ନୂଆଦିଲ୍ଲୀ: ରାଷ୍ଟ୍ରପତି ନିର୍ବାଚନ ନେଇ ଆନୁଷ୍ଠାନିକ ଘୋଷଣା ପରେ ଏହା ଏବେ ରାଜନୈତିକ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ହୋଇଛି। ଯେତେବେଳେ ଶାସକ ଦଳ ପାଖରେ ସ୍ପଷ୍ଟ ସଂଖ୍ୟାଗରିଷ୍ଠତା ନ ଥାଏ ସେତେବେଳେ ଏହି ନିର୍ବାଚନ ଅଧିକ ଗୁରୁତ୍ବ ବହନ କରିଥାଏ। ସଂଖ୍ୟାଗରିଷ୍ଠତା ଥିଲେ ବି ବିରୋଧୀ ଦଳ ପ୍ରତୀକାତ୍ମକ ଲଢ଼େଇ ପାଇଁ ଜଣେ ପ୍ରାର୍ଥୀ ଦେଇଥାନ୍ତି।
ସ୍ପଷ୍ଟ ସଂଖ୍ୟାଗରିଷ୍ଠତା ନ ଥିଲେ ମଧ୍ୟ ଶାସକ ଦଳ ନାନା କୌଶଳ ଅବଲମ୍ବନ କରି ତାଙ୍କ ପ୍ରାର୍ଥୀ ଜିତାଇ ନେବାରେ ସମର୍ଥ ହୋଇଥାନ୍ତି। କାହାକୁ ପ୍ରାର୍ଥୀ କଲେ ନିର୍ଦ୍ବନ୍ଦ୍ବରେ ଜିତାଇ ହେବ ସେ ବିଷୟରେ ଚିନ୍ତା କରିବାକୁ ପଡ଼ିଥାଏ। ୨୦୦୨ ମସିହାରେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ନେତୃତ୍ବାଧୀନ ଏନ୍ଡିଏ ସରକାର ଏପିଜେ ଅବଦୁଲ କାଲାମଙ୍କୁ ପ୍ରାର୍ଥୀ କରିଥିଲେ। ଏହାଦ୍ବାରା ସେମାନେ ବିରୋଧୀ ଦଳଙ୍କ ସମର୍ଥନ ହାସଲ କରିପାରିଥିଲେ। ୨୦୧୨ରେ ଉପା ପ୍ରାର୍ଥୀ ପ୍ରଣବ ମୁଖାର୍ଜୀଙ୍କୁ ଅଣ-ଉପା ଦଳଗୁଡ଼ିକ ମଧ୍ୟ ସମର୍ଥନ କରିଥିଲେ। ୨୦୧୭ରେ ବିଜେପି ରାମନାଥ କୋବିନ୍ଦଙ୍କୁ ପ୍ରାର୍ଥୀ କରି ଜିତାଇବାରେ ସକ୍ଷମ ହୋଇପାରିଥିଲା। ସମ୍ପ୍ରତି ପ୍ରଫେଟ୍ ମହମ୍ମଦଙ୍କ ସମ୍ପର୍କରେ ମନ୍ତବ୍ୟକୁ ନେଇ ମୁସଲିମ ଦେଶଗୁଡ଼ିକରେ ପ୍ରବଳ ପ୍ରତିବାଦର ସ୍ବର ଉଠିଛି। ଦେଶ ଭିତରେ ବହୁ ଜାଗାରେ ହିଂସାତ୍ମକ ବିରୋଧ ଦେଖାଦେଇଛି। ଏହି ପରିପ୍ରେକ୍ଷୀରେ ବିଜେପି ଜଣେ ମୁସଲିମ ମୁହଁକୁ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଠିଆ କରାଇବା ଅସମ୍ଭବ ନୁହେଁ। ଏବେ କେରଳର ରାଜ୍ୟପାଳ ଆରିଫ ମହମ୍ମଦ ଖାନଙ୍କ ନାମ ଶୁଣିବାକୁ ମିଳୁଛି। ଜଣେ ଆଦିବାସୀ ପୂର୍ବତନ ମହିଳା ରାଜ୍ୟପାଳ (ଓଡ଼ିଶାର ଦ୍ରୌପଦୀ ମୁର୍ମୁ)ଙ୍କ ନାମ ମଧ୍ୟ ଚର୍ଚ୍ଚାରେ ରହିଛି। ତେବେ କେଉଁ ପ୍ରାର୍ଥୀଙ୍କୁ ଠିଆ କଲେ ଏନ୍ଡିଏ ବାହାରୁ ଆବଶ୍ୟକ ଭୋଟ ମିଳିପାରିବ ତା’ରି ଉପରେ ଅଙ୍କକଷା ଚାଲିବା ସ୍ବାଭାବିକ। ବିଜେପି ମଧ୍ୟ ୱାଇଏସ୍ଆର୍ କଂଗ୍ରେସ ପାର୍ଟି ଏବଂ ବିଜେଡି ଭଳି ଆଞ୍ଚଳିକ ଦଳର ସମର୍ଥନ ଆବଶ୍ୟକ କରୁଛି। ଅନ୍ୟପକ୍ଷରେ ସଦ୍ୟ ସରିଥିବା ରାଜ୍ୟସଭା ନିର୍ବାଚନରେ ବିଜେପିର ଶକ୍ତି ମଧ୍ୟ ବଢ଼ିଛି।
ତେଲେଙ୍ଗାନାର ଟିଆର୍ଏସ୍ ଏବେ ବିଜେପିର ବଡ଼ ଶତ୍ରୁ ଭାବେ ଉଭା ହୋଇଛି। ତେଣୁ ସେପଟୁ ସମର୍ଥନର ଆଶା ନାହିଁ। ବିଜେପି ପାଇଁ ସବା ଶେଷ ବିକଳ୍ପ ହେଉଛନ୍ତି ଉପରାଷ୍ଟ୍ରପତି ଭେଙ୍କିଆ ନାଇଡ଼ୁ। ତାଙ୍କ ସପକ୍ଷରେ ଯଦି ଆବଶ୍ୟକ ଭୋଟ ଯୋଗାଡ଼ ହୋଇପାରେ ତେବେ ତାଙ୍କର ପଦୋନ୍ନତି ପାଇଁ ରାସ୍ତା ଖୋଲିଯିବ। ତେବେ ଆଦୌ ଚର୍ଚ୍ଚାରେ ନ ଥିବା ଜଣଙ୍କ ନାମ ଯେ ଶେଷ ପର୍ଯ୍ୟାୟରେ ସାମନାକୁ ନ ଆସିବ ତାହା କହିହେବ ନାହିଁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/06/president-house.jpg)