ନୂଆଦିଲ୍ଲୀ: ଆମରେିକାରେ ଦୁର୍ନୀତି ଓ ଲାଞ୍ଚ ଅଭିଯୋଗର ଶିକାର ହୋଇଥିବା ଆଦାନୀ ଗ୍ରୁପର ଅଧ୍ୟକ୍ଷ ଗୌତମ ଆଦାନୀ ଏବେ ଅଡୁଆରେ ଛନ୍ଦି ହୋଇ ହୋଇ ଯାଉଛନ୍ତି। ତାଙ୍କ ବିରୋଧରେ ହୋଇଥିବା ଅଭିଯୋଗକୁ ଆମେରିକାର ହ୍ବାଇଟ୍‌ ହାଉସ୍‌ ସ୍ବୀକାର କରିଛି। 

Advertisment

ହ୍ବାଇଟ୍‌ ହାଉସ ଆତ୍ମବିଶ୍ୱାସ ବ୍ୟକ୍ତ କରିଛି ଯେ ଭାରତୀୟ କୋଟିପତି ଆଦାନୀଙ୍କ ବିରୋଧରେ ଲାଞ୍ଚ ଏବଂ ଜାଲିଆତି ଅଭିଯୋଗ ପରେ ଭାରତ ଏବଂ ଆମେରିକାର ଦୃଢ଼ ସଂପର୍କ ଅଶାନ୍ତିକୁ ଦୂର କରିବାରେ ସାହାଯ୍ୟ କରିବ।

ଆମେରିକାର ଓକିଲଙ୍କ କହିବାନୁସାରେ, ଆଦାନୀ ଏବଂ ତାଙ୍କ ପୁତୁରା ସାଗର ଆଦାନୀଙ୍କ ସମେତ ଅନ୍ୟ ୭ ଜଣ ଅଭିଯୁକ୍ତ ଭାରତୀୟ ବିକାଶ ଅଧିକାରୀଙ୍କୁ ପ୍ରାୟ ୨୬୫ ମିଲିୟନ୍‌ ଡଲାର ଲାଞ୍ଚ ଦେବାକୁ ଉଦ୍ୟମ କରିଥିଲେ। ତାହା ପ୍ରତିବଦଳରେ ଆଦାନୀ ଆମେରିକାରେ ତାଙ୍କର ଏକ କମ୍ପାନିର ଚୁକ୍ତି ଚାହୁଁଥି‌ଲେ।

ନଭେମ୍ବର ୨୧ ତାରିଖ ଗୁରୁବାର ଦିନ ଏକ ଗଣମାଧ୍ୟମ ସମ୍ମିଳନୀରେ ହ୍ବାଇଟ୍‌ ହାଉସର ପ୍ରେସ ସଚିବ କରିନେ ଜୈନ-ପିଏରେ କହିଛନ୍ତି ଯେ ଆଦାନୀଙ୍କ ବିରୋଧରେ ଆସିଥିବା ଅଭିଯୋଗ ସମ୍ପର୍କରେ ପ୍ରଶାସନ ଅବଗତ ଅଛି।

ସେ କହିଛନ୍ତି, ‘‘ଆଜ୍ଞା ହଁ, ଆମେ ଏହି ଅଭିଯୋଗଗୁଡିକ ବିଷୟରେ ଆମେ ଜାଣିଛୁ ଏବଂ ଆଦାନୀ ଗୋଷ୍ଠୀ ବିରୁଦ୍ଧରେ ହୋଇଥିବା ଅଭିଯୋଗର ବିଶେଷତା ବିଷୟରେ ଏସ୍‌ଇସି (ସିକ୍ୟୁରିଟି ଆଣ୍ଡ ଏକ୍ସଚେଞ୍ଜ୍ କମିସନ) ଏବଂ ଡିଓଜି (ନ୍ୟାୟ ବିଭାଗ) ସୂଚନା ଦେଇପାରିବେ।’’

ହେଲେ ଆମେରିକାର ପକ୍ଷରୁ ହୋଇଥିବା ଏହି ଅଭିଯୋଗକୁ ଭିତ୍ତିହୀନ ବୋଲି କହିଛି ଆଦାନୀ ଗ୍ରୁପ୍‌। ଆଦାନୀ ଗ୍ରୁପ୍‌ ଏକ ବିଶ୍ବସ୍ତ କମ୍ପାନି। କୌଣସି ବେନିୟମ୍‌ କାର୍ଯ୍ୟରେ ଲିପ୍ତ ନୁହେଁ ବୋଲି ଏକ ବିବୃତିରେ କୁହାଯାଇଛି।