ଭାରତରେ ସଂକ୍ରମଣ ସଂଖ୍ୟା ୨ ଲକ୍ଷ ଟପିବା ବଡ଼ କଥା ନୁହେଁ, ଆଗକୁ ସ୍ଥିତି ବିସ୍ଫୋରକ ହୋଇପାରେ : ଡବ୍ଲୁଏଚଓ

ନୂଆଦିଲ୍ଲୀ : ଭାରତରେ କରୋନା ଭାଇରସ ଏବେ ୨ ଲକ୍ଷ ଟପିଯାଇଥିବାବେଳେ ବିଶ୍ବ ସ୍ୱାସ୍ଥ୍ୟ ସଂଗଠନ କହିଛି ଯେ ଭାରତରେ ଏହି ସଂକ୍ରମଣ ସଂଖ୍ୟା ଏବେ ବି କମ ରହିଛି ବୋଲି କୁହାଯାଇପାରିବ । କାରଣ ଆଗକୁ ଏହା ବିସ୍ଫୋରଣ ଗତିରେ ବଢିବାର ଆଶଙ୍କା ରହିଛି । ଏଣୁ ଭାରତ ସରକାର ସେଥିପାଇଁ ପ୍ରସ୍ତୁତି ଆରମ୍ଭ କରିଦେବା ଉଚିତ ।

ଡବ୍ଲୁଏଚଓର ଜରୁରୀକାଳୀନ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମର କାର୍ଯ୍ୟକାରୀ ନିର୍ଦ୍ଦେଶକ ମାଇକେଲ ରୟାନ କହିଛନ୍ତି ଯେ ଭାରତରେ ସଂକ୍ରମଣ ସଂଖ୍ୟା ଏବେ ପ୍ରାୟ ତିନି ସପ୍ତାହରେ ଦୁଇଗୁଣ ହେଉଛି .। ତଥାପି ଏହା ବଢିଚାଲିଛି, କିନ୍ତୁ ଏହା ପ୍ରବଳମାତ୍ରାରେ ବଢୁନାହିଁ । ପୁଣି ଭାରତର ଅଂଚଳ ଭିତ୍ତିରେ ଏହାର ପ୍ରକୋପ ଭିନ୍ନ ଭିନ୍ନ ରହିଛି । କିନ୍ତୁ ଆଗକୁ ସ୍ଥିତି ବିସ୍ଫୋରକ ସ୍ତରରେ ପହଞ୍ଚିପାରେ, ଏପରିକି ଯେକୌଣସି ସମୟରେ ଏହା ହଠାତ ବଢିଯାଇପାରେ ।

ସେ କହିଛନ୍ତି ଯେ ଭାରତରେ ଗତ ମାର୍ଚ୍ଚ ମାସରୁ ଆରମ୍ଭ ହୋଇଥିବା ଲକଡାଉନ ଦ୍ବାରା ସଂକ୍ରମଣକୁ କମାଯାଇପାରିଛି । କିନ୍ତୁ ଏବେ ସରକାର ଧୀରେ ଧୀରେ ଲକଡାଉନ ଖୋଲୁଥିବାରୁ ଆଗକୁ ସଂକ୍ରମଣ  ସଂଖ୍ୟା ହଠାତ ବଢିପାରେ । ଏଣୁ ସରକାର ସତର୍କ ରହିବା ଜରୁରୀ । ଭାରତରେ  ସଂକ୍ରମଣ ବଢିବାର କାରଣ ହେଉଛି ଘନ ଜନସଂଖ୍ୟା ଓ ବଡ଼ ପରିମାଣର ପ୍ରବାସୀ ଜନସଂଖ୍ୟା ।

ଭାରତରେ ଶନିବାର ସୁଦ୍ଧା ମୋଟ ସଂକ୍ରମିତଙ୍କ  ସଂଖ୍ୟା ୨ ଲକ୍ଷ ୩୬ ହଜାର ଟପିଯାଇଛି । ଏହା ମଧ୍ୟରେ ମୃତ୍ୟୁ ସଂଖ୍ୟା ୬୬୪୨ରେ ପହଞ୍ଚିଛି ।

ସମ୍ବନ୍ଧିତ ଖବର