ଏ ଭଳି ପରାମର୍ଶ ଦେବାକୁ ଇନ୍ଦିରା ଜୟସିଂହ କିଏ?- ଆଶା ଦେବୀ

ନୂଆଦିଲ୍ଲୀ: ଚାରି ଦୋଷୀଙ୍କୁ କ୍ଷମା ଦେବା ପାଇଁ ପରାମର୍ଶ ଦେଇଥିବା ବରିଷ୍ଠ ଆଡ୍‌ଭୋକେଟ୍‌ ଇନ୍ଦିରା ଜୟସିଂହଙ୍କ ଉପରେ ଉତ୍‌କ୍ଷିପ୍ତା ହୋଇ ନିର୍ଭୟାଙ୍କ ମାଆ ଆଶା ଦେବୀ କହିଛନ୍ତି: ମୋତେ ଏ ଭଳି ପରାମର୍ଶ ଦେବାକୁ ଇନ୍ଦିରା ଜୟସିଂହ କିଏ? ଦୋଷୀମାନଙ୍କୁ ମୃତ୍ୟୁଦଣ୍ଡ ଦିଆଯାଉ ବୋଲି ସମଗ୍ର ଦେଶବାସୀ ଚାହୁଁଛନ୍ତି। କେବଳ ତାଙ୍କରି ଭଳି ଲୋକମାନଙ୍କ ପାଇଁ ଦୁଷ୍କର୍ମ ପୀଡ଼ିତାମାନେ ନ୍ୟାୟ ପାଉ ନାହାନ୍ତି।

ମୁଁ ବିଶ୍ୱାସ କରି ପାରୁନି ଏ ଭଳି ପ୍ରସ୍ତାବ ଦେବାକୁ ଇନ୍ଦିରା ଜୟସିଂହ କେମିତି ସାହସ ଜୁଟାଇଲେ। ବିଗତ ବର୍ଷମାନଙ୍କୁ ମୁଁ ତାଙ୍କୁ ଅନେକ ଥର ସୁପ୍ରିମ୍‌ କୋର୍ଟରେ ଭେଟିଛି। ଦିନେ ହେଲେ ସେ ମୋ ଭଲମନ୍ଦ ପଚାରି ନାହାନ୍ତି। ଆଉ ଆଜି ସେ ଦୋଷୀମାନଙ୍କୁ ପାଇଁ କହୁଛନ୍ତି। ଦୁଷ୍କର୍ମକାରୀମାନଙ୍କୁ ସହାୟତା କରି ତାଙ୍କଭଳି ଲୋକମାନେ ଜୀବିକାନିର୍ବାହ କରୁଛନ୍ତି। ତେଣୁ ଦୁଷ୍କର୍ମ ବନ୍ଦ କରାଯାଇ ପାରୁନି।

ଜାନୁଆରି ୨୨ ତାରିଖ ପରିବର୍ତ୍ତେ ଫେବ୍ରୁଆରି ୧ ତାରିଖରେ ଦୋଷୀମାନଙ୍କୁ ଫାଶୀ ଦିଆଯିବା କଥା ଦିଲ୍ଲୀ ଅଦାଲତ ସ୍ଥିର କରିବା ପରେ, ତାଙ୍କ ପ୍ରତି ବିଶ୍ୱାସଘାତକତା ହୋଇଥିବା କଥା ଆଶା ଦେବୀ କହିଥିଲେ।

Image Source: India Today

ଏହାକୁ ଭିତ୍ତିକରି ସେ ଆଶା ଦେବୀଙ୍କୁ ଅନୁରୋଧ କରି ଶୁକ୍ରବାର ରାତିରେ ଟୁଇଟ୍‌ କରିଥିଲେ: ଆଶା ଦେବୀଙ୍କ ଦୁଃଖକୁ ମୁଁ ପୂର୍ଣ୍ଣରୂପେ ଅନୁଭବ କରିପାରୁଥିବାରୁ, ମୃତ୍ୟୁଦଣ୍ଡ ନ ମିଳୁ କହି ନଳିନୀକୁ କ୍ଷମା ଦେଇଥିବା ସୋନିଆ ଗାନ୍ଧୀଙ୍କ ଦୃଷ୍ଟାନ୍ତ ଅନୁସରଣ କରିବାକୁ ନିବେଦନ କରୁଛି। ଆମେ ଆପଣଙ୍କୁ ସମର୍ଥନ କରୁଛୁ, କିନ୍ତୁ ମୃତ୍ୟୁଦଣ୍ଡକୁ ବିରୋଧ କରୁଛୁ।

୧୯୯୧ ମସିହାରେ ପୂର୍ବତନ ପ୍ରଧାନମନ୍ତ୍ରୀ ଓ କଂଗ୍ରେସ ନେତା ରାଜୀବ ଗାନ୍ଧୀଙ୍କ ହତ୍ୟା ମାମଲାରେ ନଳିନୀଙ୍କୁ ଗିରଫ କରାଯାଇ ଦୋଷୀ ସାବ୍ୟସ୍ତ କରାଯାଇଥିଲା।

ସମ୍ବନ୍ଧିତ ଖବର