ଗୁଇନ୍ଦାଗିରି କରୁଛନ୍ତି ସରକାର: ବିରୋଧୀ ଦଳ
ଭାରତର ଗଣତନ୍ତ୍ରକୁ ବଦ୍ନାମ କରିବାକୁ ଚକ୍ରାନ୍ତ: ମନ୍ତ୍ରୀ
ନୂଆଦିଲ୍ଲୀ : ଇସ୍ରାଏଲୀ ସଂସ୍ଥା ଦ୍ବାରା ଭାରତୀୟ ମନ୍ତ୍ରୀ, ନେତା, ବିଚାରପତି, ସାମ୍ବାଦିକ ଏବଂ ଅନ୍ୟମାନଙ୍କ ଫୋନ୍ ହ୍ୟାକ୍କୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି। ଗତକାଲି ଏହି ଖବର ପ୍ରଘଟ ହେବାପରେ ସୋମବାର ଦିନସାରା ଏହାକୁ ନେଇ ରାଜନୈତିକ ବାତାବରଣ ସରଗରମ ରହିଛି। ବିରୋଧୀ ଦଳମାନେ ଏଥିଲାଗି ସରକାରଙ୍କୁ ଦାୟୀ କରି ସଂସଦ ଅଧିବେଶନକୁ ସୋମବାର ଅଚଳ କରିବା ସହିତ ସ୍ବରାଷ୍ଟ୍ର ମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛନ୍ତି। ଅନ୍ୟପକ୍ଷରେ ଏଭଳି ଗୁଇନ୍ଦାଗିରି ପଛରେ ସରକାରଙ୍କର କୌଣସି ଭୂମିକା ନାହିଁ ବୋଲି କେନ୍ଦ୍ର ଆଇଟି ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ସଫେଇ ଦେଇଛନ୍ତି। ଭାରତ ଗଣତନ୍ତ୍ରକୁ ବଦନାମ କରିବା ଲାଗି ଏହା ଏକ ଚକ୍ରାନ୍ତ ବୋଲି କେନ୍ଦ୍ର ପକ୍ଷରୁ କୁହାଯାଇଛି।
/sambad/media/post_attachments/wp-content/uploads/2021/07/it-minister.jpg)
ଏହିସବୁ ଘଟଣା ଭିତରେ ବର୍ତମାନ ପ୍ରଶ୍ନ ଉଠିଲାଣି ଯେ କାହା କଥାରେ ପଡ଼ି ଇସ୍ରାଏଲୀ ସଂସ୍ଥା ଏନ୍ଏସ୍ଓ ଭାରତୀୟ ଲୋକଙ୍କ ଫୋନ୍ ହ୍ୟାକ୍ କରିଛି। ଯେଉଁ ସଫ୍ଟୱେର ପେଗାସସ୍ ମାଧ୍ୟମରେ ଏହି ଫୋନ୍ ହ୍ୟାକ୍ କରାଯାଇଛି, ତାହାର ମାଲିକ ଏନ୍ଏସ୍ଓ ପକ୍ଷରୁ କୁହାଯାଇଛି ଯେ କେବଳ ସରକାରୀ ସଂସ୍ଥାର ଅନୁରୋଧ କ୍ରମେ ଡାଟା ଉପଲବ୍ଧ କରାଯାଉଛି। ତେବେ ଭାରତର କେଉଁ ସରକାରୀ ସଂସ୍ଥା ଉକ୍ତ କଂପାନୀକୁ ଅନୁରୋଧ କରିଥିଲା ତାହା ସ୍ପଷ୍ଟ କରିନାହିଁ।
ଏନ୍ଏସ୍ଓର ସଫ୍ଟୱେର ପେଗାସସ୍ ମାଧ୍ୟମରେ ଭାରତର ଏକ ହଜାରରୁ ଅଧିକ ଗୁରୁତ୍ବପୂର୍ଣ୍ଣ ବ୍ୟକ୍ତିଙ୍କ ଉପରେ ଗୁଇନ୍ଦାଗିରି ନେଇ ଯେଉଁ ରିପୋର୍ଟ ପ୍ରକାଶ ପାଇଛି, ତାହା ୨୦୧୭ରୁ ୨୦୧୯ ମଧ୍ୟରେ ହୋଇଥିବା କୁହାଯାଉଛି।
