ଢାକା: ଦାରିଦ୍ର୍ୟ ବିରୋଧରେ କାର୍ଯ୍ୟ ପାଇଁ ‘ଗରିବଙ୍କ ବ୍ୟାଙ୍କର୍’ ଭାବେ ପରିଚିତ ନୋବେଲ ବିଜେତା ଡକ୍ଟର ମହମ୍ମଦ ୟୁନୁସ୍ ବାଂଲାଦେଶର ଅନ୍ତରୀଣ ସରକାରର ମୁଖ୍ୟ ପରାମର୍ଶଦାତା ହେବେ ବୋଲି ଦେଶରେ ଆନ୍ଦୋଳନର ନେତୃତ୍ୱ ନେଇଥିବା ଛାତ୍ର ଆନ୍ଦୋଳନର ସଂଯୋଜକମାନେ କହିଛନ୍ତି। ଶେଖ ହସିନାଙ୍କୁ ବହିଷ୍କାର କରିଥିବା ଆନ୍ଦୋଳନର ଅନ୍ୟତମ ପ୍ରମୁଖ ସଂଯୋଜକ ନାହିଦ ଇସଲାମ ସୋସିଆଲ ମିଡିଆରେ ପୋଷ୍ଟ କରିଥିବା ଏକ ଭିଡିଓରେ କହିଛନ୍ତି ଯେ ପ୍ରଫେସର ୟୁନୁସ୍ ଦେଶର ସାମ୍ପ୍ରତିକ ପରିସ୍ଥିତିକୁ ଦୃଷ୍ଟିରେ ରଖି ଦାୟିତ୍ୱ ନେବାକୁ ରାଜି ହୋଇଛନ୍ତି। ନାହିଦ୍ ଘୋଷଣା କରିଛନ୍ତି ଯେ ଆମେ ଏକ ଅନ୍ତରୀଣ ସରକାର ଗଠନ କରିବାକୁ ନିଷ୍ପତ୍ତି ନେଇଛୁ, ଯେଉଁଥିରେ ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ନୋବେଲ ବିଜେତା ଡକ୍ଟର ମହମ୍ମଦ ୟୁନୁସ୍ ମୁଖ୍ୟ ପରାମର୍ଶଦାତା ହେବେ। ସରକାରୀ ଚାକିରିରେ ବିବାଦୀୟ କୋଟା ବ୍ୟବସ୍ଥାକୁ ନେଇ ବ୍ୟାପକ ଅରାଜକତା ଯୋଗୁଁ ହସିନା ଶାସନର ପତନ ଘଟିଥିବାରୁ ଅନ୍ତରୀଣ ସରକାର ଗଠନ କରାଯିବ ବୋଲି ବାଂଲାଦେଶ ରାଷ୍ଟ୍ରପତି ମହମ୍ମଦ ଶାହବୁଦ୍ଦିନ କହିଛନ୍ତି। ମାସେ ଧରି ଚାଲିଥିବା ଏହି ବିକ୍ଷୋଭରେ ୩୦୦ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି। ପୂର୍ବତନ ପ୍ରଧାନମନ୍ତ୍ରୀ ଖାଲିଦା ଜିଆଙ୍କୁ ମୁକ୍ତ କରିବାକୁ ମଧ୍ୟ ରାଷ୍ଟ୍ରପତି ନିର୍ଦ୍ଦେଶ ଦେଇଛନ୍ତି।
