ନୂଆଦିଲ୍ଲୀ : ଏକଜିଟ୍ ପୋଲ ଆକଳନ ସତ ନହେଲେ ଏବଂ ବିଜେପିକୁ ବହୁମତ ନମିଳିଲେ କଣ ହେବ ରାଜନୈତିକ ସମୀକରଣ ? କେନ୍ଦ୍ରରେ ସରକାର ଗଠନରେ କେଉଁମାନେ ସାଜିବେ କିଙ୍ଗ ମେକର ? ରାଜନୀତି ବିଶେଷଜ୍ଞଙ୍କ ମତରେ ଉଭୟ ବିଜେପି ଓ କଂଗ୍ରେସ ଠାରୁ ଦୂରେଇ ରହୁଥିବା ରାଜନୈତିକ ଦଳ ହେବେ ନିର୍ଣ୍ଣାୟକ । ବିଶେଷ କରି ନବୀନ, କେସିଆର ଓ ୱାଇଏସ ଜଗନମୋହନଙ୍କ ଜାତୀୟ ରାଜନୀତିରେ ଗୁରୁତ୍ୱ ରହିବ । ନିଜ ନିଜ ରାଜ୍ୟରେ ଏମାନଙ୍କ ନେତୃତ୍ୱାଧୀନ ଦଳ ଭଲ କଲେ କେନ୍ଦ୍ରରେ ସରକାର ଗଠନ ପାଇଁ ବିଜେପି କିମ୍ବା କଂଗ୍ରେସକୁ ସରକାର ଗଠନରେ ସହାୟତା କରିବେ ।
ସେହିପରି ଏନଡିଏକୁ ବହୁମତ ନମିଳିଲେ ପ୍ରମୁଖ ଭୂମିକା ନେବେ ଅଣବିଜେପି ଦଳ । ବିଶେଷ କରି ବିଜେପି ଓ ମୋଦି ବିରୋଧୀ ଭାବେ ଜଣାଶୁଣା ମମତା, ମାୟାବତୀ ଓ ଅଖିଳେଶଙ୍କ ଗୁରୁତ୍ୱ ଜାତୀୟ ରାଜନୀତିରେ ବଢିବ । ମ୍ୟାଜିକ ନମ୍ବର ହାସଲ ପାଇଁ ଏମାନେ କଂଗ୍ରେସ ନେତୃତ୍ୱାଧୀନ ୟୁପିଏ ମେଣ୍ଟକୁ ବ୍ଲାକମେଲ ମଧ୍ୟ କରିପାରନ୍ତି । ସଂଖ୍ୟା ଖେଳରେ ନିଜ ରାଜ୍ୟ କିମ୍ବା ଦଳ ପାଇଁ ବଡ଼ଧରଣର ବାର୍ଗେନ କରିବାର ଯଥେଷ୍ଟ ସମ୍ଭାବନା ରହିଛି । ବିଜେପି ମଧ୍ୟ ଏକଜିଟ୍ ପୋଲ ଉପରେ ସଂପୂର୍ଣ୍ଣ ଭରସା କରିପାରୁ ନାହିଁ । ତେଣୁ ଏନଡିଏ ପରିସର ବୃଦ୍ଧି ପାଇଁ ପ୍ରୟାସ ଚଳାଇଛି । ନିର୍ବାଚନ ପରବର୍ତ୍ତି ପରିସ୍ଥିତିରେ ଆଉ କେଉଁମାନେ ବିଜେପି ସହ ଯୋଡ଼ିହେବେ ସେଥିପାଇଁ ବାଟ ଖୋଲା ରଖିଛି । ଏହି କ୍ରମରେ ଡିଏମକେ ମୁଖ୍ୟ ଏମକେ ଷ୍ଟାଲିନଙ୍କୁ ନେଇ ଜୋରଦାର ଚର୍ଚ୍ଚା ଆରମ୍ଭ ହୋଇଛି ।

ଦେଶର ତମାମ ଗଣମାଧ୍ୟମ ସଂସ୍ଥା ପକ୍ଷରୁ କରାଯାଇଥିବା ଏକଜିଟ୍ ପୋଲ ସର୍ଭେ କହୁଛି ପୁଣିଥରେ କେନ୍ଦ୍ରରେ କ୍ଷମତା ଦଖଲ କରିବାକୁ ଯାଉଛନ୍ତି ମୋଦି । ଗୁରୁବାର ଭୋଟ୍ ଗଣତି ବେଳେ ସରକାର ଗଠନ ପାଇଁ ଆବଶ୍ୟକ ସଂଖ୍ୟାଠାରୁ ଢେର ଅଧିକ ପାଇବ ବିଜେପି । ହେଲେ ଏକଜିଟ୍ ପୋଲ ସବୁବେଳେ ଏକଜାଟ୍ ପୋଲ ହୋଇନଥାଏ । ତେଣୁ ଯଦି ଏହି ତମାମ ଆକଳନ ଭୁଲ ହୁଏ ଏବଂ ମୋଦି ସରକାର ଗଠନ ପାଇଁ ଏନଡିଏ ବାହାରୁ ସମର୍ଥନ ଆବଶ୍ୟକ କରନ୍ତି ତାହା ହେଲେ କାହା ଉପରେ ଆଖି ପକାଇବେ? ଦେଶରେ ବିଖଣ୍ଡିତ ଜନମତ ଆସିଲେ କିଙ୍ଗ ମେକର ସାଜି ପାରନ୍ତି ଆଂଚଳିକ ଦଳ । ସରକାର ଗଠନ ପାଇଁ ଆବଶ୍ୟକ ସଂଖ୍ୟା ଯୋଗାଡ଼ କରିବାକୁ ନିଜ ନିଜ ରାଜ୍ୟରେ ପ୍ରଭାବ ବିସ୍ତାର କରିଥିବା ଛୋଟିଆ ରାଜନୈତିକ ଦଳଙ୍କୁ ଭରସା କରିପାରନ୍ତି ଉଭୟ ମୋଦି ଓ ରାହୁଲ ।