କୋଭିଡ୍‌ର ଉତ୍ପତ୍ତି ସଂକ୍ରାନ୍ତ ହୁ-ଚୀନ୍‌ ମିଳିତ ରିପୋର୍ଟ: ପ୍ରଶ୍ନ ଉଠାଇଲେ ଆମେରିକା ସମେତ ୧୪ ଦେଶ

ଵାସିଂଟନ: ମହାମାରୀ କୋଭିଡ୍‌ର ଉତ୍ପତ୍ତି ସ୍ଥଳ ସମ୍ପର୍କରେ ପ୍ରମାଣ ଖୋଜୁଥିବା ବିଶ୍ବ ସ୍ବାସ୍ଥ୍ୟ ସଂଗଠନ(ହୁ) ଓ ଚୀନ୍‌ର ମିଳିତ କମିଟି ରିପୋର୍ଟକୁ ଆମେରିକା, ଜାପାନ ଓ ବ୍ରିଟେନ୍‌ ସମେତ ୧୪ଟି ଦେଶ ବିରୋଧ କରିଛନ୍ତି। ଏହି ମିଳିତ କମିଟି ଏପରି ତଦନ୍ତ କରିବାରେ ଅହେତୁକ ବିଳମ୍ବ କରିଛନ୍ତି ଏବଂ ସେ ସଂକ୍ରାନ୍ତ ସମ୍ପୂର୍ଣ୍ଣ ଓ ପ୍ରକୃତ ତଥ୍ୟ ତଥା ନମୁନା ପାଇବାରୁ ବଞ୍ଚିତ ହୋଇଛନ୍ତି ବୋଲି ୧୪ଟି ଦେଶ ଏକ ମିଳିତ ସ୍ବାକ୍ଷରନାମାରେ ଦାବି କରିଛନ୍ତି। ଏହି ବିରୋଧପତ୍ରରେ ସ୍ବାକ୍ଷର କରିଥିବା ଅନ୍ୟଦେଶମାନଙ୍କ ଭିତରେ ଅଷ୍ଟ୍ରେଲିଆ, କାନାଡ଼ା, ଚେକୋସ୍ଳୋଭାକିଆ, ଡେନ୍‌ମାର୍କ, ଲାଟିଭିଆ, ଲିଥୁଆନିଆ, ନରୱେ, ଦକ୍ଷିଣ କୋରିଆ, ସ୍ଲୋଭେନିଆ, ଇଷ୍ଟୋନିଆ ଓ ଇସ୍ରାଏଲ ଆଦି ରହିଛନ୍ତି। ମହାମାରୀ କୋଭିଡ୍‌ର ନିୟନ୍ତ୍ରଣ ପାଇଁ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ(ହୁ)ର ଉଦ୍ୟମକୁ ସେମାନେ ପୂର୍ଣ୍ଣ ସମର୍ଥନ କରୁଛନ୍ତି ବୋଲି କହିଛନ୍ତି। ତେବେ ଅଭିନବ କରୋନାଭୂତାଣୁ ସାର୍ସ-କୋଭ୍‌-୨ର ଉତ୍ପତ୍ତିସ୍ଥଳ ଖୋଜିବାରେ ହୁ’ର ଏହି ଆନ୍ତର୍ଜାତିକ ବିଶେଷଜ୍ଞ କମିଟି ବିଶେଷ ବିଳମ୍ବ କରିବା ସହ ଏ ଦିଗରେ ବାସ୍ତବ ଓ ସମ୍ପୂର୍ଣ୍ଣ ତଥ୍ୟ ପାଇପାରିନାହାନ୍ତି ବୋଲି ସେମାନେ ଆଶଙ୍କା ପ୍ରକଟ କରିବା ସହ କ୍ଷୋଭ ମଧ୍ୟ ପ୍ରକାଶ କରିଛନ୍ତି।

ସୂଚନାଯୋଗ୍ୟ, ଗତକାଲି(ମଙ୍ଗଳବାର) ହୁ’ ପକ୍ଷରୁ ମହାମାରୀ କୋଭିଡ୍‌-୧୯ର ଉତ୍ପତ୍ତିସ୍ଥଳ ସଂକ୍ରାନ୍ତ ରିପୋର୍ଟ ପ୍ରକାଶ ପାଇଛି। ଏହି ରିପୋର୍ଟ ଉପରେ ପ୍ରଶ୍ନ ଉଠାଇଥିବା ଦେଶମାନଙ୍କ ମିଳିତ ବକ୍ତବ୍ୟ ଅନୁଯାୟୀ, ଯେତେବେଳେ ମହାମାରୀ ଘଟାଇବା ପରି କ୍ଷମତା ରଖିଥିବା ଏକ ଅଜଣା ଭୂତାଣୁର ଆବିର୍ଭାବ ହୁଏ, ସେତେବେଳେ ସାର୍ବଜନୀନ ସ୍ବାସ୍ଥ୍ୟ ବ୍ୟବସ୍ଥା ଓ କଳ କାରଖାନାକୁ ଅଧିକ ପ୍ରସ୍ତୁତ ହେବା ସହ ସରକାରଙ୍କୁ ସଫଳତାର ସହ ପରିସ୍ଥିତିର ମୁକାବିଲା ଏବଂ ଭବିଷ୍ୟତରେ ଅନୁରୂପ ମହାମାରୀକୁ ରୋକିବା ପାଇଁ ବିଶେଷଜ୍ଞମାନଙ୍କ ଦ୍ବାରା ଭୂତାଣୁର ଉତ୍ପତ୍ତିସ୍ଥଳ ଅନ୍ବେଷଣପୂର୍ବକ ନିରପେକ୍ଷ ମୂଲ୍ୟାଙ୍କନ ଜରୁରୀ। ମାତ୍ର ହୁ’ ସେଥିରେ ଅବହେଳା କରିଥିବା ସେମାନେ ଅଭିଯୋଗ ଆଣିଛନ୍ତି।

ସମ୍ବନ୍ଧିତ ଖବର