ଜେନେଭା: କରୋନା ମହାମାରୀରୁ ରକ୍ଷା ପାଇବା ପାଇଁ ବିଶ୍ବର ଅନେକ ଦେଶରେ ଲୋକମାନେ ପ୍ରଥମ ଡୋଜ୍ ଟିକା ଏପର୍ଯ୍ୟନ୍ତ ପାଇନାହାନ୍ତି। କିନ୍ତୁ କିଛି ଦେଶ ସେମାନଙ୍କ ‌ଲୋକଙ୍କୁ ଦୁଇ ଡୋଜ୍ ଟିକା ଦେବା ପରେ ଏବେ ବୁଷ୍ଟର ଡୋଜ୍ ଦେବା ଆରମ୍ଭ କରିଦେଇଛନ୍ତି। ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (ହୁ) ମୁଖ୍ୟ ଟେଡ୍ରସ ଆଧନମ ଏହି ଦେଶଗୁଡ଼ିକର ଏପରି କାର୍ଯ୍ୟକୁ ତୀବ୍ର ନିନ୍ଦା କରିଛନ୍ତି। ଏହା ଏକ ସ୍କାଣ୍ଡାଲ ବୋଲି ସେ କହିଛନ୍ତି। ୟୁରୋପରେ ପୁଣି ଥରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଥିବା ବେଳେ ବିଶ୍ବରେ ଜୀବନ ପ୍ରତି ଅଧିକ ବିପଦ ଥିବା ବର୍ଗର ଲୋକଙ୍କୁ ପ୍ରଥମେ ଟିକା ଦେବା ଉପରେ ସେ ଗୁରୁତ୍ବାରୋପ କରିଛନ୍ତି।

Advertisment

ହୁ ପକ୍ଷରୁ କୁହାଯାଇଛି, ୟୁରୋପ ପୁଣି ଥରେ କରୋନା ମହାମାରୀର କେନ୍ଦ୍ରବିନ୍ଦୁ ପାଲଟିଛି। ଗତ ସପ୍ତାହରେ ଏଠାରେ ପାଖାପାଖି ୨୦ ଲକ୍ଷ ନୂଆ ଆକ୍ରାନ୍ତ ବାହାରିଛନ୍ତି। ମହାମାରୀ ଆରମ୍ଭ ହେବା ଦିନଠାରୁ କୌଣସି ସପ୍ତାହରେ ଏଠାରେ ଏତେ ସଂଖ୍ୟକ ସଂକ୍ରମଣ ଦେଖାଦେଇ ନଥିଲା। ସଂକ୍ରମଣକୁ ରୋକିବା ପାଇଁ କିଛି ଦେଶ କଟକଣା ଜାରି କରିବା ସହିତ ଟିକା ଏବଂ ବୁଷ୍ଟର ଡୋଜ୍ ପ୍ରଦାନ କରୁଛନ୍ତି। ତେବେ ଟିକା ସେହିମାନଙ୍କୁ ଦିଆଯିବା ଆବଶ୍ୟକ ଯେଉଁମାନଙ୍କ ପାଇଁ ଏହା ସବୁଠୁ ଅଧିକ ଆବଶ୍ୟକ ରହିଛି। କେତେ ସଂଖ୍ୟକ ଲୋକ ଟିକା ନେଲେ ତାହା ଯେତିକି ଗୁରୁତ୍ବପୂର୍ଣ୍ଣ ନୁହେଁ ବରଂ କେଉଁମାନଙ୍କୁ ଟିକା ଦିଆଯାଉଛି ତାହା ହିଁ ଅଧିକ ଗୁରୁତ୍ବପୂର୍ଣ୍ଣ ବୋଲି ଟେଡ୍ରସ କହିଛନ୍ତି।
ଏଥିସହିତ ସ୍ବାସ୍ଥ୍ୟବାନ ଲୋକଙ୍କୁ ବୁଷ୍ଟର ଡୋଜ୍ ଦେବା କିମ୍ବା ପିଲାଙ୍କୁ ଟିକା ଦେବାର କୌଣସି ମାନେ ନାହିଁ।

ବିଶ୍ବରେ ଯେତେବେଳେ ସ୍ବାସ୍ଥ୍ୟ କର୍ମୀ, ବୟସ୍କ ଲୋକ, ଜୀବନ ପ୍ରତି ବିପଦ ଥିବା ବର୍ଗର ଲୋକ ସେମାନଙ୍କ ପ୍ରଥମ ଡୋଜ୍ ଟିକା ନେବାକୁ ଅପେକ୍ଷା କରିଛନ୍ତି ସେତେବେଳେ ସ୍ବାସ୍ଥ୍ୟବାନ ଲୋକଙ୍କୁ ବୁଷ୍ଟର ଡୋଜ୍ ଦିଆଯିବାର କିଛି ଅର୍ଥ ନାହିଁ। ଗରିବ ଦେଶଙ୍କୁ ଟିକା ମିଳି ନଥିବାରୁ ବର୍ଷ ଶେଷ ପର୍ଯ୍ୟନ୍ତ ବୁଷ୍ଟର ଡୋଜ୍‌କୁ ସ୍ଥଗିତ ରଖିବା ଲାଗି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ବାରମ୍ବାର କହି ଆସୁଥିଲେ ମଧ୍ୟ ଅଧିକରୁ ଅଧିକ ଦେଶ ସେମାନଙ୍କ ଲୋକଙ୍କୁ ବୁଷ୍ଟର ଡୋଜ୍ ଦେବା ଆରମ୍ଭ କରି‌ଛନ୍ତି। ନିମ୍ନ ଆୟୁବର୍ଗର ଲୋକଙ୍କୁ ପ୍ରତିଦିନ ଯେତିକି ସଂଖ୍ୟକ ଟିକା ଦିଆଯାଉଛି ତାହା ତୁଳନାରେ ୬ ଗୁଣା ଅଧିକ ବୁଷ୍ଟର ବିଶ୍ବରେ ଦିଆଯାଉଛି। ତୁରନ୍ତ ଏହାକୁ ବନ୍ଦ କରାଯିବା ଆବଶ୍ୟକ ବୋଲି ହୁ ମୁଖ୍ୟ କହିଛନ୍ତି।