ଶ୍ରୀନଗର: ଶ୍ରୀନଗରର ଏସ୍ଏମ୍ଏଚ୍ଏସ୍ ହସ୍ପିଟାଲ୍‌ର ପୂର୍ବତନ ସହକାରୀ ପ୍ରଫେସର ଡାକ୍ତର ନିସାର ଉଲ୍ ହାସନର ନାମ ଫରିଦାବାଦ ଆତଙ୍କବାଦୀ ଷଡ୍‌ଯନ୍ତ୍ର ଓ ଲାଲକିଲ୍ଲା ବିସ୍ଫୋରଣ ମାମଲାରେ ସାମ୍ନାକୁ ଆସିବା ପରେ ସେ ପୁଣି ଥରେ ଚର୍ଚ୍ଚାକୁ ଆସିଛି। ଜମ୍ମୁ-କାଶ୍ମୀର ଲେଫ୍ଟନାଣ୍ଟ ଗଭର୍ଣ୍ଣର ପ୍ରଶାସନ ଦ୍ୱାରା ଧାରା ୩୧୧ (୨) (ସି) ଅନୁଯାୟୀ ‘ଦେଶବିରୋଧୀ କାର୍ଯ୍ୟକଳାପ’ ପାଇଁ ନଭେମ୍ବର ୨୦୨୩ରେ ସରକାରୀ ଚାକିରିରୁ ବରଖାସ୍ତ ହୋଇଥିଲା ଡକ୍ଟର ନିସାର । ଏକଦା ଆତଙ୍କବାଦୀ ହଟ୍‌ବେଡ୍ ଭାବରେ ପରିଗଣିତ ସୋପୋରର ଆଚାବାଲ ଗ୍ରାମର ମୂଳ ବାସିନ୍ଦା ଡାକ୍ତର ନିସାର ୧୯୯୧ରେ ଶ୍ରୀନଗରର ସରକାରୀ ମେଡିକାଲ୍ କଲେଜରୁ ଏମ୍‌ବିବିଏସ୍ ସମାପ୍ତ କରିଥିଲା ଏବଂ ୨୦୦୧ରେ ଶେର-ଏ-କାଶ୍ମୀର ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍‌ରୁ ଜେନେରାଲ୍ ମେଡିସିନରେ ଏମ୍‌ଡି କରିଥିଲା। ବର୍ଷ ବର୍ଷ ଧରି ତା’ର ଭାରତ ବିରୋଧୀ ବୟାନ ଓ ବିଚ୍ଛିନ୍ନତାବାଦୀ ଦୃଷ୍ଟିକୋଣ ସୁରକ୍ଷା ଏଜେନ୍ସିଗୁଡ଼ିକର ଯାଞ୍ଚକୁ ଆକର୍ଷିତ କରିଥିଲା।  ଜମ୍ମୁ-କାଶ୍ମୀର ଉପରାଜ୍ୟପାଳ ତା’କୁ ଏକ ‘ଟିକିଂ ଟାଇମ୍ ବମ୍’ ବୋଲି ବର୍ଣ୍ଣନା କରିଛନ୍ତି। ଏସ୍ଏମ୍ଏଚ୍ଏସ୍ ହସ୍ପିଟାଲରେ ସହକାରୀ ପ୍ରଫେସର ଭାବରେ ତାଙ୍କର କାର୍ଯ୍ୟକାଳ ବିବାଦୀୟ ଥିଲା। ବିଚ୍ଛିନ୍ନତାବାଦୀ ରାଜନୀତି ସହ ଜଡ଼ିତ ହେବା ହେତୁ ସୁରକ୍ଷା ଏଜେନ୍ସିମାନେ ବର୍ଷ ବର୍ଷ ଧରି ତା’ ଉପରେ ତୀକ୍ଷ୍ଣ ନଜର ରଖିଥିଲେ।

