ନୂଆଦିଲ୍ଲୀ: ଦିଲ୍ଲୀ ମଦ ନୀତି ଦୁର୍ନୀତି ସହ ଜଡିତ ଅର୍ଥ ହେରଫେର ମାମଲାରେ ଦିଲ୍ଳୀର ରାଉସ୍ ଆଭେନ୍ୟୁ କୋର୍ଟ  ଗତବୁଧବାର ଜାମିନ ମଞ୍ଜୁର କରିଥିଲେ। ଏହାପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଆଜି ଅର୍ଥାତ ଜୁନ ୨୧ ତାରିଖରେ ତିହାର ଜେଲରୁ ବାହାରକୁ ବାହାରିଥାନ୍ତେ। କିନ୍ତୁ ଆଜି ହାଇକୋର୍ଟ ଏହା ଉପରେ ରୋକ ଲଗାଇଛନ୍ତି । ମାମଲାର ଶୁଣାଣି ପର୍ଯ୍ୟନ୍ତ ହାଇକୋର୍ଟ ଏହି ଜାମିନ ପ୍ରଦାନ ନିଷ୍ପତ୍ତି ଉପରେ ରୋକ ଲଗାଇଥିବା ଖବର ମିଳିଛି।

Advertisment

‌ହାଇକୋର୍ଟ କେଜ୍ରିୱାଲଙ୍କ ଜାମିନ ନିଷ୍ପତ୍ତି ଉପରେ ରୋକ ଲଗାଇଥିବା ସତ୍ତ୍ବେ ଲୋକେ ଗତ ବୁଧବାର କେଜ୍ରିୱାଲଙ୍କୁ ଜାମିନ ଦେଇଥିବା ବିଚାରପତି ନ୍ୟାୟ ବିନ୍ଦୁଙ୍କୁ ନେଇ ଖୁବ ଆଲୋଚନା କରୁଛନ୍ତି। ମୁଖ୍ୟମନ୍ତ୍ରୀଙ୍କୁ ଜାମିନ ଦେଇ ବିଚାରପତି ବିନ୍ଦୁ ଚର୍ଚ୍ଚାରେ ରହିଛନ୍ତି। ଲୋକେ ତାଙ୍କ ବିଷୟରେ ଜାଣିବାକୁ ଚାହିଁଛନ୍ତି।

ବୁଧବାର କେଜ୍ରିୱାଲଙ୍କୁ ଜାମିନ ପ୍ରଦାନ ପରେ  ସୁପ୍ରିମକୋର୍ଟର ଓକିଲ ଇନ୍ଦିରା ଜୟ ସିଂହ ଏକ୍ସରେ ଏକ ପୋଷ୍ଟ ସେୟାର କରି ଲେଖିଥିଲେ, ‘ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଓ ତାଙ୍କ ଟିମକୁ ଅଶେଷ ଧନ୍ୟବାଦ। ମୁଖ୍ୟମନ୍ତ୍ରୀଙ୍କ ଜାମିନ ଦେଇଥିବା ବିଚାରପତି ନ୍ୟାୟ ବିନ୍ଦୁ ଦିଲ୍ଲୀର ରୋହିଣୀ କୋର୍ଟର ନର୍ଥ ୱେଷ୍ଟ ଡିଷ୍ଟିକର ବରିଷ୍ଠ ସିଭିଲ ଜଜ ଭାବେ ବି କାମ କରିଛନ୍ତି। ସେ ସର୍ବଦା ତାଙ୍କ କାମକୁ ନିଷ୍ଠାର ସହ କରି ଆସିଛନ୍ତି।’

କେଜ୍ରିୱାଲଙ୍କ ଜାମିନ ପ୍ରଦାନ ବିରୋଧରେ ଇଡି ଦିଲ୍ଲୀ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲା। ଇଡି ପକ୍ଷରୁ କୁହାଯାଇଥିଲା ଯେ, ଏହି ମାମଲାର ଯାଞ୍ଚ ଚାଲୁଥିବା ବେଳେ କେଜ୍ରିୱାଲଙ୍କୁ ଜାମିନ ପ୍ରଦାନ କରିବା ଯାଞ୍ଚ ପ୍ରକ୍ରିୟାକୁ ପ୍ରଭାବିତ କରିପାରେ । କାରଣ କେଜ୍ରିୱାଲ ମୁଖ୍ୟମନ୍ତ୍ରୀ ଭଳି ଗୁରୁତ୍ୱପୂର୍ଣ୍ଣ ପଦବୀରେ ଅଛନ୍ତି ।