ନୂଆଦିଲ୍ଲୀ: ଭାରତୀୟ ବଂଶୋଦ୍ଭବ କମଳା ହେରିସ୍ଙ୍କୁ ଉପରାଷ୍ଟ୍ରପତି ପ୍ରାର୍ଥୀ କରି ଡେମୋକ୍ରାଟିକ୍ ପାର୍ଟି ଏବେ ହଇଚଇ ସୃଷ୍ଟି କରିଛି। ପ୍ରମୁଖ ଏସୀୟ ଆମେରିକୀୟ ଭାବେ ହେରିସ୍ ଏହି ପଦବି ପାଇଁ ପ୍ରତିଦ୍ବନ୍ଦ୍ବିତା କରିବେ। କମଳା ହେରିସ୍ କାଲିଫର୍ଣ୍ଣିଆରେ ଓକ୍ଲାଣ୍ଡ୍ରେ ଜନ୍ମ ହୋଇଥିଲେ। ହେରିସ୍ଙ୍କ ମା ହେଉଛନ୍ତି ଚେନ୍ନାଇର ଶ୍ୟାମଳା ଗୋପାଲନ୍। ସେ ଜଣେ କର୍କଟ ରୋଗ ବିଶେଷଜ୍ଞ ଥିଲେ ଏବଂ ୨୦୦୯ରେ ତାଙ୍କର ପରଲୋକ ହୋଇଥିଲା। କମଳା ହେରିସ୍ଙ୍କ ବାପା ଡୋନାଲ୍ଡ ହେରିସ୍ ହେଉଛନ୍ତି ଜାମାଇକା ନାଗରିକ। ସେ ଷ୍ଟାନଫର୍ଡ ବିଶ୍ବବିଦ୍ୟାଳୟରେ ଅଧ୍ୟୟନ କରୁଥିଲେ। କମଳା ଏବଂ ତାଙ୍କ ସାନ ଭଉଣୀ ମାୟା ହେରିସ୍ ଖୁବ୍ ଛୋଟ ଥିବାବେଳେ ସେମାନଙ୍କ ବାପା ମା'ଙ୍କ ମଧ୍ୟରେ ବିଭେଦ ହୋଇଯାଇଥିଲା।
କମଳାଙ୍କୁ ୭ ବର୍ଷ ହୋଇଥିବା ବେଳେ ତାଙ୍କ ବାପା ଏବଂ ମା'ଙ୍କ ମଧ୍ୟରେ ଛାଡ଼ପତ୍ର ହୋଇଥିଲା। ଉଭୟଙ୍କୁ ସେମାନଙ୍କ ମା' ବଢ଼ାଇଥିଲେ। ନିଜକୁ କୃଷ୍ଣକାୟ କହିଥିଲେ ସୁଦ୍ଧା ହେରିସ୍ ଅନେକ ସମୟରେ ଭାରତ ସହ ସେ କିଭଳି ଜଡ଼ିତ ତାହା କହିବାକୁ କୁଣ୍ଠା ପ୍ରକାଶ କରିନାହାନ୍ତି। ପିଲାଦିନେ କମଳା ହେରିସ୍ ଛୁଟି କାଟିବାକୁ ଚେନ୍ନାଇ ଆସନ୍ତି ଏବଂ ଜେଜେବାପାଙ୍କ ସହ ସମୟ ଅତିବାହିତ କରନ୍ତି। ତାଙ୍କ ଜେଜେ ବାପା ଭାରତ ସରକାରରେ ଜଣେ ପ୍ରଶାସନିକ ସେବା ଅଧିକାରୀ ଥିଲେ। ମା' ଶ୍ୟାମଳା ୧୯୬୦ରେ ୟୁସି ବର୍କେଲିରେ ଡକ୍ଟୋରେଟ୍ ପାଇଁ ଆମେରିକା ଆସିଥିଲେ। ସେଠାରେ ଡୋନାଲ୍ଡ ହେରିସ୍ଙ୍କ ସହ ତାଙ୍କର ସାକ୍ଷାତ ହୋଇଥିଲା। କମଳାଙ୍କ ଭଉଣୀ ମାୟା ହେରିସ୍ ଜଣେ ରାଜନୈତିକ ସାମାଜିକ କର୍ମୀ। ସେ ହିଲାରୀ କ୍ଲିଣ୍ଟନ୍ଙ୍କ ରାଷ୍ଟ୍ରପତି ନିର୍ବାଚନ ପ୍ରଚାର ଅଭିଯାନରେ କାମ କରୁଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/08/kamla-harris-1.jpg)