ନୂଆଦିଲ୍ଲୀ: ବୁଧବାର ସଂସଦରେ ହୋଇଥିବା ଅନୁପ୍ରବେଶ ୨୨ ବର୍ଷ ତଳେ, ଅର୍ଥାତ ୨୦୦୧, ଡିସେମ୍ବର ୧୩ରେ ପୁରୁଣା ସଂସଦ ଭବନ ଉପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ସ୍ମୃତିକୁ ତାଜା କରିଦେଇଛି । ଆଜି ଦର୍ଶକ ଗ୍ୟାଲେରୀରେ ବସିଥିବା ଦୁଇ ଜଣ ଯୁବକ ଶୂନ୍ୟକାଳରେ ଲୋକସଭାକୁ ଡେଇଁ ପଡ଼ିଥିଲେ ଏବଂ ଟେବୁଲ ଉପରେ ଧୂଆଁ ସ୍ପ୍ରେ କରିଥିଲେ। ଏହି ଘଟଣାର କିଛି ସମୟ ପୂର୍ବରୁ ସଂସଦ ଭବନ ବାହାରେ ଥିବା ପରିବହନ ଭବନ ସମ୍ମୁଖରେ ଜଣେ ଯୁବକ ଓ ଜଣେ ମହିଳା ସମାନ ପ୍ରକାର ଧୂଆଁ ସ୍ପ୍ରେ କରି ସ୍ଲୋଗାନ୍ ଦେଇଥିଲେ । ସେମାନେ ସମସ୍ତଙ୍କୁ ଗିରଫ କରାଯାଇଛି ।

Advertisment

ସଂସଦ ଭିତରେ ଗିରଫ ହୋଇଥିବା ଯୁବକମାନେ ହେଲେ ସାଗର ଶର୍ମା ( ପିତା : ଶଙ୍କର ଲାଲ ଶର୍ମା) ଏବଂ ମନୋରଞ୍ଜନ ଡି (ପିତା: ଦେବରାଜ ଡି)। ମନୋରଂଜନ ଡି କର୍ଣ୍ଣାଟକର ମହୀଶୂରର ବାସିନ୍ଦା ।

ଏହାବ୍ୟତୀତ ଦିଲ୍ଲୀ ପୁଲିସରୁ ମିଳିଥିବା ସୂଚନା ଅନୁଯାୟୀ, ପରିବହନ ଭବନ ସମ୍ମୁଖରୁ ଗିରଫ ହୋଇଥିବା ଦୁଇ ବିକ୍ଷୋଭକାରୀଙ୍କୁ ସଂସଦଭବନ ଷ୍ଟ୍ରିଟ୍ ଥାନାକୁ ଅଣାଯାଇ ପଚରାଉଚରା କରାଯାଉଛି। ସେମାନଙ୍କ ନାମ ନୀଲମ (୪୨) ଓ ଅନମୋଲ ସିନ୍ଦେ (୨୫) ବୋଲି ଜଣାପଡ଼ିଛି। ନୀଲମ ମୂଳତଃ ହରିୟାଣାର ହିସାରର ବାସିନ୍ଦା ଏବଂ ଅନମୋଲ ସିନ୍ଦେ ମହାରାଷ୍ଟ୍ରର ଲାଟୁରରେ ରୁହନ୍ତି ।

ପରିବହନ ଭବନ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରୁଥିବା ନୀଲମ ଓ ଅନମୋଲ ଗ୍ୟାସ ସିଞ୍ଚନ ସହ 'ଭାରତ ମାତା କି ଜୟ' ଓ 'ଏକଛତ୍ରବାଦ ଚାଲିବ ନାହିଁ' ଭଳି ସ୍ଲୋଗାନ ଦେଇଥିବା ଜଣାପଡ଼ିଛି ।