ମୋଦୀଙ୍କ ବିକଳ୍ପ କିଏ? ସର୍ଭେରେ ଦ୍ବିତୀୟ ସ୍ଥାନରେ ରାହୁଲ, ତୃତୀୟରେ ମମତା

ନୂଆଦିଲ୍ଲୀ: ଦେଶରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ବିଜେପିକୁ ଚେକ୍‌ ଦେବା ପାଇଁ ଏନ୍‌ସିପି ନେତା ଶରଦ ପାୱାରଙ୍କ ନେତୃତ୍ବରେ ଗତକାଲି ବୈଠକ ହୋଇଛି। ଯଶୱନ୍ତ ସିଂହ୍ନାଙ୍କ ଉଦ୍ୟମରେ ଏବଂ ଶରଦ ପାୱାରଙ୍କ ନେତୃତ୍ବରେ ଆରମ୍ଭ ହୋଇଥିବା ଅଭିଯାନ ପାଇଁ ଅନ୍ୟ କିଛି ଦଳର ନେତା ସହଯୋଗର ହାତ ବଢ଼ାଇଛନ୍ତି। କିଛି ଗଣମାଧ୍ୟମ ଏହି ଅଭିଯାନକୁ ତୃତୀୟ ସାମୁଖ୍ୟ ଗଠନ ଆଖ୍ୟା ଦେଉଛନ୍ତି। ଯଦିଓ ଏଭଳି ଉଦ୍ୟମ ପ୍ରଥମ କିମ୍ବା ଶେଷ ନୁହେଁ ତଥାପି ପଶ୍ଚିମବଙ୍ଗ ନିର୍ବାଚନରେ ବିଜେପି ଏବଂ କଂଗ୍ରେସର ପରାଜୟ ଏହି ଚର୍ଚ୍ଚାକୁ ଖୋରାକ ଯୋଗାଇଇଛି। କିନ୍ତୁ ମୋଦୀଙ୍କ ବିକଳ୍ପ କ’ଣ ତୃତୀୟ ସାମୁଖ୍ୟରେ ଅଛନ୍ତି ବୋଲି ପ୍ରଶ୍ନ ଉଠିବା ସ୍ବାଭାବିକ। ଭାରତରେ କେବଳ ବିଜେପି ଓ କଂଗ୍ରେସ ଭଳି ଜାତୀୟ ଦଳ ମଧ୍ୟରେ ପ୍ରତିଯୋଗିତା ହୋଇ ନଥାଏ। ଅନେକ ରାଜ୍ୟରେ ଆଞ୍ଚଳିକ ଦଳଗୁଡ଼ିକ ଜାତୀୟ ଦଳକୁ କଡ଼ା ଟକ୍କର ଦେଇଥାନ୍ତି।

ଏହାବ୍ୟତୀତ ଭାରତରେ ‌ନିର୍ବାଚନ ମୁଖ୍ୟତଃ ବ୍ୟକ୍ତି ବା ନେତୃକୈନ୍ଦ୍ରିକ ହୋଇଯାଇଛି। ଶୀର୍ଷ ନେତାଙ୍କ ଲୋକପ୍ରିୟତା ଅନୁଯାୟୀ ଏଠାରେ ଲୋକମାନେ ଦଳକୁ ଭୋଟ ଦେଇଥାନ୍ତି। ଏଥିପାଇଁ ଅନେକ ରାଜ୍ୟରେ ଆଞ୍ଚଳିକ ଦଳଗୁଡ଼ିକ ଜିତି ଆସୁଛନ୍ତି। ତେଣୁ ଜଣେ ପ୍ରଭାବଶାଳୀ ଆଞ୍ଚଳିକ ନେତାଙ୍କୁ ମୋଦୀଙ୍କ ବିପକ୍ଷରେ ସମ୍ଭାବ୍ୟ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଭାବେ ଉପସ୍ଥାପିତ କରିବା ପାଇଁ କିଛି ରାଜନୈତିକ ବ୍ୟକ୍ତି ଏବଂ ଗଣମାଧ୍ୟମ ମତ ଦେଉଛନ୍ତି। କିନ୍ତୁ ଲୋକମାନଙ୍କର ଭାବନା କ’ଣ ରହିଛି। ଆଞ୍ଚଳିକ ଦଳର କୌଣସି ନେତା ରାଜ୍ୟ ବା ଅଞ୍ଚଳ ବାହାରକୁ ଯାଇ ମୋଦୀଙ୍କ ବିକଳ୍ପ ଭାବେ ଗ୍ରହଣୀୟ ହୋଇପାରିବେ କି? ତେବେ ପ୍ରଶ୍ନମ୍‌ ପକ୍ଷରୁ ୧୨ଟି ରାଜ୍ୟର ପାଖାପାକି ୨୦ ହଜାର ଭୋଟରଙ୍କୁ ନେଇ କରଯାଇଥିବା ସର୍ଭେରୁ ଭିନ୍ନ ଚିତ୍ର ସାମ୍ନାକୁ ଆସିଛି। ଉତ୍ତର ପ୍ରଦେଶ, ମହାରାଷ୍ଟ୍ର, ପଶ୍ଚିମବଙ୍ଗ, ବିହାର, ତାମିଲନାଡ଼ୁ, ମଧ୍ୟପ୍ରଦେଶ, କର୍ଣ୍ଣାଟକ, ଗୁଜରାଟ, ରାଜସ୍ଥାନ, କେରଳ‌, ତେଲେଙ୍ଗାନା ଏବଂ ଝାଡ଼ଖଣ୍ଡ। ୩୯୭ଟି ଲୋକସଭା ଏବଂ ୨୩୦୯ଟି ବିଧାନସଭା ଆସନରେ ଏହି ସର୍ଭେ କରାଯାଇଛି।

