ଚୀନରୁ ଖାଲି ହାତରେ ଫେରିଲା ହୁ ତଦନ୍ତକାରୀ ଦଳ, କହିଲା ୨୦୧୯ ଡିସେମ୍ବର ପୂର୍ବରୁ ଉହାନରେ କରୋନା ଭୁତାଣୁ ନଥିଲେ

ବେଜିଂ : ଯାହା ଆଶା କରାଯାଉଥିଲା, ତାହା ହିଁ ହେଲା । ଚୀନର ଉହାନରେ କରୋନାର ଉତ୍ପତ୍ତିସ୍ଥଳ ଖୋଜିବାକୁ ଯାଇଥିବା  ବିଶ୍ବ ସ୍ବାସ୍ଥ୍ୟ ସଂଗଠନ(ହୁ) ର ତଦନ୍ତକାରୀ ଦଳ ଖାଲି ହାତରେ ଫେରୁଛନ୍ତି । ଏପରିକି ଏହି ବିଶେଷଜ୍ଞମାନେ ଚୀନର ପୂର୍ବ ଦାବିକୁ ସମର୍ଥନ କରି କହିଛନ୍ତି ଯେ ୨୦୧୯ ଡିସେମ୍ବର ପୂର୍ବରୁ ଉହାନ ଭୁତାଣୁମୁକ୍ତ ଥିଲା ।

ତେବେ ବାଦୁଡ଼ି ଶରୀରରୁ କୌଣସିପ୍ରକାରେ ଏହି ଭୁତାଣୁ ମଣିଷ ଶରୀରକୁ ଯାଇଥିବା ଅନୁମାନ କରାଯାଉଛି । ତେବେ ଏନେଇ ଯଥେଷ୍ଠ ପ୍ରମାଣ ମିଳିପାରିନାହିଁ । ପ୍ରକୃତରେ କେଉଁ ପଶୁ ଶରୀରରେ ଏହି ଭୁତାଣୁ ସୃଷ୍ଟି ହୋଇଥିଲା ତାହା ଜଣାପଡ଼ିନାହିଁ ବୋଲି ଏହି ଦଳର ମୁଖ୍ୟ ଲିଆଙ୍ଗ ଓ୍ବାନିଆନ କହିଛନ୍ତି ।

ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ଏହି ତଦନ୍ତ ପ୍ରାୟ ୧ ବର୍ଷ ବିଳମ୍ବରେ ହେଉଥିବାରୁ କରୋନା ଉତ୍ପତ୍ତି ସଂପର୍କରେ ସେପରି କିଛି ବିଶେଷ ତଥ୍ୟପ୍ରମାଣ ମିଳିବାର ଆଶା କମ ବୋଲି ଅନ୍ତର୍ଜାତୀୟ ବିଶେଷଜ୍ଞମାନେ ପୂର୍ବରୁ କହିଥିଲେ । ଉହାନରେ ତଦନ୍ତ ପାଇଁ ଡବ୍ଲୁଏଚଓ ଚୀନ ନିକଟରେ ଗତ ବର୍ଷ ଦାବି କରିଥିଲେ ମଧ୍ୟ ଚୀନ ବହୁ ବିଳମ୍ବରେ ସେମାନଙ୍କୁ ଅନୁମତି ଦେଇଥିଲା ।

୨୦୧୯ରେ ଚୀନର ଏହି ଉହାନ ନଗରୀରେ ହିଁ ପ୍ରଥମ କରୋନା ଭାଇରସ ସଂକ୍ରମଣ ଆରମ୍ଭ ହୋଇଥିଲା  । ଏହାପରେ ଉହାନକୁ ପ୍ରାୟ ୭୬ ଦିନ ପାଇଁ ଲକଡାଉନ କରାଯାଇଥିଲା । ଗତବର୍ଷ ଏପ୍ରିଲ ୮ରେ ଲକଡାଉନ ଖୋଲିବା ପରେ ଉହାନ କରୋନାମୁକ୍ତ ବୋଲି ଚୀନ ସରକାର ଘୋଷଣା କରିଥିଲେ ।

 

ସମ୍ବନ୍ଧିତ ଖବର