ନୂଆଦିଲ୍ଲୀ: ବିଜେପି ସାଂସଦ ବରୁଣ ଗାନ୍ଧୀ ପୁଣି ଥରେ ନିଜ ସରକାରକୁ ଟ‌ାର୍ଗେଟ କରିଛନ୍ତି। ବରୁଣ ଗାନ୍ଧୀ ଟୁଇଟ୍ କରି ପଚାରିଛନ୍ତି ଯେ, 'ସରକାରୀ ରାଜକୋଷ ଉପରେ ପ୍ରଥମ ଅଧିକାର କାହାର ଅଛି?' ଏଥିସହ ସେ କହିଛନ୍ତି ଯେ, ବାଣ୍ଟୁଥିବା ଲୋକଙ୍କଠାରୁ ସତର୍କ ରହିବା ଉଚିତ୍ ବୋଲି ସରକାର କହୁଥିବା ବେଳେ ନିଜେ କୋଟି କୋଟି ଟଙ୍କ‌ାର 'ମାଗଣା ରେବଡି' ଦେଉଛନ୍ତି ଏବଂ ପରେ ଦୁର୍ନୀତିଗ୍ରସ୍ତ ଲୋକମାନେ ସେହି ରେବଡି ନେଇ ଦେଶ ବାହାରକୁ ଚାଲିଯାଉଛନ୍ତି। ମାଗଣା ରେବଡି ନେବାରେ ମେହୁଲ ଚୋକସି ଏବଂ ଋଷି ଅଗ୍ରୱାଲଙ୍କ ନାମ ଶୀର୍ଷରେ ରହିଛି।

Advertisment

ବରୁଣ ଗାନ୍ଧୀ ଟ୍ୱିଟ କରି ଲେଖିଛନ୍ତି, 'ଯେଉଁ ସଦନ ଗରିବ ଲୋକଙ୍କୁ ୫କିଲୋଗ୍ରାମ ରାସନ ଦେଇଥିବାରୁ ଧନ୍ୟବାଦ ପାଇବାର ଇଚ୍ଛା କରେ, ସେହି ସଦନ ୫ବର୍ଷ ମଧ୍ୟରେ ଦୁର୍ନୀତିଗ୍ରସ୍ତଙ୍କ ୧୦ଲକ୍ଷ କୋଟି ଟଙ୍କା ପର୍ଯ୍ୟନ୍ତ ଋଣ ଛାଡ କରାଯାଇଥିବା ନେଇ ସୂଚନା ଦିଏ। ମାଗଣା ରେବଡି ନେଉଥିବା ଲୋକଙ୍କ ମଧ୍ୟରେ ମେହୁଲ ଚୋକସି ଏବଂ ଋଷି ଅଗ୍ରୱାଲଙ୍କ ନାମ ଶୀର୍ଷରେ ରହିଛି। ସରକାରୀ ରାଜକୋଷ ଉପରେ ପ୍ରଥମ ଅଧିକାର କାହାର ଅଛି?

ଏହାପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ବୈଠକରେ କହିଥିଲେ ଯେ, ମାଗଣାରେ ‌ରେବଡି ବାଣ୍ଟୁଥିବା ଲୋକଙ୍କଠାରୁ ସତର୍କ ରହିବା ଉଚିତ୍। ଏବେ ନିଜ ଟ୍ବିଟ ମାଧ୍ୟମରେ ବରୁଣ କହିବାକୁ ‌ଚେଷ୍ଟା କରିଛନ୍ତି ଯେ, ଦୁର୍ନୀତିଗ୍ରସ୍ତଙ୍କ ୧୦ଲକ୍ଷ କୋଟି ଟଙ୍କା ପର୍ଯ୍ୟନ୍ତ ଋଣ ଛାଡ କରି ବିଜେପି ସରକାର ମାଗଣାରେ ରେବଡି ବାଣ୍ଟୁଛନ୍ତି। ରାଜ୍ୟ ଅର୍ଥମନ୍ତ୍ରୀ ଭାଗବତ କେ କରାଡଙ୍କ ଦ୍ୱାରା ଗୃହରେ ଉପସ୍ଥାପିତ ହୋଇଥିବା ତଥ୍ୟକୁ ବରୁଣ ଗାନ୍ଧୀ ନିଜର ଟୁଇଟ୍ ମାଧ୍ୟମରେ ସେୟାର କରି ଏଭଳି କହିଛନ୍ତି।