ଆରୋଗ୍ୟ ଲାଭ କରୁଥିବା ବ୍ୟକ୍ତିଙ୍କ ଶରୀରକୁ ପୁଣି କରୋନା ଭୂତାଣୁ ଲେଉଟୁଛି! ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହିଲା ଆମେ ଅନୁଧ୍ୟାନ କରୁଛୁ

ଜେନିଭା: ନୋଭେଲ କରୋନା ଭାଇରସ୍‌ ବା କୋଭିଡ୍‌-୧୯କୁ କେନ୍ଦ୍ର କରି ପୁଣି ଏକ ନୂତନ ସମସ୍ୟା ସୃଷ୍ଟି ହୋଇଛି। କୋଭିଡ୍‌-୧୯ ଦ୍ୱାରା ସଂକ୍ରମିତ ହୋଇଥିବା କିଛି ବ୍ୟକ୍ତି ଚିକିତ୍ସା ପରେ ଆରୋଗ୍ୟ ଲାଭ କରୁଥିଲେ ମଧ୍ୟ କିଛିଦିନ ପରେ ଆଉଥରେ ସେମାନଙ୍କ ଶରୀରରେ କୋଭିଡ-୧୯ ଭୂତାଣୁ ସକ୍ରିୟ ହୋଇ ଉଠୁଥିବା ଓ ସେମାନଙ୍କ ନମୁନା ପରୀକ୍ଷା ରିପୋର୍ଟ ନେଗେଟିଭ୍‌ରୁ ପୁଣିଥରେ ପଜିଟିଭ୍‌ ହୋଇ ଯାଉଥିବା କହିଛି ଦକ୍ଷିଣ କୋରିଆ। ଦକ୍ଷିଣ କୋରିଆରେ ଏହିପରି ୯୧ ଜଣ ରୋଗୀଙ୍କୁ ଠାବ କରାଯାଇଛି ଯେଉଁମାନଙ୍କ ଶରୀରରେ ଦ୍ୱିତୀୟ ଥର ପାଇଁ କୋଭିଡ୍‌-୧୯ ଭୂତାଣୁ ସକ୍ରିୟ ରହିଥିବା ଦେଖିବାକୁ ମିଳିଛି ବୋଲି ଦକ୍ଷିଣ କୋରଆ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି।

Daily Mail

ତେବେ, ଏ ସଂପର୍କରେ ସ୍ପଷ୍ଟୀକରଣ ଦେଇ ବିଶ୍ୱସ୍ୱାସ୍ଥ୍ୟ ସଂଗଠନ (ଡବ୍‌ଲ୍ୟୁଏଚ୍‌ଓ) କହିଛି ଯେ ଆମେ ଏ ସଂପର୍କରେ ଖାଲି ଯାହା ଶୁଣିଛୁ। ଆମ ପାଖରେ ଏ ସଂପର୍କିତ କୌଣସ ପ୍ରକାରର ନିର୍ଦ୍ଧିଷ୍ଟ ପ୍ରମାଣ ଏଯାବତ୍‌ ନାହିଁ। ଆମେ ଦକ୍ଷିଣ କୋରିଆ ଠାରୁ ଏସଂପର୍କିତ ସବିଶେଷ ରିପୋର୍ଟ ମଗାଇଛୁ। ଏ ରିପୋର୍ଟ ମିଳିବା ପରେ ଆମର ବିଶେଷଜ୍ଞ ଟିମ୍‌ ଏହା ଉପରେ କାମ କରୁଛନ୍ତି। ଯେଉଁ ମାନଙ୍କର ନମୁନା ଆଉଥରେ ନଗେଟିଭ୍‌ରୁ ପଜିଟିଭ୍‌ ହୋଇଛି ବୋଲି କୁହାଯାଉଛି ତାହାର ସତ୍ୟତା କେତେ ଓ ସେମାନଙ୍କ ନମୁନା କେମିତି ଓ କିପରି ଭାବେ ସଂଗ୍ରହ କରାଯାଇଛି ତାହାକୁ ଏବେ ପରୀକ୍ଷା କରି ଦେଖା ଯାଉଛି ବୋଲି କହିଛି ଡବ୍‌ଲ୍ୟୁଏଚ୍‌ଓ।

ସମ୍ବନ୍ଧିତ ଖବର