ନୂଆଦିଲ୍ଲୀ: କରୋନା ସଂକ୍ରମଣ ବଢ଼ିଲାଣି। ସଂକ୍ରମଣ ବୃଦ୍ଧି ଯୋଗୁଁ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ‘ହୁ’ ବିପଦ ଶ୍ରେଣୀରେ ଥିବା ଲୋକଙ୍କୁ ଅତିରିକ୍ତ ବୁଷ୍ଟର ଡୋଜ୍ ନେବାକୁ ପରାମର୍ଶ ଦେଇଛନ୍ତି। ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ଟିକାକରଣ ବିଶେଷଜ୍ଞ ଏହି ପରାମର୍ଶ ଦେଇଛନ୍ତି। ବୟସ୍କଙ୍କ ସହ ଜଟିଳ ସ୍ବାସ୍ଥ୍ୟ ସମସ୍ୟା ଥିବା ଯୁବଗୋଷ୍ଠୀ ବି ଏହି ବିପଦ ଶ୍ରେଣୀରେ ଆସୁଛନ୍ତି। ସେହିପରି ଆଗଧାଡ଼ିର ସ୍ବାସ୍ଥ୍ୟ କର୍ମୀ ବି ଏହି ଶ୍ରେଣୀରେ ଆସୁଛନ୍ତି। ତେବେ ଶେଷ ବୁଷ୍ଟର ଡୋଜ୍ ନେବାର ୬ କିମ୍ବା ୧୨ ମାସ ପରେ ଜଣେ ଅତିରିକ୍ତ ବୁଷ୍ଟର ଡୋଜ୍ ନେଇପାରିବେ।
ଦେଶରେ ଆଜି ୨,୯୯୪ ନୂଆ ସଂକ୍ରମଣ ମାମଲା ଚିହ୍ନଟ ହୋଇଥିବା ବେଳେ ସକ୍ରିୟ ମାମଲା ୧୬ ହଜାର ଟପିଯାଇଛି। ଦେଶରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୪,୪୭,୧୮,୭୮୧ ଏବଂ ଗତ ୨୪ ଘଣ୍ଟାରେ ଦେଶରେ ୯ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି। ଦିଲ୍ଲୀ, କର୍ଣ୍ଣାଟକ ଏବଂ ପଂଜାବରେ ୨ଟି ଲେଖାଏଁ କରୋନା ମୃତ୍ୟୁ ହୋଇଥିବା ବେଳେ ଗୁଜରାଟରେ ଗୋଟିଏ କରୋନା ମୃତ୍ୟୁ ହୋଇଛି ଏବଂ କେରଳ ପୂର୍ବ ମୃତ୍ୟୁକୁ ଏହାର ତଥ୍ୟରେ ଯୋଡ଼ିଛି। ଦେଶରେ ସକ୍ରିୟ ମାମଲା ମୋଟ୍ ସଂକ୍ରମଣ ମାମଲାର ୦.୦୪ ପ୍ରତିଶତ। ଜାତୀୟ ଆରୋଗ୍ୟ ହାର ୯୮.୭୭ ପ୍ରତିଶତ। ଦେଶରେ ଦୈନିକ ପଜିଟିଭ୍ ହାର ୨.୦୯ ପ୍ରତିଶତ ଏବଂ ସାପ୍ତାହିକ ପଜିଟିଭ୍ ହାର ୨.୦୩ ପ୍ରତିଶତ। ମୋଟ୍ ୪,୪୧,୭୧,୫୫୧ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି। ଦେଶରେ ମୃତ୍ୟୁହାର ୧.୧୯ ପ୍ରତିଶତ ରହିଛି।