ମୁମ୍ବାଇ: ମହାରାଷ୍ଟ୍ରର ମରୁଡ଼ି ପ୍ରବଣ ବିଦର୍ଭରେ ତାପମାତ୍ରା ବଢ଼ିଚାଲିବା ସହ ରାଜନୈତିକ ଉଷ୍ମତା ମଧ୍ୟ ଚରମରେ ପହଞ୍ଚିଛି। ବିଦର୍ଭ ଦଖଲ ପାଇଁ ବିଜେପି-ଶିବସେନା ଏବଂ କଂଗ୍ରେସ ପ୍ରବଳ ପ୍ରୟାସ ଜାରି ରଖିଛନ୍ତି। ଏଠାରେ ଏପ୍ରିଲ ୧୧ ଏବଂ ୧୮ରେ ନିର୍ବାଚନ ହେବ। ୨୦୧୪ ନିର୍ବାଚନରେ ମରୁଡ଼ି, ଚାଷୀ ଆତ୍ମହତ୍ୟା ଏବଂ ମାଓବାଦୀ କାଣ୍ଡର ମୁକାବିଲା କରିବାକୁ ଅସ୍ତ୍ର କରି ବିଜେପି-ଶିବସେନା ମେଣ୍ଟ ଏଠାରେ ଭୋଟ୍ ପୋଛି ନେଇଥିଲା। କିନ୍ତୁ ଚଳିତ ନିର୍ବାଚନରେ ବିଜେପି-ଶିବସେନା ମେଣ୍ଟ ପୂର୍ବ ସଫଳତା ବଜାୟ ରଖିବା ଏତେ ସହଜ ହେବନାହିଁ। ପୂର୍ବ ପ୍ରତିଶ୍ରୁତି ପୂରଣରେ ବିଫଳତା ଏବେ ମେଣ୍ଟକୁ ଅଡ଼ୁଆରେ ପକାଉଛି। ବିଦର୍ଭକୁ ପୂର୍ବ ଏବଂ ପଶ୍ଚିମ ବିଦର୍ଭ ଭାବେ ଦୁଇଭାଗରେ ବିଭକ୍ତ କରାଯାଇଛି। ନାଗପୁର, ଭନ୍ଦରା, ଚନ୍ଦ୍ରପୁର, ଗଡ଼ଚିରୋଲି, ଗୋନ୍ଦିଆ ଏବଂ ୱାର୍ଦ୍ଧା ପୂର୍ବ ବିଦର୍ଭରେ ଥିବାବେଳେ ପଶ୍ଚିମ ବିଦର୍ଭରେ ରହିଛି ଅକୋଲା, ଅମରାବତୀ, ବୁଲଧନ, ୟବତମାଲ୍ ଏବଂ ୱାସିମ୍। ଶାସକ ବିଜେପି-ଶିବସେନା ମେଣ୍ଟ ଏଠାରେ ୨୦୧୪ରେ ୧୦ଟି ଆସନ ଜିତିଥିଲେ। ମୋଦୀଙ୍କ ଲୋକପ୍ରିୟତା ଏବଂ ପ୍ରତିଶ୍ରୁତିକୁ ଦେଖି କୃଷକମାନେ ଏଠାରେ ବିଜେପି-ଶିବସେନା ମେଣ୍ଟକୁ ସମର୍ଥନ ଦେଇଥିଲେ। କିନ୍ତୁ ଏଥର ସ୍ଥିତି ବଦଳିପାରେ। କୃଷକମାନେ ଶାସକ ଦଳ ଉପରେ ଆଦୌ ସନ୍ତୁଷ୍ଟ ନାହାନ୍ତି। ସରକାର ଦେଇଥିବା ପ୍ରତିଶ୍ରୁତି ଏଯାବତ୍ ପୂରଣ ହୋଇନାହିଁ। ଉତ୍ପାଦର ସର୍ବନିମ୍ନ ସହାୟକ ମୂଲ୍ୟ ସହ କୃଷକଙ୍କୁ ବିଜେପି-ଶିବସେନା ମେଣ୍ଟ ଦ୍ବାରା ଦିଆଯାଇଥିବା ଅନ୍ୟା ପ୍ରତିଶ୍ରୁତି ମଧ୍ୟ ପୂରଣ ହୋଇନି। ୨୦୧୮ରେ ମହାରାଷ୍ଟ୍ରରେ ହୋଇଥିବା ୨,୨୪୪ ଚାଷୀ ଆତ୍ମହତ୍ୟା ଘଟଣାରୁ ୧୨୯୭ଟି ବିଦର୍ଭରେ ହୋଇଥିଲା। ତେବେ ଜାନୁଆରି ୨୦୧୫ରୁ ଡିସେମ୍ବର ୨୦୧୮ ମଧ୍ୟରେ ସମୁଦାୟ ୧୨,୦୦୬ କୃଷକ ଆତ୍ମହତ୍ୟା କରିଛନ୍ତି। ଏହି ଘଟଣାକୁ ନେଇ ମଧ୍ୟ କୃଷକମାନେ ଶାସକ ଦଳ ଉପରେ କ୍ଷୁବ୍ଧ ଅଛନ୍ତି। ବିଦର୍ଭ ଜାତୀୟ ରାଜନୀତିରେ କିଛି ଟାଣୁଆ ନେତାଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବ। କେନ୍ଦ୍ର ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ ବିଦର୍ଭର ନାଗପୁରରୁ ନିର୍ବାଚନ ଲଢ଼ୁଥିବାବେଳେ ଅନ୍ୟ ଜଣେ ମନ୍ତ୍ରୀ ହଂସରାଜ ଆହିର ଚନ୍ଦ୍ରପୁରରୁ ନିର୍ବାଚନ ଲଢ଼ୁଛନ୍ତି। ସେହିପରି ପୂର୍ବତନ ରାଜ୍ୟ କଂଗ୍ରେସ ଅଧ୍ୟକ୍ଷ ଏବଂ ରାଜ୍ୟ ବିଧାନସଭା ପରିଷଦର ଉପସଭାପତି ମାଣିକରାଓ ଠାକ୍ରେ (ୟବତମାଲ-ୱାସିମ୍)ରୁ ନିର୍ବାଚନ ଲଢ଼ୁଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏପ୍ରିଲ ୧ରେ ମହାରାଷ୍ଟ୍ରରେ ରୢାଲି କରୁଥିବାରୁ ଏଥିପାଇଁ ବ୍ୟପକ ପ୍ରସ୍ତୁତି ଚାଲିଛି।
ବିଦର୍ଭରେ କିଏ ଜିତିବ ନିର୍ବାଚନ?
ଚାଷୀଙ୍କ ହାତରେ ଟାଣୁଆ ନେତାଙ୍କ ଭାଗ୍ୟ
/sambad/media/post_attachments/wp-content/uploads/2019/03/22.jpeg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)