ନୂଆଦିଲ୍ଲୀ: ଗତକାଲି ବେଙ୍ଗାଲୁରୁର ଜୟନଗର ଅଞ୍ଚଳର ଏକ ହୋଟେଲରେ ଖୁବ୍ ନିରାଡ଼ମ୍ବର ଭ‌ାବେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଝିଅ ପରକାଲା ବାଙ୍ଗମୟୀ ବିବାହ କରିଛନ୍ତି। ସୀତାରମଣଙ୍କ ଝିଅ ଗୁଜୁରାଟର ପ୍ରତୀକ ଦୋଶୀଙ୍କୁ ବିବାହ କରିଛନ୍ତି। ବ୍ରାହ୍ମଣ ପରମ୍ପରା ଅନୁଯାୟୀ ଏହି ବିବାହ ହୋଇଯାଇଛି। ବିବାହ ସମୟର ଏକ ଭିଡିଓ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହୋଇଛି। ଭିଡିଓରେ ପରକାଲାଙ୍କୁ ଏକ ଗୋଲାପୀ ରଂଗର ଶାଢ଼ି ପରିଧାନ କରିଥିବା ଦେଖିବାକୁ ମିଳିଛି। ପ୍ରତୀକ ଧୋତି ଉପରେ ଏକ ଧଳା ରଂଗର ଯୋଡ଼ କାନ୍ଧରେ ପକାଇଛନ୍ତି।

Advertisment

ତେବେ ଆପଣ ନିଶ୍ଚୟ ଭାବୁଥିବେ ଯେ ଅର୍ଥମନ୍ତ୍ରୀଙ୍କ ଜ୍ବାଇଁ ସାଜିଥିବା ଏ ପ୍ରତୀକ କିଏ? ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଜ୍ବାଇଁ ପ୍ରତୀକ ଦୋଶୀ ଗୁଜୁରାଟର ବାସିନ୍ଦା ଏବଂ ୨୦୧୪ ମସିହାରୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମଓ) ସହିତ ଜଡିତ ଅଛନ୍ତି। ଜୁନ୍ ୨୦୧୯ରେ, ଦୋଶୀଙ୍କୁ ଯୁଗ୍ମ ସଚିବ ପଦବୀକୁ ଉନ୍ନୀତ କରାଯାଇଥିଲା। ସେ ସିଙ୍ଗାପୁର ମ୍ୟାନେଜମେଣ୍ଟ ସ୍କୁଲରେ ସ୍ନାତକ କରିଛନ୍ତି।

ଏହା ପୂର୍ବରୁ ଗୁଜୁରାଟ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ (ସିଏମଓ)ରେ ରିସର୍ଚ  ଆସିଷ୍ଟାଣ୍ଟ ଭାବରେ କାର୍ଯ୍ୟ କରିଥିଲେ ପ୍ରତୀକ। ସେତେବେଳେ ନରେନ୍ଦ୍ର ମୋଦୀ ଥିଲେ ଗୁଜୁରାଟର ମୁଖ୍ୟମନ୍ତ୍ରୀ। ପିଏମ୍‌ଓ ୱେବସାଇଟରେ ପ୍ରଦତ୍ତ ତଥ୍ୟ ଅନୁସାରେ ପ୍ରତୀକ ଦୋଶୀ ରିସର୍ଚ ଆଣ୍ଡ ଷ୍ଟ୍ରାଟେଜି ୱିଙ୍ଗରେ କାମ କରନ୍ତି।

ଆପଣଙ୍କ ସୂଚନା ସକା‌ଶେ ଜଣାଇ ଦେଉଛୁ ଯେ ସୀତାରମଣଙ୍କ ଝିଅ ସାମ୍ବାଦିକତା ପାଠ ପଢ଼ିଛନ୍ତି। ଏବେ ସେ ଜଣେ ଫିଚର୍‌ ରାଇଟର୍‌। ସେ ଜନ୍ମ ୧୯୯୧ ମସିହା ମେ ୨୦ ତାରିଖରେ ଚେନ୍ନାଇରେ ହୋଇଥିଲା। ‌ସେ ଦିଲ୍ଳୀ ୟୁନିଭରସିଟିରେ ସ୍ନାତକତ୍ତୋର କରିଛନ୍ତି।