ଗୋପାଳ କାଣ୍ଡାଙ୍କ ସମର୍ଥନକୁ ନେଇ ବିବାଦ, ବିଜେପିକୁ ଘେରିଲେ ବିରୋଧୀ

ଦଳ ନୈତିକ ମୂଲ୍ୟବୋଧ ଭୁଲିବା ଉଚିତ ନୁହେଁ: ଉମା

ନୂଆଦିଲ୍ଲୀ: ହରିୟାଣାରେ ପୁଣି ବିଜେପି ସରକାର ଗଠନ ପାଇଁ ହରିୟାଣା ଲୋକହିତ ପାର୍ଟି ନେତା ଗୋପାଳ କାଣ୍ଡା ବିଜେପିକୁ ନିଃସର୍ତ୍ତ ସମର୍ଥନ ପ୍ରଦାନ କରିବେ ବୋଲି ଘୋଷଣା କରିଥିବାରୁ ଏହାକୁ ନେଇ ବଡ଼ ବିବାଦ ଆରମ୍ଭ ହୋଇଛି। ବିଭିନ୍ନ ଅପରାଧିକ ମାମଲାରେ ଅଭିଯୁକ୍ତ ଥିବା କାଣ୍ଡା ସାମ୍ବାଦିକମାନଙ୍କୁ ସୂଚନା ଦେଇ କହିଛନ୍ତି ଯେ ସେ ଏବଂ ଅନ୍ୟ ସମସ୍ତ ସ୍ବାଧୀନ ବିଧାୟକ ବିଜେପିକୁ ସମର୍ଥନ କରିବାପାଇଁ ନିଷ୍ପତ୍ତି ନେଇଛନ୍ତି। ଦିଲ୍ଲୀରେ ଆଜି ୬ ସ୍ବାଧୀନ ବିଧାୟକ ମଧ୍ୟ ବିଜେପିର କାର୍ଯ୍ୟକାରୀ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ସାକ୍ଷାତ କରିଛନ୍ତି। କିନ୍ତୁ ବିଜେପି କାଣ୍ଡାଙ୍କ ସମର୍ଥନ ଗ୍ରହଣ କରିବ କି ନାହିଁ ତାହା ସ୍ପଷ୍ଟ କରିନଥିଲେ ମଧ୍ୟ କଂଗ୍ରେସ ସମେତ ବିଭିନ୍ନ ବିରୋଧୀ ଦଳ ଏହି ପ୍ରସଙ୍ଗରେ ବିଜେପିକୁ ଘେରିଛି। ଆଜି ବିଜେପି-ଜେଜେପି ସରକାର ଗଠନ ପାଇଁ ଆନୁଷ୍ଠାନିକ ଘୋଷଣା ହୋଇଥିବା ବେଳେ ଆସନ୍ତାକାଲି ସ୍ବାଧୀନ ଓ ଅନ୍ୟ ଦଳର ବିଧାୟକଙ୍କ ସଂପର୍କରେ ନିଷ୍ପତ୍ତି ନିଆଯିବ ବୋଲି ଜଣାପଡ଼ିଛି।

କାଣ୍ଡାଙ୍କ ସମର୍ଥନ ନେଇ ବିଜେପି ଉପାଧ୍ୟକ୍ଷ ଉମା ଭାରତୀ ମଧ୍ୟ ବିଜେପିକୁ ଚେତାଇ ଦେଇଛନ୍ତି। ଉମା ଭାରତୀ କହିଛନ୍ତି, ବିଜେପି ହରିୟାଣାରେ ସରକାର ଗଠନ ପାଇଁ ବିବାଦୀୟ ବିଧାୟକ ଗୋପାଳ କାଣ୍ଡାଙ୍କ ସମର୍ଥନ ନେବା ଉଚିତ୍‌ ନୁହେଁ। ଦଳ ନୈତିକ ମୂଲ୍ୟବୋଧକୁ ମନେ ପକାଇ କାମ କରିବାକୁ ହେବ ବୋଲି ଉମା କହିଛନ୍ତି। ଉମ‌ା କହିଛନ୍ତି ଗୋପାଳ କାଣ୍ଡା ଅପରାଧୀ କି ନିର୍ଦ୍ଦୋଷ ତାହା କୋର୍ଟ ନିଷ୍ପତ୍ତି ନେବ, କିନ୍ତୁ ସେ ନିର୍ବାଚନ ଜିତିଛନ୍ତି ‌ବୋଲି ତାଙ୍କ ଅପରାଧକୁ ଭୁଲିଯିବା ଅନୁଚିତ। କଂଗ୍ରେସ ମୁଖପାତ୍ର ରଣଦୀପ ସୂର୍ଯ୍ୟେୱାଲା କହ‌ିଛନ୍ତି ଯେ ବିଜେପି ଏବେ ଅପରାଧୀଙ୍କୁ ନେଇ କ୍ଷମତା ଦଖଲ କରିବାକୁ ଯୋଜନା କରିଛି। ପୂର୍ବରୁ କାଣ୍ଡା ହରିୟାଣାର କଂଗ୍ରେସ ସରକାରରେ ଜଣେ ମନ୍ତ୍ରୀ ଥିଲେ।

