କରୋନା ଆତଙ୍କ : କରୋନାକୁ ମହାମାରୀ ଘୋଷଣା କଲା ବିଶ୍ବ ସ୍ବାସ୍ଥ୍ୟ ସଂଗଠନ

ଏପ୍ରିଲ୍‌ ୧୫ ପର୍ଯ୍ୟନ୍ତ ଭିସା ବନ୍ଦ, ଭାରତରେ ୬୨ ଆକ୍ରାନ୍ତ

ନୂଆଦିଲ୍ଲୀ : ୧୧୫ଟି ରାଷ୍ଟ୍ରରେ ବ୍ୟାପିଥିବା କରୋନା ଭାଇରସ୍‌ ଏବେ ସାଂଘାତିକ ସ୍ଥିତି ସୃଷ୍ଟି କରିଛି। ବିଶ୍ବବ୍ୟାପୀ ସୃଷ୍ଟି ହୋଇଥିବା ଏହି ସ୍ବାସ୍ଥ୍ୟସଙ୍କଟକୁ ଆଜି ‘ମହାମାରୀ’ ଘୋଷଣା କରିଛି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲୁଏଚ୍‌ଓ)। ସମସ୍ତ ରାଷ୍ଟ୍ର ଏହି ଭାଇରସ୍‌ର ମୁକାବିଲା ପାଇଁ ଯୋଜନାବଦ୍ଧ ଲଢ଼େଇ କରିବାକୁ ଡବ୍ଲୁଏଚ୍‌ଓ ଆହ୍ବାନ ଦେଇଛି। ଭାରତରେ ମଧ୍ୟ କରୋନା ଭାଇରସ୍‌ ଗୋଟିଏ ପରେ ଗୋଟିଏ ରାଜ୍ୟରେ କାୟା ବିସ୍ତାର କରୁଛି। ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୨ରେ ପହଞ୍ଚି ଯାଇଥିବା ବେଳେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ୬୦ଟି ମାମଲା ସ୍ପଷ୍ଟ କରାଯାଇଛି। ଭାରତ ସରକାର ସମସ୍ତ ଟୁରିଷ୍ଟ୍‌ ଭିସାକୁ ଏପ୍ରିଲ ୧୫ ପର୍ଯ୍ୟନ୍ତ ବନ୍ଦ କରିଛନ୍ତି। ବୁଧବାର ସକାଳ ସୁଦ୍ଧା ଦିଲ୍ଲୀରେ ୫ ଜଣ ଏବଂ ଉତ୍ତରପ୍ରଦେଶରେ ୯ ଜଣ ଭାଇରସ୍‌ ଆକ୍ରାନ୍ତ ହୋଇଛନ୍ତି। ୬୨ ଭାଇରସ୍‌ ଆକ୍ରାନ୍ତଙ୍କ ମଧ୍ୟରେ ୧୬ ଜଣ ଇଟାଲୀୟ ନାଗରିକ ଅଛନ୍ତି। ଆଜି ସନ୍ଧ୍ୟା ସୁଦ୍ଧା ମହାରାଷ୍ଟ୍ରରେ ସମୁଦାୟ ୭ ଜଣ ଭାଇରସ୍‌ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। କେରଳରେ ମୋଟ ୧୪ ଜଣ ଆକ୍ରାନ୍ତ ଥିବା ବେଳେ ତାମିଲନାଡ଼ୁରେ ୩ ଜଣ, କର୍ଣ୍ଣାଟକରେ ୪ ଜଣ, ଦିଲ୍ଲୀରେ ୩ ଜଣ, ଜୟପୁରରେ ୧୮ ଜଣ, ଜମ୍ମୁ କାଶ୍ମୀରରେ ୨ ଜଣ, ଅମୃତସରରେ ଦୁଇ ଜଣ ଏବଂ ୟୁପିରେ ୯ ଜଣ ଆକ୍ରାନ୍ତ ଅଛନ୍ତି। କର୍ଣ୍ଣାଟକର କଲବୁର୍ଗୀରେ କରୋନା ଭାଇରସ୍‌ରେ ୭୬ ବର୍ଷୀୟ ସନ୍ଦିଗ୍ଧଙ୍କ ମୃତ୍ୟୁ ଘଟିଛି। ତାଙ୍କର ରିପୋର୍ଟରେ ଯଦି କରୋନା ଭାଇରସ୍‌ ସ୍ପଷ୍ଟ ହୁଏ ତା’ହେଲେ ଏହା ଦେଶରେ ପ୍ରଥମ କରୋନା ମୃତ୍ୟୁ ହେବ। ତେବେ ଉକ୍ତ ବ୍ୟକ୍ତିଙ୍କ ପରିଚୟ ପ୍ରଘଟ କରିଥିବାରୁ କଲ୍‌ବର୍ଗୀ ଜିଲ୍ଲାର ଜଣେ ସ୍ବାସ୍ଥ୍ୟ ଅଧିକାରୀଙ୍କୁ ନିଲମ୍ବନ ନିର୍ଦ୍ଦେଶ ଦିଆଯାଇଛି। ବେଙ୍ଗାଲୁରୁରେ ଜଣାଶୁଣା ଆଇଟି କମ୍ପାନି ଡେଲ୍‌ର ଜଣେ ଏବଂ ମାଇଣ୍ଡ୍‌ ଟ୍ରି’ର ଜଣେ କର୍ମଚାରୀ କରୋନା ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି।

