଚୀନ୍ର ଜାତୀୟ ସ୍ବାସ୍ଥ୍ୟ ଆୟୋଗ(ଏନ୍ଏଚ୍ସି) ପକ୍ଷରୁ କୁହାଯାଇଛି। ଅପରପକ୍ଷେ, ଏ ସଂକ୍ରାନ୍ତ ସବିଶେଷ ବିବରଣୀ ଦେବାକୁ ଏନ୍ଏଚ୍ସି ମନା କରିଦେଇଛି। ସୂଚନା ଥାଉ କି, ଚଳିତ ମାସ ପ୍ରାରମ୍ଭରେ ‘ହୁ’ ଦଳର ଏହି ଗସ୍ତ ସୂଚୀ ଚୀନ୍ କର୍ତ୍ତୃପକ୍ଷଙ୍କ ହସ୍ତକ୍ଷେପ ଯୋଗୁଁ ଶେଷ ମୁହୂର୍ତ୍ତରେ ବିଳମ୍ବିତ ହୋଇଥିଲା। ‘ହୁ’ ବିଶେଷଜ୍ଞମଣ୍ଡଳୀ ଚୀନ୍ରେ ପହଞ୍ଚିଲା ପରେ ଦୁଇ ସପ୍ତାହ ସଂଗରୋଧରେ ରହିବେ ଏବଂ ପରେ ଉହାନ ସହରକୁ ଗସ୍ତ କରିବେ ବୋଲି ଜଣାଯାଇଛି।