କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଦୌଡ଼ରେ କିଏ?

ନୂଆଦିଲ୍ଲୀ: ବିଏସ୍‌ ୟେଦୁରପ୍ପା ଆଜି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ ହେବେ ସେନେଇ କଳ୍ପନା ଜଳ୍ପନା ଆରମ୍ଭ ହୋଇଯାଇଛି। ମିଳିଥିବା ସୂଚନାନୁଯାୟୀ ଏହି ଦୌଡ଼ରେ ଥିବା ନେତାମାନେ ହେଉଛନ୍ତି…

ମୁରୁଗେଶ ନିରନି: ୟେଦୁରପ୍ପାଙ୍କ କ୍ୟାବିନେଟରେ ଖଣି ଏବଂ ଭୂତତ୍ତ୍ବ ମନ୍ତ୍ରୀ ମୁରୁଗେଶ ନିରନି ମୁଖ୍ୟମନ୍ତ୍ରୀ ପଦ ପାଇଁ ଆଗ ଧାଡ଼ିରେ ଅଛନ୍ତି। ୫୬ ବର୍ଷୀୟ ନିରନି ୨୫ ତାରିଖରେ ଦିଲ୍ଲୀରେ ଥିଲେ ଏବଂ ବିଜେପିର କେନ୍ଦ୍ରୀୟ ନେତୃବୃନ୍ଦଙ୍କୁ ସେ ଭେଟିଛନ୍ତି। ୟେଦୁରପ୍ପାଙ୍କ ଇସ୍ତଫାର ଦିନକ ପୂର୍ବରୁ ସେ ଦିଲ୍ଲୀରେ ଥିବାରୁ ‌ସେ ମୁଖ୍ୟମନ୍ତ୍ରୀ ହୋଇପାରନ୍ତି ବୋଲି ଜୋରଦାର ଚର୍ଚ୍ଚା ହେଉଛି। ନିରନି ମଧ୍ୟ ଜଣେ ଲିଙ୍ଗାୟତ ନେତା।

ପ୍ରହ୍ଲାଦ ଯୋଶୀ: କେନ୍ଦ୍ର କୋଇଲା , ଖଣି ଏବଂ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ମଧ୍ୟ କର୍ଣ୍ଣାଟକରେ ଶୀର୍ଷ ପଦ ପାଇପାରନ୍ତି। ବରିଷ୍ଠ ବିଜେପି ନେତା ପ୍ରହ୍ଲାଦ ଯୋଶୀ ୨୦୦୪ରୁ ଧାରୱଡ଼ ନିର୍ବାଚନମଣ୍ଡଳୀକୁ ପ୍ରତିନିଧିତ୍ବ କରୁଛନ୍ତି। ତେବେ ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଯୋଶୀ ଜଣେ ବ୍ରାହ୍ମଣ। ୧୯୮୮ରୁ କର୍ଣ୍ଣାଟକରେ କେହି ବ୍ରାହ୍ମଣ ମୁଖ୍ୟମନ୍ତ୍ରୀ ନାହାନ୍ତି। ଶେଷଥର ପାଇଁ ରାମକ୍ରିଷ୍ଣନ୍‌ ହେଗଡେ କର୍ଣ୍ଣାଟକରେ ବ୍ରାହ୍ମଣ ମୁଖ୍ୟମନ୍ତ୍ରୀ ଥିଲେ।

ସିଟି ରବି: ସିଟି ରବି ବିଜେପିର ଜାତୀୟ ସାଧାରଣ ସମ୍ପାଦକ ଏବଂ ଚିକମଗାଲୁର ନିର୍ବାଚନମଣ୍ଡଳୀରୁ ୪ ଥର ବିଧାୟକ ହୋଇଛନ୍ତି। ଦଳର ଜାତୀୟ ସାଧାରଣ ସମ୍ପାଦକ ହେବା ପୂର୍ବରୁ ‌ସେ ରାଜ୍ୟ କ୍ୟାବିନେଟ୍‌ରେ ଜଣେ ମନ୍ତ୍ରୀ ଥିଲେ। ସେ ମଧ୍ୟ କର୍ଣ୍ଣାଟକର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହୋଇପାରନ୍ତି ବୋଲି କୁହାଯାଉଛି।

ବସଭରାଜ ବୋମ୍ମାଇ: ‌ୟେଦୁରପ୍ପା କ୍ୟାବିନେଟ୍‌ରେ ବସଭରାଜ ବୋମ୍ମାଇ ଗୃହମନ୍ତ୍ରୀ ଥିଲେ। କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଏସ୍‌ଆର ବୋମ୍ମାଇଙ୍କ ପୁଅ ବସଭରାଜ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି।

ଅରବିନ୍ଦ ବେଲ୍ଲାଡ଼: ଅନ୍ୟଜଣେ ଲିଙ୍ଗାୟତ ନେତା ଅରବିନ୍ଦ ବେଲ୍ଲାଡ ହୁବଲି-ଧାରୱଡ଼ରୁ ୨ ଥର ବିଧାୟକ ହୋଇଛନ୍ତି। ସେ ମଧ୍ୟ ବରିଷ୍ଠ ଆରଏସଏସ୍‌ ଏବଂ ବିଜେପି ନେତା ଚନ୍ଦ୍ରକାନ୍ତ ବେଲ୍ଲାଡ଼ଙ୍କ ପୁଅ। ବିଜେପିର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ତାଲିକାରେ ସେ ମଧ୍ୟ ଅଛନ୍ତି।

ଜଗଦୀଶ ଶେଟ୍ଟାର: ଜଗଦୀଶ ଶେଟ୍ଟାର ବିଦାୟୀ ମୁଖ୍ୟମନ୍ତ୍ରୀ ୟେଦୁରପ୍ପାଙ୍କ କ୍ୟା‌ବିନେଟ୍‌ରେ ଜଣେ ମନ୍ତ୍ରୀ ଥିଲେ। ସେ ମଧ୍ୟ ଲିଙ୍ଗାୟତ ସମ୍ପ୍ରଦାୟର। ତାଙ୍କୁ ମୁଖ୍ୟମନ୍ତ୍ରୀ କରାଯାଇପାରେ। ଅନ୍ୟପକ୍ଷେ କର୍ଣ୍ଣାଟକ ବିଧାନସଭା ବାଚସ୍ପତି ବିଶ୍ବେଶ୍ବର ହେଗଡେ କାଗେରି, କର୍ଣ୍ଣାଟକ ଉପମୁଖ୍ୟମନ୍ତ୍ରୀ ସିଏନ୍‌ ଅଶ୍ବଥ ନାରାୟଣ ମଧ୍ୟ ବିଜେପିର ତାଲିକାରେ ଅଛନ୍ତି।

ବିଏଲ୍‌ ସ‌ନ୍ତୋଷ: ବିଜେପିର ଅନ୍ୟଜଣେ ଜାତୀୟ ଯୁଗ୍ମ ସାଧାରଣ ସମ୍ପାଦକ ବିଏଲ୍‌ ସନ୍ତୋଷ ମଧ୍ୟ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ହୋଇପାରନ୍ତି। ଜଣେ ଆରଏସଏସ୍‌ ପ୍ରଚାରକ ଭାବେ ବିଏଲ୍‌ ସନ୍ତୋଷ ୧୯୯୩ରୁ ବିଜେପି ସହ ଅଛନ୍ତି। ୨୦୦୬ରେୂ ସେ ବିଜେପିର କର୍ଣ୍ଣାଟକ ସା‌ଧାରଣ ସମ୍ପାଦକ ‌ହୋଇଥିଲେ।

ସମ୍ବନ୍ଧିତ ଖବର