ଟିକାକରଣ ଲକ୍ଷ୍ୟ ହାସଲରେ କିଏ କେତେ ପଛୁଆ

ନୂଆଦିଲ୍ଲୀ : ସର୍ବସାଧାରଣରେ ଉପଲବ୍ଧ ତଥ୍ୟର ବିଶ୍ଳେଷଣ ଅନୁଯାୟୀ, କେରଳ ଏବଂ ଦିଲ୍ଲୀ କୋଭିଡ୍‌-୧୯ ଟିକାକରଣ ଲକ୍ଷ୍ୟ ହାସଲରେ କମ୍ ପଛୁ୍ଆ ଥିବାବେଳେ ବିହାର, ରାଜସ୍ଥାନ ଏବଂ ପଶ୍ଚିମବଙ୍ଗ ସର୍ବାଧିକ ପଛୁଆ ଅଛନ୍ତି। କିଏ କେତେ ପଛୁଆ ତାହା ସମ୍ପୃକ୍ତ ରାଜ୍ୟର ଜନସଂଖ୍ୟାର ଶତକଡ଼ା ଅନୁସାରେ ହିସାବ କରାଯାଇଛି।

ସୂଚନା ଅନୁଯାୟୀ, ଟିକାକରଣ ଲକ୍ଷ୍ୟଠାରୁ କେରଳ ଓ ଦିଲ୍ଲୀ ସବୁଠାରୁ କମ୍ ୨୨% ପଛରେ ଥିବାବେଳେ ବିହାର ସବୁଠାରୁ ଅଧିକ ୭୧% ପଛରେ ଅଛି। ସେହିପରି ରାଜସ୍ଥାନ ଏବଂ ପଶ୍ଚିମବଙ୍ଗ ଲକ୍ଷ୍ୟଠାରୁ ୬୬% ପଛରେ ରହିଛନ୍ତି। ଦେଶ ସାମଗ୍ରିକ ଭାବେ ଟିକାକରଣ ଲକ୍ଷ୍ୟ ହାସଲରେ ୫୪ ପ୍ରତିଶତ ପଛୁଆ ରହିଛି। ୫୯ କୋଟିରୁ ଅଧିକ ଜନସଂଖ୍ୟା ବିଶିଷ୍ଟ କେତେକ ବୃହତ୍‌ ରାଜ୍ୟ ସେମାନଙ୍କର ଦୈନିକ ଟିକାକରଣରେ ସବୁଠାରୁ ଖରାପ ପ୍ରଦର୍ଶନ କରିଛନ୍ତି। ଯଦିଚ କେରଳ ଏବଂ ଦିଲ୍ଲୀ ସର୍ବୋତ୍ତମ ଟିକାକରଣ ରେକର୍ଡ ବିଶିଷ୍ଟ ରାଜ୍ୟ ଭାବରେ ଉଭା ହୋଇଛନ୍ତି, ତଥାପି ଡିସେମ୍ବର ସୁଦ୍ଧା ୬୦% ଜନସଂଖ୍ୟା ଟିକାକରଣ ଲକ୍ଷ୍ୟରେ ପହଞ୍ଚିବାଠାରୁ ବହୁ ଦୂରରେ। ପଞ୍ଜାବ ୨୬ ପ୍ରତିଶତ, କର୍ଣ୍ଣାଟକ ୩୦ ପ୍ରତିଶତ ଏବଂ ଗୁଜରାଟ ୩୭ ପ୍ରତିଶତ ପଛୁଆ ରହିଛି। କେରଳ ଏବଂ ଦିଲ୍ଲୀ ସମେତ ଏହି ତିନୋଟି ରାଜ୍ୟ ଶ୍ରେଷ୍ଠ ପାଞ୍ଚଟି ମଧ୍ୟରେ ଅଛନ୍ତି ଯେଉଁଠାରେ ଟିକାକରଣ ଅପେକ୍ଷାକୃତ ଅଧିକ ହୋଇଛି।

ଉତ୍ତରପ୍ରଦେଶ ଟିକାକରଣ ଲକ୍ଷ୍ୟଠାରୁ ୬୪% ଏବଂ ଝାଡଖଣ୍ଡ ୬୨% ପଛରେ ରହିଛନ୍ତି, ଯାହା ଟିକାକରଣରେ ସବୁଠାରୁ ପଛରେ ଥିବା ପାଞ୍ଚଟି ରାଜ୍ୟ ମଧ୍ୟରେ ଅନ୍ୟତମ। ଦେଶର ମୋଟ ଟିକାକରଣ ୩୬ କୋଟି ଅତିକ୍ରମ କରିଛି ବୋଲି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି। ୧୮-୪୪ ବୟସ ବର୍ଗର ଲୋକଙ୍କୁ ୧୧ କୋଟିରୁ ଅଧିକ ଡୋଜ୍‌ ଦିଆଯାଇଛି ବୋଲି ଏଥିରେ କୁହାଯାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ୪୦ ଲକ୍ଷରୁ ଅଧିକ ଟିକା ଦିଆଯାଇଛି। ବିଶେଷଜ୍ଞମାନେ କହିଛନ୍ତି ଯେ, ଟିକାକରଣର ଗତି ତ୍ୱରାନ୍ୱିତ ହେବା ଆବଶ୍ୟକ କାରଣ ସାରା ବିଶ୍ୱରୁ ଅଧିକରୁ ଅଧିକ ଭାରିଆଣ୍ଟ ବିଶିଷ୍ଟ କରୋନାଭାଇରସ୍ ବାହାରୁଥିବା ରିପୋର୍ଟ ଜାରି ରହିଛି। ଭାରତରେ ପ୍ରଥମେ ଚିହ୍ନଟ ହୋଇଥିବା ଡେଲଟା ଭାରିଆଣ୍ଟ ଅତ୍ୟଧିକ ସଂକ୍ରାମକ ଯାହା ସମଗ୍ର ବିଶ୍ବରେ ଉଦ୍‌ବେଗ ସୃଷ୍ଟି କରିଛି।

ସମ୍ବନ୍ଧିତ ଖବର