କୋଟିଆ କା‌ହାର? ପୁଣି ଶୁଣାଣି ହେବ: ଓଡ଼ିଶା କଥା ରହିଲା, ସ୍ବତଃ ଶୁଣାଣି ଲାଗି ରାଜି ହେଲେ ସୁପ୍ରିମ୍‌କୋର୍ଟ

୨୦୦୬ରେ କୋର୍ଟ ଖାରଜ କରିଥିଲେ

ନୂଆଦିଲ୍ଲୀ: କୋଟିଆ ମାମଲା ଆଜି ନୂଆ ମୋଡ଼ ନେଇଛି। ଏକ ଗୁରୁତ୍ବପୂର୍ଣ୍ଣ ଘଟଣାକ୍ରମରେ ଓଡ଼ିଶା ଦ୍ବାରା ଦାଖଲ କରାଯାଇଥିବା ଅରିଜିନାଲ ସୁଟ୍‌ର ପ୍ରଥମେ ଶୁଣାଣି କରାଯିବ ବୋଲି ସୁପ୍ରିମକୋର୍ଟ ଆଜି ସମ୍ମତି ପ୍ରକାଶ କରିଛନ୍ତି। ଅର୍ଥାତ୍ କୋଟିଆ ଓଡ଼ିଶାର ନା ଆନ୍ଧ୍ରର? ଏହା ଉପରେ ପୁଣି ଶୁଣାଣି ହେବ। କୋର୍ଟଙ୍କ ଏଭଳି ଆଭିମୁଖ୍ୟ ଆଜି ଓଡ଼ିଶାକୁ ଆଶ୍ବସ୍ତ କରିଛି। ୨୦୦୬ରେ କୋର୍ଟ ଏ ସଂକ୍ରାନ୍ତ ମାମଲାକୁ ଖାରଜ କରି ସ୍ପଷ୍ଟ କରିଥିଲେ ଯେ ଏହା ଧାରା ୧୩୧ ଅନୁସାରେ ବିଚାରଯୋଗ୍ୟ ନୁହେଁ।

ସୁପ୍ରିମକୋର୍ଟର ବିଚାରପତି ଜଷ୍ଟିସ ଏ.ଏମ.ଖାନୱିଲକର ଓ ବିଚାରପତି ଜଷ୍ଟିସ ସି.ଟି.ରବିକୁମାରଙ୍କ ଖଣ୍ଡପୀଠରେ ଓଡ଼ିଶାର ଅଦାଲତ ଅବମାନନା ପିଟିସନ ଶୁଣାଣି ଆଜି ତାଲିକାଭୁକ୍ତ ହୋଇଥିଲା। ଶୁଣାଣି ଆରମ୍ଭ ହେବା ମାତ୍ରେ ରାଜ୍ୟ ସରକାରଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ବିକାଶ ସିଂହ ଖଣ୍ଡପୀଠଙ୍କୁ ଜଣାଇଥିଲେ ଯେ କୋଟିଆରେ ପଞ୍ଚାୟତ ନିର୍ବାଚନ ଶାନ୍ତିପୂର୍ଣ୍ଣ ଭାବେ ଶେଷ ହୋଇଛି। କୋଟିଆ ସଂପର୍କରେ ସର୍ବୋଚ୍ଚ ନ୍ୟାୟାଳୟରେ ଧାରା ୧୩୧ର ସାମ୍ବିଧାନିକ ବୈଧତାକୁ ଚ୍ୟାଲେଞ୍ଜ କରାଯାଇ ରାଜ୍ୟ ସରକାର କରିଥିବା ଅରିଜିନାଲ ସୁଟ (କୋଟିଆ ଓଡ଼ିଶାର ନା ଆନ୍ଧ୍ରର) ଦାଖଲ କରାଯାଇଥିବା ସଂପର୍କରେ ମଧ୍ୟ କୋର୍ଟଙ୍କୁ ସ୍ମରଣ କରାଇଥିଲେ। ଶ୍ରୀ ସିଂହ ନିବେଦନ କରିଥିଲେ ଯେ ଏବେ ଖଣ୍ଡପୀଠ ଅରଜିନାଲ ସୁଟ ସହିତ ଅଦାଲତ ଅବମାନନାର ଏକାଠି ଶୁଣାଣି କରନ୍ତୁ। ଖଣ୍ଡପୀଠ କହିଥିଲେ ଯେ ରାଜ୍ୟ ସରକାରଙ୍କ ଅରିଜିନାଲ ସୁଟ୍‌ର ପ୍ରଥମେ ଶୁଣାଣି କରାଯିବ। ଏହାପରେ ଅଦାଲତ ଅବମାନନାର ଶୁଣାଣି ହେବ। ଇତିମଧ୍ୟ‌ରେ କୋଟିଆରେ ଯଦି କୌଣସି ଅପ୍ରୀତିକର ପରସ୍ଥିତି ସୂଷ୍ଟି ହୁଏ ତାହାହେଲେ ଓଡ଼ିଶା ଓ
ଆନ୍ଧ୍ର ଉଭୟ ସର୍ବୋଚ୍ଚ ନ୍ୟାୟାଳୟଙ୍କ ଦୃଷ୍ଟିକୁ ଏହି ପ୍ରସଙ୍ଗ ଆଣିପାରିବେ। ଏଥିସହିତ ମାମଲାର ଶୁଣାଣିକୁ ସୁପ୍ରିମକୋର୍ଟ ସ୍ଥଗିତ ରଖିଥିଲେ। ପରବର୍ତ୍ତୀ ଶୁଣାଣି କେବେ ହେବ, ସେ ନେଇ ଖଣ୍ଡପୀଠ କୌଣସି ତାରିଖ ଧାର୍ଯ୍ୟ କରିନାହାନ୍ତି।

