ନୂଆଦିଲ୍ଲୀ: ଭାରତ ପ୍ରଥମ ଥର ପାଇଁ ମାନବଯୁକ୍ତ ମହାକାଶ ଯାତ୍ରା କାର୍ଯ୍ୟକ୍ରମ ଗଗନଯାନ ଘୋଷଣା କରିବାର ପାଖାପାଖି ପାଞ୍ଚବର୍ଷ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ଏହି ମହତ୍ତ୍ବାକାଂକ୍ଷୀ ଅଭିଯାନ ପାଇଁ ମନୋନୀତ ୪ ଜଣ ମହାକାଶଚାରୀଙ୍କ ନାମ ପ୍ରକାଶ କରିଛନ୍ତି। ସେମାନେ ହେଉଛନ୍ତି, ପ୍ରଶାନ୍ତ ନାୟାର, ଅଙ୍ଗଦ ପ୍ରତାପ, ଅଜିତ କ୍ରିଷ୍ଣନ ଏବଂ ଶୁଭାଂଶୁ ଶୁକ୍ଳା। ସେମାନେ ଏବେ ବେଙ୍ଗାଲୁରୁସ୍ଥିତ ମହାକାଶଚାରୀ ପ୍ରଶିକ୍ଷଣ କେନ୍ଦ୍ରରେ ପ୍ରଶିକ୍ଷଣ ନେଉଛନ୍ତି।
ଗ୍ରୁପ୍ କ୍ୟାପଟେନ୍ ପ୍ରଶାନ୍ତ ବାଲକ୍ରିଷ୍ଣନ ନାୟାର
ଗ୍ରୁପ୍ କ୍ୟାପଟେନ୍ ପ୍ରଶାନ୍ତ ବାଲକ୍ରିଷ୍ଣନ ନାୟାର ୧୯୭୬ ମସିହା ଅଗଷ୍ଟ ୨୬ ତାରିଖରେ କେରଳର ତିରୁବାଝିଆଦରେ ଜନ୍ମଗ୍ରହଣ କରିଥିଲେ। ଏନ୍ଡିଏର ପୂର୍ବତନ ଛାତ୍ର ତଥା ବାୟୁସେନା ଏକାଡେମିରେ ସୋର୍ଡ ଅଫ୍ ଅନର-ପ୍ରାପ୍ତ ନାୟାର ୧୯ ଡିସେମ୍ବର ୧୯୯୮ରେ ବାୟୁସେନାରେ ଯୋଗ ଦେଇଥିଲେ। ସେ ଜଣେ ଇନ୍ଷ୍ଟ୍ରକ୍ଟର ଏବଂ ପ୍ରାୟ ୩୦୦୦ ଘଣ୍ଟାର ଉଡ଼ାଣ ଅଭିଜ୍ଞତା ଥିବା ଜଣେ ଟେଷ୍ଟ ପାଇଲଟ୍। ସେ ସୁ-୩୦ ଏମ୍କେଆଇ, ମିଗ୍-୨୧, ମିଗ୍-୨୯, ହକ୍, ଡୋର୍ଣ୍ଣିୟର, ଆନ୍-୩୨ ଭଳି ବିଭିନ୍ନ ବିମାନ ଉଡ଼ାଇଛନ୍ତି। ସେ ୟୁନାଇଟେଡ୍ ଷ୍ଟେଟ୍ସ ଷ୍ଟାଫ୍ କଲେଜର ପୂର୍ବତନ ଛାତ୍ର ଏବଂ ଡିଏସ୍ଏସ୍ସି, ୱେଲିଂଟନ ଏବଂ ଏଫ୍ଆଇଏସ୍, ତାମ୍ବାରାମରେ ମଧ୍ୟ କିଛି ବର୍ଷ ନିୟୋଜିତ ଥିଲେ। ସେ ଏକ ପ୍ରମୁଖ ଲଢୁଆ ଏସ୍ୟୁ-୩୦ ସ୍କ୍ୱାଡ୍ରନର ବି ନେତୃତ୍ୱ ନେଇଛନ୍ତି।
ଗ୍ରୁପ୍ କ୍ୟାପଟେନ୍ ଅଙ୍ଗଦ ପ୍ରତାପ
ଗ୍ରୁପ୍ କ୍ୟାପଟେନ୍ ଅଙ୍ଗଦ ପ୍ରତାପ ୧୯୮୨ ମସିହା ଜୁଲାଇ ୧୭ ତାରିଖରେ ପ୍ରୟାଗରାଜରେ ଜନ୍ମଗ୍ରହଣ କରିଥିଲେ। ସେ ଏନ୍ଡିଏର ପୂର୍ବତନ ଛାତ୍ର ଏବଂ ୨୦୦୪ ଡିସେମ୍ବର ୧୮ରେ ବାୟୁସେନାରେ ଯୋଗ ଦେଇଥିଲେ। ସେ ଜଣେ ଫ୍ଲାଇଂ ଇନ୍ଷ୍ଟ୍ରକ୍ଟର ଓ ଜଣେ ଟେଷ୍ଟ ପାଇଲଟ ଏବଂ ତାଙ୍କର ପାଖାପାଖି ୨୦୦୦ ଘଣ୍ଟାର ଉଡ଼ାଣ ଅଭିଜ୍ଞତା ରହିଛି। ସେ ସୁ-୩୦ ଏମ୍କେଆଇ, ମିଗ୍-୨୧, ମିଗ୍-୨୯, ଜାଗୁଆର, ହକ୍, ଡୋର୍ଣ୍ଣିୟର, ଆନ୍-୩୨ ଆଦି ବିଭିନ୍ନ ବିମାନ ଉଡ଼ାଇଛନ୍ତି।
