ବିଜେପିର ୨ ଉପମୁଖ୍ୟମନ୍ତ୍ରୀ ତାରକିଶୋର-ରେଣୁ ଦେବୀ କିଏ?

ପାଟନା: ବିଜେପି ବିହାରରେ ଏବେ ଉତ୍ତରପ୍ରଦେଶ ଫର୍ମୁଲା ଆପଣାଇଛି। ଉତ୍ତରପ୍ରଦେଶ ପରି ବିହାରରେ ଦୁଇଜଣ ନେତା ତାରକିଶୋର ପ୍ରସାଦ ଏବଂ ରେଣୁ ଦେବୀ ଆଜି ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ଉଭୟ ଉପମୁଖ୍ୟମନ୍ତ୍ରୀ ବିଜେପିର। ବିଜେପି ନେତା ସୁଶୀଲ ମୋଦୀ ଚଳିତ ଥର ବାଦ୍ ପଡ଼ିଛନ୍ତି। ଦୁଇ ଜଣଙ୍କୁ ଉପମୁଖ୍ୟମନ୍ତ୍ରୀ କରି ବିଜେପି ସରକାରରେ ନିଜ ନିୟନ୍ତ୍ରଣକୁ ଅଧିକ ବ୍ୟାପକ କରିବାକୁ ଚାହୁଛି।

ତାରାକିଶୋର ପ୍ରସାଦ: ୨୦୨୦ ବିହାର ବିଧାନସଭା ନିର୍ବାଚନରେ ତାରକିଶୋକର ପ୍ରସାଦ କଟିହାର ଆସନରୁ ଆର୍‌ଜେଡିର ରାମ ପ୍ରକାଶ ମାହାତୋଙ୍କୁ ହରାଇ ନିର୍ବାଚନ ଜିତିଛନ୍ତି। ତାରକିଶୋର ଲଗାତାର ଚତୁର୍ଥ ଥର ପାଇଁ କଟିହାର ଆସନରୁ ଜିତିଛନ୍ତି। ୫୨ ବର୍ଷୀୟ ତାରକିଶୋର ୨୦୦୫ରେ ପ୍ରଥମ ବିଧାନସଭା ନିର୍ବାଚନ ଜିତିଥିଲେ। ମାହାତୋଙ୍କୁ ହରାଇ ସେ ମାତ୍ର ୧୬୫ଟି ଭୋଟ୍‌ରେ ଜିତିଥିଲେ। ତେବେ ବିଜେପି ତାରାକିଶୋର ପ୍ରସାଦଙ୍କୁ ଚୟନ କରିବା ସହ ଏହା ବିହାରର ସୀମାଞ୍ଚଳକୁ ଏକ ବାର୍ତ୍ତା ପଠାଇବାପାଇଁ ଉଦ୍ୟମ କରିଛି। ଏହି ଅଞ୍ଚଳରେ ଆର୍‌ଜେଡିର ଦଖଲ ରହିଛି। ବିଜେପି ନେତୃତ୍ବାଧୀନ ଏନ୍‌ଡିଏ ଏବେ ଏହି ଅଞ୍ଚଳରେ ପ୍ରବେଶ କରିବାକୁ ଉଦ୍ୟମ ଜାରି ରଖିଛି। ତେବେ ଚଳିତ ଥର ସାଂସଦ ଅସଉଦ୍ଦିନ୍‌ ଅୱେସିଙ୍କ ଦଳ ଏଆଇଏମ୍‌ଆଇଏମ୍‌ ଏହି ଅଞ୍ଚଳରୁ ୫ଟି ଆସନରେ ଜିତିପାରିଛି। କଲ୍‌ୱର ଜାତିର ତାରକିଶୋର ପ୍ରସାଦ ବୈଶ୍ୟ ସମ୍ପ୍ରଦାୟର ଅଂଶବିଶେ‌ଷ ଏବଂ ବିହାରରେ ପଛୁଆ ବର୍ଗ ଅଧୀନରେ ଏହି ସମ୍ପ୍ରଦାୟ ଆସୁଛି। ନିର୍ବାଚନ ଦୃଷ୍ଟିକୋଣରୁ ମଧ୍ୟ ଏହି ଶ୍ରେଣୀର ଏକ ସ୍ବତନ୍ତ୍ର ଗୁରୁତ୍ବ ରହିଛି।

ରେଣୁ ଦେବୀ: ବିହାରର ବିଶାଳ ବଣିଆ ସମ୍ପ୍ରଦାୟର ଟାଣୁଆ ନେତ୍ରୀ ହେଉଛନ୍ତି ରେଣୁ ଦେବୀ। ସେ ନୋନିୟା ଜାତିରୁ ଆସିଛନ୍ତି। ବିହାରରେ ନୋନିୟା ଇବିସି (ଅତିରିକ୍ତ ପଛୁଆ ବର୍ଗ) ଅଧୀନରେ ଆସୁଛନ୍ତି। ଗତ ୧୫ ବର୍ଷ ଧରି ଏହି ନୋନିୟା ସମ୍ପ୍ରଦାୟ ଉପରେ ନୀତୀଶଙ୍କ ଦଖଲ ରହିଛି। ରେଣୁ ଦେବୀ ୨୦୧୦ ବିହାର ବିଧାନସଭା ନିର୍ବାଚନ ପରେ ନୀତୀଶ କ୍ୟାବିନେଟ୍‌ରେ ଜଣେ ମନ୍ତ୍ରୀ ଥିଲେ। ଚମ୍ପାରଣର ବେଟିହା ଆସନରୁ ଚତୁର୍ଥ ଥର ପାଇଁ ଜିତିଛନ୍ତି ରେଣୁ ଦେବୀ। ତାରକିଶୋରଙ୍କ ପରି ସେ ମଧ୍ୟ ଆର୍‌‌ଏସଏସ୍‌ ଏବଂ ବିହାର ବିଜେପି ମୁଖ୍ୟ ସଂଜୟ ଜୟସ୍ବାଲ୍‌ଙ୍କ ସହ ସେ ଘନିଷ୍ଠ।

ସମ୍ବନ୍ଧିତ ଖବର