ରାଜ୍ୟ ସରକାରଙ୍କ ପକ୍ଷରୁ ଦାଖଲ କରାଯାଇଥିବା ସୁଟ୍‌ର ତ୍ବରିତ ଶୁଣାଣି ପାଇଁ ଆବେଦନ କରାଯିବ ବୋଲି ଆଜି ଖଣ୍ଡପୀଠଙ୍କୁ ଜଣାଇ ଦିଆଯାଇଛି। ୨୦୨୧ ଫେବ୍ରୁଆରି ଦ୍ବିତୀୟ ସପ୍ତାହରେ କୋରାପୁଟ ଜିଲ୍ଲା ପଟାଙ୍ଗି ବ୍ଲକ କୋଟିଆ ଗ୍ରାମପୁଂଜର ତିନିଟି ପଂଚାୟତରେ ଆନ୍ଧ୍ରପ୍ରଦେଶ ସରକାର ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ କରିବାକୁ ବିରୋଧ କରି ଓଡ଼ିଶା ସରକାର ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ଏହାକୁ ରାଜ୍ୟ ସରକାର ବେଆଇନ ଦର୍ଶାଇ କୋର୍ଟଙ୍କ ହସ୍ତକ୍ଷେପ ଲୋଡ଼ିଥିଲେ। ସରକାର କହିଥିଲେ ଯେ ଏହି ପ୍ରସଙ୍ଗରେ ସର୍ବୋଚ୍ଚ ନ୍ୟାୟାଳୟ ୧୯୬୮ରେ ସ୍ଥିତାବସ୍ଥା ପାଇଁ ନିର୍ଦ୍ଦେଶ ଦେଇଥିଲେ। ୨୦୦୬ରେ ପୁଣି ଥରେ ସ୍ଥିତାବସ୍ଥା ପାଇଁ ନିର୍ଦ୍ଦେଶ ଦେଲେ। ହେଲେ ଆନ୍ଧ୍ର ଏହାକୁ ମାନୁନାହିଁ। କୋର୍ଟ ଏଥିରେ ତୁରନ୍ତ ହସ୍ତକ୍ଷେପ କରିବାକୁ ଅନୁରୋଧ କରିଥିଲେ।