୨୦୧୯ରେ ସାଧାରଣ ନିର୍ବାଚନ ପୂର୍ବରୁ ସରକାର ଏଭଳି ଗୁଇନ୍ଦାଗିରି କରିଛନ୍ତି ବୋଲି ବିରୋଧୀମାନେ ଅଭିଯୋଗ କରିଛନ୍ତି। ଏହାର ଜବାବ ଦେବାକୁ ଯାଇ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ କହିଛନ୍ତି ଯେ ଆଜି ସଂସଦ ଆରମ୍ଭ ହେବାକୁ ଯାଉଥିବା ବେଳେ ଏଥିରେ ବାଧା ସୃଷ୍ଟି କରିବା ଲାଗି ଏଭଳି ମନଗଢ଼ା ରିପୋର୍ଟ ପ୍ରକାଶ ପାଇଛି। ଭାରତକୁ ବଦନାମ କରିବା ପାଇଁ ଏହା ଏକ ଷଡ଼ଯନ୍ତ୍ର ବୋଲି ସେ କହିଛନ୍ତି।
/sambad/media/post_attachments/wp-content/uploads/2021/07/it-ministers-vaishnav-rahul-gandhi.jpg)
ଯେଉଁମାନଙ୍କର ଫୋନ୍ ହ୍ୟାକ୍ ହୋଇଛି ସେମାନଙ୍କ ମଧ୍ୟରୁ ଅନେକ ବ୍ୟକ୍ତିଙ୍କ ନାମ ଆଜି ପ୍ରକାଶ କରାଯାଇଛି। ଦ ୱାୟର ପକ୍ଷରୁ ଜାରି ପ୍ରକାଶିତ ତାଲିକାରେ କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧି, ବର୍ତ୍ତମାନର ଆଇଟି ଓ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ, ନିର୍ବାଚନ ରଣନୀତିକାର ପ୍ରଶାନ୍ତ କିଶୋର, ତୃଣମୂଳ କଂଗ୍ରେସ ସୁପ୍ରିମୋ ମମତା ବାନାର୍ଜୀଙ୍କ ପୁତୁରା ଅଭିଷେକ ବାନାର୍ଜୀ, କେନ୍ଦ୍ର ମନ୍ତ୍ରୀ ପ୍ରାହ୍ଲାଦ ପଟେଲ, ପୂର୍ବତନ ନିର୍ବାଚନ କମିସନର ଅଶୋକ ଲଭାସାଙ୍କ ପ୍ରମୁଖଙ୍କ ନାମ ରହିଛି।
ଅଶ୍ବିନୀ ବୈଷ୍ଣବଙ୍କ ସମେତ ଆଉଜଣେ କେନ୍ଦ୍ରମନ୍ତ୍ରୀ ପ୍ରହଲ୍ଲାଦ ପଟେଲ ମଧ୍ୟ ଏହି ତାଲିକାରେ ରହିଛନ୍ତି। ଏଥିସହିତ ଭିଏଚପି ନେତା ପ୍ରବୀଣ ତୋଗାଡ଼ିଆ, କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀଙ୍କ ପୂର୍ବତନ ଓଏସ୍ଡି ଏବଂ ବସୁନ୍ଧରା ରାଜେ ସିନ୍ଧିଆଙ୍କ ପୂର୍ବତନ ବ୍ୟକ୍ତିଗତ ସଚିବଙ୍କ ଫୋନ ନମ୍ବର ରହିଛି। କେନ୍ଦ୍ରମନ୍ତ୍ରୀ ପଟେଲ ଏବଂ ତାଙ୍କ ପତ୍ନୀଙ୍କ ନମ୍ବର କେବଳ ଏଥିରେ ନାହିଁ, ଅତିକମ୍ରେ ତାଙ୍କର ୧୫ ଜଣ ଘନିଷ୍ଠ ସହଯୋଗୀଙ୍କ ଟେଲିଫୋନ ନମ୍ବର ଏଥିରେ ରହିଛି।
ଲିକ୍ ରିପୋର୍ଟରେ ଅଶ୍ବିନୀ ବୈଷ୍ଣବ ବ୍ୟବହାର କରୁଥିବା ଦୁଇଟି ଫୋନ୍ ନମ୍ବର ଏବଂ ତାଙ୍କ ପତ୍ନୀଙ୍କ ଗୋଟିଏ ଫୋନ ନମ୍ବର ରହିଛି। ୨୦୧୭ ମଧ୍ୟଭାଗରେ ଏହି ଦମ୍ପତିଙ୍କ ନମ୍ବରକୁ ଟାର୍ଗେଟ କରାଯାଇଥିଲା। ସେହିଭଳି କଂଗ୍ରେସ ସଭାପତିଙ୍କ ଦୁଇଟି ଫୋନ ନମ୍ବରକୁ ଏଥିରେ ଟାର୍ଗେଟ କରାଯାଇଥିଲା। ଏଥିସହିତ ରାହୁଲଙ୍କ ୫ ଜଣ ଚିହ୍ନା ପରିଚିତ ବ୍ୟକ୍ତିଙ୍କ ନମ୍ବର ମଧ୍ୟ ଏଥିରେ ରହିଛି। ରାହୁଲଙ୍କ ଦୁଇଟି ନମ୍ବର ଥିବା କୁହାଯାଉଛି।
