କୋଲ୍କାତା: ଶୁକ୍ରବାର ଦିନ ପ୍ରବର୍ତ୍ତନ ନିର୍ଦେଶାଳୟ ‘ତୃଣମୂଳ କଂଗ୍ରେସ’ ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କର ଅର୍ପିତା ମୁଖାର୍ଜୀ ନାମ୍ନୀ ଯେଉଁ ଘନିଷ୍ଠ ସହକାରୀଙ୍କ ଘରୁ ନଗଦ ୨୦ କୋଟି ଟଙ୍କା ଜବତ୍ କରିଛନ୍ତି, ସେ ହେଉଛନ୍ତି ଜଣେ ଅଭିନେତ୍ରୀ।
ଅର୍ପିତା ଜଣେ ବହୁମୁଖୀ ପ୍ରତିଭାସମ୍ପନ୍ନ ଅଭିନେତ୍ରୀ ଓ ସେ ବଙ୍ଗଳା, ଓଡ଼ିଆ ଏବଂ ତାମିଲ୍ ସିନେମାରେ ଅଭିନୟ କରିଛନ୍ତି ବୋଲି ତାଙ୍କ ‘ଫେସ୍ବୁକ୍ ବାୟୋ’ରେ ଉଲ୍ଲେଖ ଅଛି।
୨୦୦୯ରେ ସେ ବଙ୍ଗୀୟ ସିନେମାର ସୁପର୍ଷ୍ଟାର୍ ପ୍ରସେନ୍ଜିତ୍ ଚାଟାର୍ଜୀଙ୍କ ବିପକ୍ଷରେ ‘ମାମା ଭାଗ୍ନେ୍’ ଏବଂ ୨୦୦୮ରେ ‘ପାର୍ଟନର୍’ରେ ନାୟିକା ଭୂମିକାରେ ଅଭିନୟ କରିଥିଲେ।
‘ବନ୍ଦେ ଉତ୍କଳ ଜନନୀ’, ‘ତୋର ମୋର ଯୋଡ଼ି ସୁନ୍ଦର’, ‘ରାଜୁ ଆୱାରା’ ଏବଂ ‘ପ୍ରେମରୋଗୀ’ ଆଦି ଓଡ଼ିଆ ଚଳଚ୍ଚିତ୍ରରେ ମଧ୍ୟ ଅର୍ପିତା ଚାଟାର୍ଜୀ ନାୟିକା ଭୂମିକାରେ ଅବତୀର୍ଣ୍ଣ ହୋଇଛନ୍ତି।
/sambad/media/post_attachments/wp-content/uploads/2022/07/arpita.jpg)
ଏହା ବ୍ୟତିରେକେ, ‘ନାକତଲା ଉଦ୍ୟମ ସଂଘ’ ବୋଲି କୁହାଯାଉଥିବା ପାର୍ଥ ଚାଟାର୍ଜୀଙ୍କ ଦୁର୍ଗାପୂଜା କମିଟିରେ ଅର୍ପିତା ୨୦୧୯ ଓ ୨୦୨୦ ପ୍ରଚାର ଅଭିଯାନର ମୁଖ୍ୟା ଥିଲେ। ପାର୍ଥ ଚାଟାର୍ଜୀଙ୍କ କମିଟି ହେଉଛି କୋଲ୍କାତାର ଅନ୍ୟତମ ବୃହତ୍ ‘ଦୁର୍ଗାପୂଜା କମିଟି’।
ଉଲ୍ଲେଖଯୋଗ୍ୟ, ପଶ୍ଚିମବଙ୍ଗରେ ବେଆଇନ ଭାବେ ହୋଇଥିବା ଅଣ-ଶିକ୍ଷକ, ଶିକ୍ଷକ ଏବଂ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ନିଯୁକ୍ତି ମାମଲାରେ ‘ପ୍ରିଭେନ୍ସନ୍ ଅଫ୍ ମନି ଲଣ୍ଡରିଙ୍ଗ୍ ଆକ୍ଟ୍’ରେ ପ୍ରବର୍ତ୍ତନ ନିର୍ଦେଶାଳୟ ତଦନ୍ତ କରୁଛି।
ଏ ସଂକ୍ରାନ୍ତରେ ପ୍ରତିକ୍ରିୟା ବ୍ୟକ୍ତ କରି ତୃଣମୂଳ କଂଗ୍ରେସ କହିଛି ଯେ, ଅର୍ପିତାଙ୍କ ସହିତ କିଂବା ଜବତ ଅର୍ଥ ସହିତ ଦଳର ଆଦୌ ସମ୍ପୃକ୍ତି ନାହିଁ।
‘ସ୍କୁଲ୍ ସର୍ଭିସ୍ କମିସନ୍’ (ଏସ୍ଏସ୍ସି) ନିଯୁକ୍ତି ଦୁର୍ନୀତି ମାମଲା ତଦନ୍ତ ସହ ସମ୍ପୃକ୍ତି ଥିବା କାରଣରୁ ଶୁକ୍ରବାର ସକାଳେ ପ୍ରବର୍ତ୍ତନ ନିର୍ଦେଶାଳୟ ପଶ୍ଚିମବଙ୍ଗ ମନ୍ତ୍ରୀ ତଥା ‘ତୃଣମୂଳ କଂଗ୍ରେସ’ ନେତା ପାର୍ଥ ଚାଟାର୍ଜୀଙ୍କ ଘରେ ଚଢ଼ାଉ କରିଥିଲା।
‘ସ୍କୁଲ୍ ସର୍ଭିସ୍ କମିସନ୍’ ଜରିଆରେ ସରକାରୀ ସ୍କୁଲ୍ଗୁଡ଼ିକରେ ଶିକ୍ଷକ ଏବଂ ଅଣ-ଶିକ୍ଷକ ନିଯୁକ୍ତିରେ ଅନିୟମିତା ହୋଇଥିଲା ବୋଲି ଅଭିଯୋଗ ହୋଇଥିଲା। ଏହି ଦୁର୍ନୀତ ତଦନ୍ତର ଅଂଶବିଶେଷ ଭାବେ ଶୁକ୍ରବାର ଦିନ ‘ତୃଣମୂଳ କଂଗ୍ରେସ’ ନେତା ପାର୍ଥ ଚାଟାର୍ଜୀଙ୍କ ଘରେ ଚଢ଼ାଉ ହୋଇଥିଲା। ସେତେବେଳେ ପାର୍ଥ ଚାଟାର୍ଜୀ ଶିକ୍ଷାମନ୍ତ୍ରୀ ଥିଲେ।
ସମ୍ପ୍ରତି ପଶ୍ଚିମବଙ୍ଗ ରାଜ୍ୟର ଶିଳ୍ପ ମନ୍ତ୍ରୀ ଥିବା ଚାଟାର୍ଜୀଙ୍କୁ ଉପରୋକ୍ତ ମାମଲାରେ ‘ସିବିଆଇ’ ମେ ୧୮ ଏବଂ ୨୫ ତାରିଖରେ ଜେରା କରିଥିଲା।