ଆନ୍ଧ୍ରପ୍ରଦେଶ ସତ୍ୟପାଠ ଜରିଆରେ ପୂର୍ବରୁ ହୋଇଥିବା ନିର୍ବାଚନ ସଂକ୍ରାନ୍ତ ଦସ୍ତାବିଜ୍ ସହ ଯୁକ୍ତି ବି ରଖିଥିଲା। ଏହାପରେ ଓଡ଼ିଶା ପ୍ରତିଜବାବ ଦାଖଲ କରିଥିଲା। ଅଦାଲତ ଅବମାନନା ମାମଲାର ଶୁଣାଣି ଆରମ୍ଭ କରିବା ପୂର୍ବରୁ ସୁପ୍ରିମକୋର୍ଟ ମାମଲାର ସମାଧାନ ରାଜନୈତିକ ସ୍ତରରେ କରିବା ଲାଗି ପରାମର୍ଶ ଦେଇଥିଲେ।
ଆଜିର ଶୁଣାଣିରେ ରାଜ୍ୟ ସରକାରଙ୍କ ପକ୍ଷରୁ ଦୁଇ ରାଜ୍ୟ ମଧ୍ୟରେ ଜାରି ରହିଥିବା ଆଲୋଚନା ସଂକ୍ରାନ୍ତ କୌଣସି ତଥ୍ୟ ଅବଗତ କରାଯାଇନଥିଲା। ବରଂ ୨୦୨୨ ଜାନୁଆରି ୪ ତାରିଖରେ ଓଡ଼ିଶା ସରକାର ସମ୍ବିଧାନର ଧାରା ୧୩୧ରେ ସୁପ୍ରିମକୋର୍ଟରେ ମୂଳ ମାମଲାକୁ ଆଉଥରେ ବିଚାରକୁ ନେଇ ବିବାଦର ସମାଧାନ ନିମନ୍ତେ ରାୟ ପ୍ରକାଶ କରିବା ପାଇଁ ଆବେଦନ କରିଥିଲେ।

ଉଲ୍ଲେଖଯୋଗ୍ୟ ଯେ କୋଟିଆ ମାମଲାରେ ଓଡ଼ିଶା ସରକାର ପ୍ରଥମେ ୧୯୬୮ରେ ସୁପ୍ରିମକୋର୍ଟରେ ମାମଲା ରୁଜୁ କରିଥିଲେ। କୋଟିଆ ସମସ୍ୟାର ସମାଧାନ ପଛରେ ସବୁଠାରୁ ବଡ କାରଣ ସମ୍ବିଧାନର ଧାରା ୧୩୧ ସାଜିଛି। ଏଣୁ ଏହି ଧାରାକୁ ଉଚ୍ଛେଦ ପାଇଁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେବାକୁ ଓଡ଼ିଶା ପକ୍ଷରୁ ପ୍ରାର୍ଥନା କରାଯାଇଛି।ଆବେଦନରେ ରାଜ୍ୟ ସରକାର କୋଟିଆକୁ ଓଡ଼ିଶାର ବୋଲି ଘୋଷଣା କରିବା ଏବଂ ବିବାଦୀୟ ଅଞ୍ଚଳରେ ଆନ୍ଧ୍ର ‌ପ୍ରଦେଶ ସରକାରଙ୍କୁ ବିଭିନ୍ନ ସରକାରୀ କାର୍ଯ୍ୟକ୍ରମ କରିବାରୁ ଦୂରେଇ ରଖିବା ପାଇଁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେବାକୁ ନିବେଦନ କରାଯାଇଛି। କୋଟିଆ ମାମଲାକୁ ୨୦୦୬ରେ କୋର୍ଟ ଖାରଜ କରିବା ସହିତ ଏହା ଧାରା ୧୩୧ ଅନୁସାରେ ବିଚାରଯୋଗ୍ୟ ନୁହେଁ ବୋଲି କହିଥିଲେ। ଏହି ପ୍ରସଙ୍ଗରେ ସୁପ୍ରିମକୋର୍ଟ ଓଡ଼ିଶା ଦ୍ବାରା ୧୯୨୦ ରୁ ୧୯୨୭ ମଧ୍ୟରେ ହୋଇଥିବା ଚୁକ୍ତି ଓ ନଥିପତ୍ରକୁ ସମ୍ବିଧାନ ପ୍ରଣୟନ ହେବା ପୂର୍ବର ବୋଲି ଦର୍ଶାଇଥିଲେ ଏବଂ ଏହା ଉପରେ କୌଣସି ନିଷ୍ପତ୍ତି ନେବା ଲାଗି ସୁପ୍ରିମକୋର୍ଟଙ୍କ କ୍ଷମତା ନାହିଁ ବୋଲି କହିଥିଲେ। ବର୍ତ୍ତମାନ ସୁପ୍ରିମକୋର୍ଟ ଓଡ଼ିଶା ଦ୍ବାରା ଦାଖଲ ସୁଟର ଶୁଣାଣି ପାଇଁ ସ୍ବତଃ ରାଜି ହୋଇଥିବାରୁ ଦାଖଲ ନଥିପତ୍ର ଓ ଦସ୍ତାବିଜ ଯଥେଷ୍ଟ ଗୁରୁତ୍ବ ବହନ କରୁଛି।

ସମ୍ବନ୍ଧିତ ଖବର