ଏଥିସହିତ ୨୦୧୯ ସାଧାରଣ ନିର୍ବାଚନ ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଗୃହମନ୍ତ୍ରୀ ଅମିତ୍ ଶାହା ଆଦର୍ଶ ଆଚରଣବିଧି ଉଲ୍ଲଂଘନ କରୁଥିବା ନେଇ ଅଭିଯୋଗ ହୋଇଥିଲା। ମୋଦୀ ଏବଂ ଶାହଙ୍କୁ କମିସନ୍ କ୍ଲିନ ଚିଟ୍ ଦେବାରୁ ଏହାକୁ ତତ୍କାଳୀନ ନିର୍ବାଚନ କମିସନର ଅଶୋକ ଲାଭାସା ଦୃଢ଼ ବିରୋଧ କରୁଥିଲେ। ତାଙ୍କ ଫୋନ୍ ନମ୍ବର ମଧ୍ୟ ଗୁଇନ୍ଦାଗିରିର ଟାର୍ଗେଟରେ ରହିଥିବା ଜଣାପଡ଼ିଛି। ଏଥିସହିତ ବୈଜ୍ଞାନିକ ତଥା କେନ୍ଦ୍ର ବିଜ୍ଞାନ ମନ୍ତ୍ରାଳୟ ଅଧୀନ ସ୍ବାଧୀନ ସଂସ୍ଥା ଟ୍ରାନ୍ସଲେସନାଲ ହେଲ୍ଥ ସାଇନ୍ସ ଆଣ୍ଡ ଟେକ୍ନୋଲୋଜି ଇନଷ୍ଟିଚ୍ୟୁଟ୍ (ଟିଏଚଏସଟିଆଇ)ର ପୂର୍ବତନ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଗଗନଦୀପ କାଙ୍ଗଙ୍କ ନମ୍ବର ମଧ୍ୟ ଏଥିରେ ରହିଛି।
ଏପରିକି ରଂଜନ ଗୋଗୋଇ ସୁପ୍ରିମ କୋର୍ଟର ପ୍ରଧାନ ବିଚାରପତି ଥିବା ସମୟରେ ତାଙ୍କ ବିରୋଧରେ ଯୌନ ଉତ୍ପୀଡନ ଅଭିଯୋଗ ଆଣିଥିବା ମହିଳା ଏବଂ ତାଙ୍କ ପରିବାର ସଦସ୍ୟ ମଧ୍ୟ ପେଗାସସ ସ୍ପାଏୱେର ଟାର୍ଗେଟରେ ଥିଲେ। ସଂପୃକ୍ତ ମହିଳା, ତାଙ୍କ ସ୍ବାମୀ ଏବଂ ପରିବାର ସଦସ୍ୟ ବ୍ୟବହାର କରୁଥିବା ୧୧ଟି ଟେଲିଫୋନ ନମ୍ବର ଏଥିରେ ରହିଥିଲା।
ତାଲିକାରେ ୧୦ ଦେଶ
ଅନ୍ତର୍ଜାତୀୟ ସ୍ତରରେ ଲିକ୍ ହୋଇଥିବା ତଥ୍ୟ ପ୍ୟାରିସଭିତ୍ତିକ ଗଣମାଧ୍ୟମ ସଂସ୍ଥା ଫରବିଡେନ୍ ଷ୍ଟୋରିଜ୍ ଏବଂ ଆମ୍ନେଷ୍ଟି ଇଣ୍ଟରନ୍ୟାସନାଲ ହାତରେ ଲାଗିଛି। ବିଶ୍ବର ଏକାଧିକ ଗଣମାଧ୍ୟମକୁ ଏହି ରିପୋର୍ଟ ହସ୍ତାନ୍ତର କରାଯାଇଛି। ମିଳିତ ଅନୁସନ୍ଧାନ ପାଇଁ ଏହା କରାଯାଇଛି। ଏଥିରେ ରହିଥିବା ଅଧିକାଂଶ ଫୋନ ନମ୍ବର ମୁଖ୍ୟତଃ ଭାରତ ସମେତ ୧୦ଟି ଦେଶର ବୋଲି ଜଣାଯାଇଛି। ଅନ୍ୟ ଦେଶଗୁଡ଼ିକ ହେଲା ଆଜାରବୈଜାନ, ବାହାରିନ, ହଙ୍ଗେରି, କାଜାଖସ୍ତାନ, ମେକ୍ସିକୋ, ମରକୋ, ରୁଆଣ୍ଡା, ସାଉଦି ଆରବ ଏବଂ ସଂଯୁକ୍ତ ଆରବ ଏମିରେଟ୍ସ।