ହସିନାଙ୍କ ସହ କିଛିବର୍ଷ ହେଲା ତିକ୍ତ ସମ୍ପର୍କ ସୃଷ୍ଟି ହୋଇଥିବା ୟୁନୁସ୍ଙ୍କର ପାଶ୍ଚାତ୍ୟ, ବିଶେଷକରି ଆମେରିକା ସହ ଘନିଷ୍ଠ ସମ୍ପର୍କ ଅଛି। ୨୦୧୧ ମସିହାରେ ହସିନାଙ୍କ ନେତୃତ୍ବାଧୀନ ସରକାର ତାଙ୍କୁ ୬୦ ବର୍ଷରୁ ଅଧିକ ବୟସ ହୋଇଥିବା ଦର୍ଶାଇ ଗ୍ରାମୀଣ ବ୍ୟାଙ୍କର ପରିଚାଳନା ନିର୍ଦ୍ଦେଶକ ପଦରୁ ଅବସର ନେବାକୁ ବାଧ୍ୟ କରିଥିଲେ। ସେ ସମଲିଙ୍ଗୀ ସମ୍ପର୍କକୁ ପ୍ରୋତ୍ସାହନ ଦେଉଥିବା ନେଇ ମଧ୍ୟ ଅଭିଯୋଗ ହୋଇଥିଲା। ୟୁନୁସ୍ଙ୍କ ବିରୋଧରେ ହସିନା ସରକାର ୧୯୦ରୁ ଅଧିକ ମାମଲା ଦାଏର କରିଛନ୍ତି। ଲକ୍ଷ ଲକ୍ଷ ଲୋକଙ୍କୁ ଦାରିଦ୍ର୍ୟମୁକ୍ତ କରିବାରେ ଅଗ୍ରଣୀ କାର୍ଯ୍ୟ ପାଇଁ ୨୦୦୬ ମସିହାରେ ତାଙ୍କୁ ନୋବେଲ ଶାନ୍ତି ପୁରସ୍କାର ପ୍ରଦାନ କରାଯାଇଥିଲା। ସେ ପ୍ରତିଷ୍ଠା କରିଥିବା ମାଇକ୍ରୋଫାଇନାନ୍ସ ଋଣଦାତା ଗ୍ରାମୀଣ ବ୍ୟାଙ୍କ ବାଂଲାଦେଶର ଗ୍ରାମୀଣ ଗରିବମାନଙ୍କୁ କ୍ଷୁଦ୍ର ଋଣ ଦେଇ ଦେଶର ଅର୍ଥନୈତିକ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିଥିଲା।
ଚଳିତ ବର୍ଷ ପ୍ରାରମ୍ଭରେ ଦେଶର ଶ୍ରମ ଆଇନ ଉଲ୍ଲଂଘନ ଅଭିଯୋଗରେ ୟୁନୁସ୍ଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଥିଲା। ଦେଶର ସର୍ବବୃହତ୍ ମୋବାଇଲ୍ ଫୋନ୍ କମ୍ପାନି ଗ୍ରାମୀଣ ଫୋନ୍ର ଅଂଶଧନ ଥିବା ଗ୍ରାମୀଣ ଟେଲିକମ୍ର ଶ୍ରମିକ କଲ୍ୟାଣ ପାଣ୍ଠିରୁ ୨ ନିୟୁତ ଡଲାର ହଡ଼ପ ଅଭିଯୋଗରେ ବାଂଲାଦେଶର ଏକ ଅଦାଲତ ତାଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ୧୯୪୦ ମସିହାରେ ଚିତ୍ତଗଙ୍ଗରେ ଜନ୍ମଗ୍ରହଣ କରିଥିବା ମହମ୍ମଦ ୟୁନୁସ୍ ଅର୍ଥନୀତି ପଢ଼ିବା ପାଇଁ ଆମେରିକା ଯିବା ପୂର୍ବରୁ ଢାକା ବିଶ୍ୱବିଦ୍ୟାଳୟରେ ଅଧ୍ୟୟନ କରିଥିଲେ। ପିଏଚ୍ଡି ଶେଷ କରିବା ପରେ ସେ ବାଂଲାଦେଶ ଫେରିବା ପୂର୍ବରୁ ମିଡ୍ଲ ଟେନେସି ଷ୍ଟେଟ ୟୁନିଭର୍ସିଟିରେ ଆସିଷ୍ଟାଣ୍ଟ ପ୍ରଫେସର ଭାବେ କାର୍ଯ୍ୟ କରିଥିଲେ।