Advertisment

ତାଙ୍କର ସରକାରୀ ଚାକିରି ସମୟରେ ଡ. ନିସାର ଡକ୍ଟର୍ସ ଆସୋସିଏସନ୍ ଅଫ୍ କାଶ୍ମୀର (ଡିଏକେ)ର ସଭାପତି ଭାବରେ କାର୍ଯ୍ୟ କରିଥିଲା ଏବଂ ଶାସକ ପ୍ରତିଷ୍ଠାନ ସହିତ ମୁହାଁମୁହିଁ ହେବା ପାଇଁ ଚର୍ଚ୍ଚିତ ଥିଲା। ମେ ୨୦୧୩ରେ ସେ ଜମ୍ମୁ-କାଶ୍ମୀରରେ ନକଲି ଡ୍ରଗ୍ସ ଦୁର୍ନୀତିର ପ୍ରତିବାଦ କରି ଧର୍ମଘଟ ଡାକରା ଦେଇଥିଲା, ଯାହା ନିମ୍ନମାନର ଔଷଧ କାରଣରୁ ରୋଗୀଙ୍କ ମୃତ୍ୟୁ ଖବର ଆସିବା ପରେ ବ୍ୟାପକ ଅସନ୍ତୋଷ ସୃଷ୍ଟି କରିଥିଲା। ହୁରିଆତ କନଫରେନ୍ସ ସମେତ ବିଚ୍ଛିନ୍ନତାବାଦୀ ଗୋଷ୍ଠୀ ଏହାକୁ ସମର୍ଥନ କରିବା ପରେ ଏହି ଧର୍ମଘଟ ରାଜନୈତିକ ଭାବରେ ଚର୍ଚ୍ଚିତ ହୋଇଥିଲା। ମେ ୨୦୧୪ରେ ଓମାର ଅବଦୁଲ୍ଲା ସରକାର ତାକୁ ଦେଶଦ୍ରୋହଜନକ ବିବୃତି ପାଇଁ ନିଲମ୍ବିତ କରିଥିଲେ, ଯେତେବେଳେ ସେ ସରକାରୀ କର୍ମଚାରୀମାନଙ୍କୁ ନିର୍ବାଚନ ଡ୍ୟୁଟିକୁ ବର୍ଜନ କରିବା ଓ ଟିକସ ଦେବା ବନ୍ଦ କରିବା ପାଇଁ ଅନୁରୋଧ କରିଥିଲା।  

୨୦୧୮ରୁ ୨୦୨୩ ମଧ୍ୟରେ, ଡ. ନିସାର ପୁଲିସ କାର୍ଯ୍ୟାନୁଷ୍ଠାନରୁ ବର୍ତ୍ତିବା ପାଇଁ ତା’ର ଉଗ୍ର ବୟାନକୁ ସୀମିତ ରଖିଥିଲା। ତେବେ ତା’ର ଅତୀତର ବିବୃତି ଓ ବିଚ୍ଛିନ୍ନତାବାଦୀ ପ୍ରବୃତ୍ତି ୨୦୨୩ରେ ପୁନର୍ବାର ସାମ୍ନାକୁ ଆସିଥିଲା ଏବଂ ସେ ଚାକିରି ହରାଇଥିଲା।  ‘ଟିକିଂ ଟାଇମ୍ ବମ୍’  ଭାବେ ପରିଚିତ ଏହି ବ୍ୟକ୍ତି ଏବେ ଜୈସର ‘ହ୍ୱାଇଟ୍ କଲର୍’ ଆତଙ୍କବାଦୀ ମଡ୍ୟୁଲ୍‌ର ଅନ୍ୟତମ ସକ୍ରିୟ ସଦସ୍ୟ ବୋଲି ତଦନ୍ତରୁ ଜଣାପଡ଼ିଛି।। ଗତ କିଛି ବର୍ଷ ଧରି ଡାକ୍ତର ନିସାର ଅଲ୍-ଫଲାହ ବିଶ୍ୱବିଦ୍ୟାଳୟରେ ଜେନେରାଲ୍ ମେଡିସିନ୍ ପ୍ରଫେସର ଭାବରେ କାର୍ଯ୍ୟ କରୁଥିଲା। ଲାଲକିଲ୍ଲା ବିସ୍ଫୋରଣ ଷଡ୍‌ଯନ୍ତ୍ରର କଥିତ ମାଷ୍ଟରମାଇଣ୍ଡ ଡାକ୍ତର ମହମ୍ମଦ ଉମର ନବୀ  ସହ ତାଙ୍କର ସମ୍ପର୍କ ଅନୁସନ୍ଧାନକାରୀମାନେ ଯାଞ୍ଚ କରୁଛନ୍ତି, ଯିଏକି ତା’ ଅଧୀନରେ ଏକ ବର୍ଷରୁ ଅଧିକ ସମୟ ଧରି କନିଷ୍ଠ ଡାକ୍ତର ଭାବରେ କାର୍ଯ୍ୟ କରିଥିଲା। ଡାକ୍ତର ନିସାର୍‌ର ପତ୍ନୀ ଡାକ୍ତର ସୁରୈୟା ଦୁଇ ଡାକ୍ତରଙ୍କ ମଧ୍ୟରେ ସମ୍ପର୍କ ତିକ୍ତ ଥିଲା ବୋଲି ବର୍ଣ୍ଣନା କରିବା ସହ ସ୍ବାମୀଙ୍କ ଫେରାର ଖବରକୁ ଖଣ୍ଡନ କରିଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ ଅଲ୍-ଫଲାହ ବିଶ୍ୱବିଦ୍ୟାଳୟର ଅନେକ ଛାତ୍ର ଓ ଅଧ୍ୟାପକଙ୍କ ସହ ତାଙ୍କୁ ପଚରାଉଚରା ପାଇଁ ଏନ୍‌ଆଇଏ ଆନୁଷ୍ଠାନିକ ଭାବରେ ତାଙ୍କୁ ଅଟକ ରଖିଛି ଏବଂ ଏହାକୁ ଅତ୍ୟନ୍ତ ଗୁପ୍ତ ରଖାଯାଉଛି।