ଗ୍ରୁପ୍ କ୍ୟାପଟେନ୍ ଅଜିତ କ୍ରିଷ୍ଣନ୍
ଗ୍ରୁପ୍ କ୍ୟାପଟେନ୍ ଅଜିତ କ୍ରିଷ୍ଣନ୍ ୧୯୮୨ ମସିହା ଏପ୍ରିଲ ୧୯ ତାରିଖରେ ତାମିଲନାଡୁର ଚେନ୍ନାଇରେ ଜନ୍ମଗ୍ରହଣ କରିଥିଲେ। ସେ ଏନ୍ଡିଏର ପୂର୍ବତନ ଛାତ୍ର ଏବଂ ବାୟୁସେନା ଏକାଡେମିରେ ରାଷ୍ଟ୍ରପତି ସ୍ୱର୍ଣ୍ଣପଦକ ଏବଂ ସୋର୍ଡ ଅଫ୍ ଅନର ପାଇଛନ୍ତି। ୨୦୦୩ ମସିହା ଜୁନ୍ ୨୧ ତାରିଖରେ ସେ ଭାରତୀୟ ବାୟୁସେନାରେ ଯୋଗ ଦେଇଥିଲେ। ସେ ଜଣେ ଫ୍ଲାଇଂ ଇନ୍ଷ୍ଟ୍ରକ୍ଟର ଓ ଜଣେ ଟେଷ୍ଟ ପାଇଲଟ ଏବଂ ତାଙ୍କର ପାଖାପାଖି ୨୯୦୦ ଘଣ୍ଟାର ଉଡ଼ାଣ ଅଭିଜ୍ଞତା ରହିଛି। ସେ ସୁ-୩୦ ଏମ୍କେଆଇ, ମିଗ୍-୨୧, ମିଗ୍-୨୧, ମିଗ୍-୨୯, ଜାଗୁଆର, ଡୋର୍ଣ୍ଣିୟର, ଆନ୍-୩୨ ଆଦି ବିଭିନ୍ନ ବିମାନ ଉଡ଼ାଇଛନ୍ତି। ସେ ୱେଲିଂଟନର ଡିଏସ୍ଏସ୍ସିର ପୂର୍ବତନ ଛାତ୍ର ମଧ୍ୟ ଅଟନ୍ତି।
ୱିଙ୍ଗ୍ କମାଣ୍ଡର ଶୁଭାଂଶୁ ଶୁକ୍ଳା
ୱିଙ୍ଗ୍ କମାଣ୍ଡର ଶୁଭାଂଶୁ ଶୁକ୍ଳା ୧୯୮୫ ମସିହା ଅକ୍ଟୋବର ୧୦ ତାରିଖରେ ଉତ୍ତରପ୍ରଦେଶର ଲକ୍ଷ୍ନୌରେ ଜନ୍ମଗ୍ରହଣ କରିଥିଲେ। ସେ ଏନ୍ଡିଏର ପୂର୍ବତନ ଛାତ୍ର ଏବଂ ୨୦୦୬ ଜୁନ୍ ୧୭ ତାରିଖରେ ଭାରତୀୟ ବାୟୁସେନାରେ ଯୋଗ ଦେଇଥିଲେ। ସେ ଜଣେ ଫାଇଟର କମ୍ବାଟ ଲିଡର ଓ ଜଣେ ଟେଷ୍ଟ ପାଇଲଟ ଏବଂ ତାଙ୍କର ପାଖାପାଖି ୨୦୦୦ ଘଣ୍ଟାର ଉଡ଼ାଣ ଅଭିଜ୍ଞତା ଅଛି। ସେ ସୁ-୩୦ ଏମ୍କେଆଇ, ମିଗ୍-୨୧, ମିଗ୍-୨୯, ଜାଗୁଆର, ହକ୍, ଡୋର୍ଣ୍ଣିୟର, ଆନ୍-୩୨ ଆଦି ବିଭିନ୍ନ ବିମାନ ଉଡ଼ାଇଛନ୍ତି।
ଇସ୍ରୋ ଭାରତୀୟ ବାୟୁସେନା ସହ ମିଶି ପ୍ରତିଭାଶାଳୀମାନଙ୍କୁ ଚୟନ କରିବା ପରେ ସେମାନଙ୍କର ଅନେକ କ୍ଲିନିକାଲ ଓ ସାଇକୋଲୋଜିକାଲ ପରୀକ୍ଷା କରାଯାଇଥିଲା। ଶେଷରେ ଜାତୀୟ କ୍ରୁ ସିଲେକ୍ସନ ବୋର୍ଡ ବାୟୁସେନାର ୪ ଜଣ ଟେଷ୍ଟ ପାଇଲଟଙ୍କ ନାମ ସୁପାରିସ କରିଥିଲା।