ନୂଆଦିଲ୍ଲୀ: ଜିଏସ୍ଟି ବ୍ୟବସ୍ଥାରେ ହୋଇଥିବା ସରଳୀକରଣର ଲାଭ ଦେଶର ଚାଷୀ, ସାଧାରଣ ଜନତା, ମଧ୍ୟବିତ୍ତ ପରିବାର, ଏମ୍ଏସ୍ଏମ୍ଇ, କ୍ଷୁଦ୍ର ବ୍ୟବସାୟ ପ୍ରତିଷ୍ଠାନଗୁଡ଼ିକୁ ମିଳିବ। ମଧ୍ୟବିତ୍ତ ବର୍ଗ ବିଶେଷ ଭାବେ ଉପକୃତ ହେବେ। ସେମାନେ ବ୍ୟବହାର କରୁଥିବା ଅନେକ ଜିନିଷ ଉପରୁ ଟିକସ କମ୍ ହୋଇଥିବାରୁ ସେମାନଙ୍କ ବାର୍ଷିକ ସଞ୍ଚୟ ବଢ଼ିବ। କ୍ଲିୟର୍ଟ୍ୟାକ୍ସର ପ୍ରତିଷ୍ଠାତା ଓ ସିଇଓ ଅର୍ଚ୍ଚିତ ଗୁପ୍ତା କହିଛନ୍ତି ଯେ ବାର୍ଷିକ ୧୨ ଲକ୍ଷ ଟଙ୍କା ଆୟ କରୁଥିବା ଏକ ମଧ୍ୟବିତ୍ତ ପରିବାର ନିଜର ଖାଇବା ପିଇବା, ପିଲାଙ୍କ ଶିକ୍ଷା, ସ୍ବାସ୍ଥ୍ୟ ବୀମା ଓ ଡ୍ୟୁରେବଲ୍ ସାମଗ୍ରୀ କିଣିବାରେ ବର୍ଷକୁ ୬ ଲକ୍ଷ ଟଙ୍କା ଖର୍ଚ୍ଚ କରିଥାନ୍ତି। ଜିଏସ୍ଟି ହାର କମ୍ ହେବା ପରେ ସେମାନଙ୍କ ଖର୍ଚ୍ଚ ୪୫ ହଜାର ଟଙ୍କା କମିଯିବ। ଯଦି ଆୟକରରେ ଦିଆଯାଉଥିବା ଲାଭ ବିଚାରକୁ ନିଆଯିବ ତେବେ ଏହି ପରିବାରଗୁଡ଼ିକର ମୋଟ ବାର୍ଷିକ ସଞ୍ଚୟ ୧.୨୫ ଲକ୍ଷ ଟଙ୍କାରୁ ଅଧିକ ହେବ। ଏହି ସଞ୍ଚୟ ବାର୍ଷିକ ୧୦ ପ୍ରତିଶତ ବେତନ ବୃଦ୍ଧି ସହ ସମାନ ବୋଲି ସେ କହିଛନ୍ତି।
ଚାଷ କାମରେ ବ୍ୟବହାର ହେଉଥିବା ଉପକରଣ, ଜୈବ କୀଟନାଶକ ଓ ସାର ଉପରୁ ଜିଏସ୍ଟି କମ୍ ହୋଇଥିବାରୁ ଚାଷୀମାନଙ୍କ ଖର୍ଚ୍ଚ କମ୍ ହେବ ଏବଂ ଅଧିକ ଅମଳ ଦ୍ବାରା ଆୟ ବଢ଼ିବ। କୀଟନାଶକ ଓ ସାର ଦାମ୍ କମିବ। ଟ୍ରାକ୍ଟର ଦାମ୍ରେ ୫୦-୬୦ ହଜାର ଟଙ୍କା ପର୍ଯ୍ୟନ୍ତ ହ୍ରାସ ଘଟିବ। ତାହାର ସିଧାସଳଖ ଲାଭ ଚାଷୀମାନଙ୍କୁ ମିଳିବ। ସାମୁଦ୍ରିକ ଖାଦ୍ୟ (ସିଫୁଡ୍) ଗ୍ରାହକମାନଙ୍କୁ ସୁଲଭ ମୂଲ୍ୟରେ ମିଳିବ। ରପ୍ତାନି ବଜାରରେ ମଧ୍ୟ ଭାରତୀୟ ସିଫୁଡ୍ ପ୍ରତିଯୋଗିତାରେ ତିଷ୍ଠି ପାରିବ। ଜାଲ ଉପରୁ ଟିକସ କମ୍ ହୋଇଥିବାରୁ ମତ୍ସ୍ୟଜୀବୀ ଉପକୃତ ହେବେ। ଦେଶର ୧୯ ଲକ୍ଷ କୋଟି ଟଙ୍କାର ଦୁଗ୍ଧ ବଜାର ମଧ୍ୟ ତ୍ବରାନ୍ବିତ ହେବ ବୋଲି ମତ୍ସ୍ୟ, ପଶୁପାଳନ ଓ ଦୁଗ୍ଧ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।