୧୧୫ଟି ଦେଶକୁ ବ୍ୟାପିଲାଣି କ‌େରାନା
୧ ଲକ୍ଷ ୨୦ ହଜାର ଲୋକ ଆକ୍ରାନ୍ତ
୪୩୦୦ରୁ ଅଧିକ
ମୃତ୍ୟୁର ଶିକାର
ଚୀନ ପରେ ଇଟାଲି,
ଇରାନ ସର୍ବାଧିକ କ୍ଷତିଗ୍ରସ୍ତ
ମୁକାବିଲା ପାଇଁ ଭାରତ କଟକଣା ବଢ଼ାଇଲା
ଏପ୍ରିଲ ୧୫ ପର୍ଯ୍ୟନ୍ତ ସମସ୍ତ ଭିସା ବନ୍ଦ
ଇଟାଲି, ଦକ୍ଷିଣ କୋରିଆକୁ ସମସ୍ତ ବିମାନ ସେବା ସ୍ଥଗିତ ରଖିଲା ଭାରତ
ଭାରତରେ ଆକ୍ରାନ୍ତ ସଂଖ୍ୟା ୬୨କୁ ବୃଦ୍ଧି
ବିପଦ ମୁହଁରେ କେରଳ, ଅଚଳ ହୋଇଯିବ

ଆଜି ଦିଲ୍ଲୀ ଏବଂ ରାଜସ୍ଥାନରେ ପୁଣି ଜଣେ ଲେଖାଏଁ ଭାଇରସ୍‌ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି।

କରୋନା ପ୍ରଭାବିତ ଦେଶକୁ ଯାତ୍ରା କରିଥିବା କୌଣସି ଅନ୍ତର୍ଜାତୀୟ କ୍ରୁଜ୍‌ ଜାହାଜର ପ୍ରବେଶ ଉପରେ ଭାରତ ରୋକ୍‌ ଲଗାଇଛି। ଏବେ ସବୁ ରାଷ୍ଟ୍ରର ନାଗରିକଙ୍କ ପାଇଁ ଭିସା କଟକଣା ଜାରି ହୋଇଛି। ଆଜି କରୋନା ମୁକାବିଲା ପାଇଁ ଦିଲ୍ଲୀରେ ‘ଗ୍ରୁପ୍‌ ଅଫ୍‌ ମିନିଷ୍ଟର୍ସ’(ମନ୍ତ୍ରୀ ଗୋଷ୍ଠୀ)ର ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ସ୍ବାସ୍ଥ୍ୟମନ୍ତ୍ରୀ ଡ. ହର୍ଷବର୍ଦ୍ଧନ ଏବଂ ବିଦେଶମନ୍ତ୍ରୀ ଡ. ଏସ୍‌. ଜୟଶଙ୍କର ମଧ୍ୟ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର