ନୂଆଦିଲ୍ଲୀ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍ଓ)କୁ ପାଣ୍ଠି ବନ୍ଦ କରିବାକୁ ଘୋଷଣା କରିବାପରେ ତାଙ୍କୁ କଡ଼ା ସମାଲୋଚନାର ଶିକାର ହେବାକୁ ପଡ଼ିଛି। ଡବ୍ଲ୍ୟୁଏଚ୍ଓ ମୁଖ୍ୟ ଟେଡ୍ରୋସ୍ ଆଡାନୋମ୍ ଗେବ୍ରେଏସସ୍ କହିଛନ୍ତି, ଡବ୍ଲ୍ୟୁଏଚ୍ଓ କେବଳ ଜୀବନ ରକ୍ଷା କରିବା ଏବଂ କରୋନା ମହାମାରୀକୁ ରୋକିବା ଉପରେ ଧ୍ୟାନ ଦେଇଛି। ଏବେ ନଷ୍ଟ କରିବାପାଇଁ ସମୟ ନାହିଁ। ଡବ୍ଲ୍ୟୁଏଚ୍ଓର ଏକମାତ୍ର ଲକ୍ଷ୍ୟ ହେଉଛି ସବୁ ଲୋକଙ୍କୁ ସେବା ଯୋଗାଇଦେବାପାଇଁ କାମ କରିବା ଏବଂ କରୋନା ମହାମାରୀକୁ ରୋକିବା ଦିଗରେ କାମ କରିବା। ଡବ୍ଲ୍ୟୁଏଚ୍ଓକୁ ପାଣ୍ଠି ବନ୍ଦ କରିବା ସଂକ୍ରାନ୍ତ ଟ୍ରମ୍ପ୍ଙ୍କ ନିଷ୍ପତ୍ତି ପରେ ଡବ୍ଲ୍ୟୁଏଚ୍ଓ ମୁଖ୍ୟ ଏକ ଟ୍ବିଟ୍ କରି ଏହା କହିଛନ୍ତି।
ପଶ୍ଚିମବଙ୍ଗରେ କେନ୍ଦ୍ରୀୟ ବାହିନୀ ମୁତୟନ କରିବାକୁ ପଶ୍ଚିମବଙ୍ଗ ରାଜ୍ୟପାଳଙ୍କ ସୁପାରିସ
କୋଲକାତା : ପଶ୍ଚିମବଙ୍ଗରେ ଲକ୍ଡାଉନ୍ ଠିକ୍ ଭାବେ କାର୍ଯ୍ୟକାରୀ ହେଉନଥିବାରୁ ଘୋର ଅସନ୍ତୋଷ ପ୍ରକାଶ କରିଛନ୍ତି ପଶ୍ଚିମବଙ୍ଗ ରାଜ୍ୟପାଳ। ପଶ୍ଚିମବଙ୍ଗରେ ଲକ୍ଡାଉନ୍ ସଠିକ୍ ଭାବେ କାର୍ଯ୍ୟକାରୀ କରିବାପାଇଁ ରାଜ୍ୟ ସରକାର କେନ୍ଦ୍ରୀହ ବାହିନୀ ମୁତୟନ କରିବା ଉପରେ ଗୁରୁତ୍ବ ଦେବା ଉଚିତ୍ ବୋଲି ରାଜ୍ୟପାଳ ଜଗଦୀପ ଧନଖଡ଼ କହିଛନ୍ତି। କରୋନାକୁ ନିୟନ୍ତ୍ରଣ କରିବାପାଇଁ ପଶ୍ଚିମବଙ୍ଗରେ ଲକ୍ଡାଉନ୍ ନିୟମ ସଠିକ୍ ଭାବେ କାର୍ଯ୍ୟକାରୀ ହୋଇନି। ପୁଲିସ ଏବଂ ପ୍ରଶାସନ ଏହି କାର୍ଯ୍ୟରେ ବିଫଳ ହୋଇଛନ୍ତି। ଲକ୍ଡାଉନ୍ ୧୦୦ ପ୍ରତିଶତ କାର୍ଯ୍ୟକାରୀ କରିବାରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଅଧିକାରୀମାନେ ବିଫଳ ହୋଇଛନ୍ତି । ଆବଶ୍ୟକସ୍ଥଳେ ସେମାନଙ୍କୁ ଦାୟିତ୍ବରୁ ହଟାଇଦେବା ଉଚିତ ବୋଲି ରାଜ୍ୟପାଳ କହିଛନ୍ତି। ତେବେ ରାଜ୍ୟପାଳଙ୍କ ଏଭଳି ବୟାନକୁ ଟିଏମ୍ସି ପକ୍ଷରୁ କଡ଼ା ସମାଲୋଚନା କରାଯାଇଛି।
ଉତ୍ତରପ୍ରଦେଶରେ ପୁଣି ଡାକ୍ତର ଏବଂ ପୁଲିସ ଉପରେ ଆକ୍ରମଣ
ଲକ୍ଷ୍ନୌ : ଉତ୍ତରପ୍ରଦେଶରେ ପୁଣି ଡାକ୍ତର ଏବଂ ପୁଲିସ ଉପରେ ଆକ୍ରମଣ ହୋଇଛି। ଉତ୍ତରପ୍ରଦେଶର ମୋରାଦାବାଦ୍ରେ କରୋନା ସନ୍ଦିଗ୍ଧଙ୍କ ସ୍ବାସ୍ଥ୍ୟ ଯାଞ୍ଚ ପାଇଁ ଡାକ୍ତର ଓ ଅନ୍ୟ ସ୍ବାସ୍ଥ୍ୟ କର୍ମୀ ଯାଇଥିବାବେଳେ ସେମାନଙ୍କ ଉପରକୁ ପଥର ମାଡ଼ ହୋଇଛି। ପୁଲିସ ମଧ୍ୟ ଆକ୍ରମଣର ଶିକାର ହୋଇଛି। ବିଶୃଙ୍ଖଳ ଜନତା ପୁଲିସ ଗାଡ଼ି ଏବଂ ଆମ୍ବୁଲାନ୍ସ ମଧ୍ୟ ଭଙ୍ଗାରୁଜା କରିଛନ୍ତି। ପଥର ମାଡ଼ ଯୋଗୁଁ ଜଣେ ଡାକ୍ତର, ଫାର୍ମାସିଷ୍ଟ୍ଙ୍କ ସମେତ ୩ ଜଣ ଆହତ ହୋଇଛନ୍ତି। ମୋରାଦାବାଦର ହାଜି ନେବ୍ ମସଜିଦ୍ ଅଞ୍ଚଳ ନିକଟରେ ଏହି ଘଟଣା ଘଟିଥିବା ଜଣାପଡ଼ିଛି। ତେବେ ସ୍ବାସ୍ଥ୍ୟକର୍ମୀଙ୍କ ଉପରେ ଆକ୍ରମଣ ହୋଇଥିବା ଖବର ପାଇବା ପରେ ଜିଲ୍ଲାପାଳ ଏବଂ ଏସ୍ଏସ୍ପି ଘଟଣାସ୍ଥଳରେ ପହଞ୍ଚିଥିଲେ। ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଉକ୍ତ ଘଟଣାରେ ଗଭୀର ଉଦ୍ବେଗ ପ୍ରକାଶ କରିଛନ୍ତି ଏବଂ ଉକ୍ତ ମାମଲାରେ ଯେଉଁମାନେ ଦୋଷୀ ସେମାନଙ୍କ ବିରୋଧରେ ଏନ୍ଏସଏ (ଜାତୀୟ ନିରାପତ୍ତା ଆଇନ) ଲାଗୁ ହେବ ବୋଲି ସେ କହିଛନ୍ତି। ଏଭଳି ସଙ୍କଟ ସମୟରେ ଡାକ୍ତର, ସ୍ବାସ୍ଥ୍ୟକର୍ମୀ, ପୁଲିସ ଏବଂ ସଫେଇ କର୍ମୀ ଦିନ ରାତି କାମ କରୁଛନ୍ତି। ସେମାନଙ୍କୁ ଆକ୍ରମଣ କରିବା ଅକ୍ଷମଣୀୟ ବୋଲି ଯୋଗୀ କହିଛନ୍ତି।