ଲୋକମାନଙ୍କୁ ଗୋଟିଏ ସାଧାରଣ ପ୍ରଶ୍ନ ସେମାନଙ୍କ ସ୍ଥାନୀୟ ଭାଷାରେ ପଚରାଯାଇଥିଲା। ତାହା ହେଲା ଭାରତର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ କିଏ ହେବା ଉଚିତ ବୋଲି ଆପଣ ଭାବୁଛନ୍ତି? ଏଥିରୁ ଯେଉଁ ଉତ୍ତର ଆସିଛି ତାହା ହେଲା ନରେନ୍ଦ୍ର ମୋଦୀଙ୍କୁ ୩୨.୮ ପ୍ରତିଶତ ଲୋକ ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ଭାବେ ଦେଖିବାକୁ ଚାହାନ୍ତି। ଦ୍ବିତୀୟ ସ୍ଥାନରେ ରାହୁଲ ଗାନ୍ଧି ରହିଛନ୍ତି। ତାଙ୍କୁ ୧୭.୨ ପ୍ରତିଶତ ଲୋକ ପ୍ରଧାନମନ୍ତ୍ରୀ ଭାବେ ଦେଖିବାକୁ ଆଗ୍ରହୀ। ଆଞ୍ଚଳିକ ନେତାମାନଙ୍କ ମଧ୍ୟରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ସବୁଠୁ ଆଗରେ ଅଛନ୍ତି। ତାଙ୍କୁ ୭ ପ୍ରତିଶତ ଲୋକ ପ୍ରଧାନମନ୍ତ୍ରୀ ଭାବେ ଦେଖିବାକୁ ଚାହାନ୍ତି। ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ୬.୧ ପ୍ରତିଶତ ଲୋକ ପ୍ରଧାନମନ୍ତ୍ରୀ ଭାବେ ଦେଖିବାକୁ ଆଗ୍ରହୀ। ତାଙ୍କ ପଛକୁ ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଏମ୍ କେ ଷ୍ଟାଲିନ (୩%), ଅଖିଳେଶ ଯାଦବ (୨.୨%), ଉଦ୍ଧବ ଠାକ୍‌ରେ (୨.୧%), ଶିବରାଜ ସିଂହ ଚୌହାନ (୧.୫%), ଅଶୋକ ଗେହଲଟ (୧.୫%), ପିନରାୟୀ ବିଜୟନ (୧.୪%), ନୀତୀଶ କୁମାର (୧.୪%), ଶରଦ ପାୱାର (୦.୯%), ଅମିତ ଶାହ (୦.୯%), ବି ଏସ୍ ୟେଦୁରପ୍ପା (୦.୮%), କେ ଚନ୍ଦ୍ରଶେଖର ରାଓ (୦.୭%), ହେମନ୍ତ ସୋରେନ (୦.୫%)। ଶରଦ ପାୱାରଙ୍କୁ ୧%ରୁ କମ୍‌ ଲୋକ ପ୍ରଧାନମନ୍ତ୍ରୀ ହେବାକୁ ଚାହାନ୍ତି। ତେବେ କେରଳ, ତାମିଲନାଡ଼ୁ ଭଳି ରାଜ୍ୟରେ ମୋଦୀଙ୍କ ଅପେକ୍ଷା ରାହୁଲଙ୍କ ଲୋକପ୍ରିୟତା ଅଧିକ ରହିଛି ବୋଲି ସର୍ଭେରୁ ଜଣାଯାଇଛି।

ସମ୍ବନ୍ଧିତ ଖବର