ଗୋପାଳ କାଣ୍ଡା କି’ଏ ଏବଂ ତାଙ୍କ ବିରୋଧରେ ଅଭିଯୋଗ କ’ଣ?
୫୩ ବର୍ଷୀୟ ଗୋପାଳ କାଣ୍ଡା ହରିୟାଣାର ସିର୍ସା ଆସନରୁ ନିର୍ବାଚନ ଜିତିଛନ୍ତି। ସିର୍ସାରେ ଜଣେ ଜୋତା ଦୋକାନ ମାଲିକ ଭାବେ କାଣ୍ଡା‌ ଆଗକୁ ବଢ଼ିଥିଲେ। ପରେ ସେ ରିୟଲ ଇ‌‌ଷ୍ଟେଟ୍‌ ବ୍ୟବସାୟରେ ଯୋଗ ଦେଇଥିଲେ ଏବଂ ବିମାନ ଚଳାଚଳ କ୍ଷେତ୍ରରେ ମଧ୍ୟ ପ୍ରବେଶ କରିଥିଲେ। ଭୁପିନ୍ଦର ସିଂହ ହୁଦା ନେତୃତ୍ବାଧୀନ କଂଗ୍ରେସ ସରକାରରେ କାଣ୍ଡା ଗୃହ ମନ୍ତ୍ରୀ ଥିଲେ। ୨୦୧୨ ଅଗଷ୍ଟ ୫ ତାରିଖରେ କାଣ୍ଡାଙ୍କ କମ୍ପାନି ଏମ୍‌ଡିଏଲଆର ଏୟାରଲାଇନ୍ସରେ କାମ କରୁଥିବା ଜଣେ ମହିଳା କର୍ମଚାରୀ ଗୀତିକା ଶର୍ମା ତାଙ୍କ ବାସଭବନରେ ଆତ୍ମହତ୍ୟା କରିଥିଲେ। ସେ ତାଙ୍କ ସୁଇସାଇଡ୍ ନୋଟ୍‌ରେ ଦର୍ଶାଇଥିଲେ ଯେ କାଣ୍ଡା ଏବଂ ତାଙ୍କର ଜଣେ କର୍ମଚାରୀଙ୍କ ନିର୍ଯାତନା ସହିନପାରି ସେ ଏଭଳି ଚରମ ପଦକ୍ଷେପ ନେବାକୁ ଯାଉଛନ୍ତି। ଏହାପରେ ହରିୟାଣାରେ ତତ୍କାଳୀନ ବିରୋଧୀ ଦଳ ବିଜେପି ‌ସେ ସମୟରେ କ‌ାଣ୍ଡାଙ୍କ ବିରୋଧରେ ଜୋର୍‌ଦାର ଆନ୍ଦୋଳନ କରିଥିଲା । ବିବାଦ ବଢ଼ିବାରୁ ସେହିବର୍ଷ ଅଗ‌ଷ୍ଟ ତୃତୀୟ ସପ୍ତାହରେ କାଣ୍ଡା ହରିୟାଣା କ୍ୟାବିନେଟ୍‌ରୁ ଇସ୍ତଫା ଦେଇ ପୁଲିସ ନିକଟରେ ଆତ୍ମସମର୍ପଣ କରିଥିଲେ । ଗୀତିକାଙ୍କ ମୃତ୍ୟୁର ୬ ମାସ ପରେ ତାଙ୍କ ମା’ମଧ୍ୟ ଆତ୍ମହତ୍ୟା କରିଥିଲେ। ଗୀତିକା ମାମଲା ସେତେବେଳେ ଜାତୀୟସ୍ତରରେ ହଇଚଇ ସୃଷ୍ଟି କରିଥିଲା। କାଣ୍ଡାଙ୍କ ବିରୋଧରେ ଦୁଷ୍କର୍ମ, ଆତ୍ମହତ୍ୟା ପାଇଁ ଉସୁକାଇଥିବା ମାମଲା ରହିଛି। ଏହି ମାମଲାରେ କାଣ୍ଡା ତିହାର ଜେଲ୍‌ରେ ପ୍ରାୟ ଦେଢ଼ ବର୍ଷ ରହିଥିଲେ ଏବଂ ପରେ ୨୦୧୪ରେ ଜାମିନରେ ମୁକୁଳିଥିଲେ। ଜେଲ୍‌ରୁ ବାହାରିବା ପରେ କାଣ୍ଡା ହରିୟାଣା ଲୋକହିତ ପାର୍ଟି ଗଠନ କରିଥିଲେ।

ସମ୍ବନ୍ଧିତ ଖବର