ଚାଷୀଙ୍କ ଖର୍ଚ୍ଚ କମିବ, ଆୟ ବଢ଼ିବ
ବୀମା ପ୍ରିମିୟମ୍ରେ ୨୭୦୦ ଟଙ୍କା ସଞ୍ଚୟ
ଟ୍ରାକ୍ଟର ୬୦ ହଜାର ଶସ୍ତା ହେବ
ଛୋଟ କାର୍, ବାଇକ୍ ଦାମ୍ ବି କମିବ
ବ୍ୟକ୍ତିଗତ ଜୀବନବୀମା ଓ ସ୍ବାସ୍ଥ୍ୟବୀମା ଉପରୁ ଜିଏସ୍ଟି ଉଚ୍ଛେଦ କରାଯାଇଥିବାରୁ ପ୍ରିମିୟମ୍ରେ ବ୍ୟାପକ ସଞ୍ଚୟ ଆଶା କରାଯାଉଛି। ଏକ ହିସାବରୁ ଜଣାପଡ଼ିଛି, ଯେଉଁମାନେ ବର୍ଷକୁ ୧୫ ହଜାର ଟଙ୍କାର ପ୍ରିମିୟମ୍ ଦେଉଛନ୍ତି, ସେମାନଙ୍କ ପାଖାପାଖି ୨୭୦୦ ଟଙ୍କାର ସଞ୍ଚୟ ହେବ। ବୀମା କମ୍ପାନିଗୁଡ଼ିକ ଟିକସ ହ୍ରାସର ଲାଭ ଗ୍ରାହକଙ୍କୁ ଦେବାକୁ ଚାହିଲେ ଏହି ଲାଭ ସେମାନଙ୍କୁ ମିଳିପାରିବ। ପାର୍ବଣ ଋତୁରେ ଗାଡ଼ି କିଣିବାକୁ ଅପେକ୍ଷା କରିଥିବା ଗ୍ରାହକମାନେ ମଧ୍ୟ ଲାଭବାନ ହେବେ। ଛୋଟ କାର୍ଗୁଡ଼ିକର ଦାମ୍ରେ ୬୦ ହଜାର ଟଙ୍କା ପର୍ଯ୍ୟନ୍ତ ହ୍ରାସ ହେବାର ସମ୍ଭାବନା ରହିଛି। ସେହିପରି, ଦାମୀ ଗାଡ଼ିର ନୂଆ ଗ୍ରାହକମାନଙ୍କୁ ମଧ୍ୟ କମ୍ ଦାମ୍ରେ ଗାଡ଼ି ମିଳିବ। କାରଣ ଏବେ ଲଗାଯାଇଥିବା ୪୦ ପ୍ରତିଶତ ଟିକସ, ପୂର୍ବରୁ ଥିବା ଟିକସ ଓ ସେସ୍ ତୁଳନାରେ କମ୍।
ଛୋଟ କାର୍, ଏଲ୍ଇଡି ଟିଭି, ଏୟାର କଣ୍ଡିସନର, ସିନେମା ଟିକଟ, ଚକୋଲେଟ୍, ଷ୍ଟେସ୍ନାରି, ସିମେଣ୍ଟ, ସାବୁନ, ସାମ୍ପୁ, ଟୁଥ୍ପେଷ୍ଟ, ମହମବତି, ଖେଳନା, ସେଭିଂ କିଟ୍, ଔଷଧ, ନିଦାନ କିଟ୍, ଥର୍ମୋମିଟର ଉପରୁ ଟିକସ କମ୍ ହୋଇଥିବାରୁ ତାହାର ଲାଭ ଦେଶର ସିଂହଭାଗ ନାଗରିକଙ୍କୁ ମିଳିବ। ଗହଣା କ୍ଷେତ୍ର ପାଇଁ ଜିଏସ୍ଟି ହାରକୁ ୩ ପ୍ରତିଶତରେ ବଜାୟ ରଖାଯାଇଛି। କିନ୍ତୁ ଅନ୍ୟ ଜିନିଷଗୁଡ଼ିକର ଟିକସ କମ୍ ହୋଇଥିବାରୁ ଲୋକମାନଙ୍କର ଯେଉଁ ସଞ୍ଚୟ ହେବ ତାହାର ପ୍ରଭାବରେ ଗହଣା ଶିଳ୍ପ ଉପକୃତ ହେବା ଆଶା କରାଯାଉଛି। ଟିକସ ହ୍ରାସ ଦ୍ବାରା ଗହଣା ଶିଳ୍ପକୁ ୫୦ ହଜାର କୋଟି ଟଙ୍କା ଲାଭ ମିଳିବ ବୋଲି ଆକଳନ କରାଯାଇଛି। ଘର କରିବାକୁ ଚାହୁଥିବା ଲୋକମାନଙ୍କ ପାଇଁ ସିମେଣ୍ଟ୍ କମ୍ ଦାମ୍ରେ ଉପଲବ୍ଧ ହେବ। ସେଲୁନ୍, ଜିମ୍ ଓ ଯୋଗ କେନ୍ଦ୍ରରେ ହେଉଥିବା ଖର୍ଚ୍ଚ କମ୍ ହେବ।